କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୨.୫୦ ଟଙ୍କା କମାଇଲେ

ନୂଆଦିଲ୍ଲୀ : କେନ୍ଦ୍ର ସରକାର କମାଇଲେ ତେଲ ଦର । ପେଟ୍ରୋଲ୍ ଓ ଡିଜେଲ୍ ଉପରେ କେନ୍ଦ୍ର ସରକାର ଦେଢ଼ ଟଙ୍କା ଉତ୍ପାଦ ଶୁଳ୍କ କମାଇଥିବା ବେଳେ ତୈଳ କମ୍ପାନିଗୁଡ଼ିକ ୧ ଟଙ୍କା କମାଇବାକୁ ଅନୁରୋଧ କରିଛନ୍ତି । ଏମିତିରେ ପେଟ୍ରୋଲ୍ ଓ ଡିଜେଲ୍ ଦାମ୍ ଅଢେଇ ଟଙ୍କା କମିବ।  ଏଥିସହିତ ଭାଟ୍ କମାଇବାକୁ କେନ୍ଦ୍ର ରାଜ୍ୟ ସରକାର ମାନଙ୍କୁ ଅପିଲ କରିଛନ୍ତି। କିଛି ବିଜେପି ଶାସିତ ରାଜ୍ୟ ଅପିଲକୁ ଶୁଣି ଭାଟ କମାଇଥିବା ବେଳେ ଏବେ ଓଡ଼ିଶା ସରକାରଙ୍କ ପଦକ୍ଷେପ ଉପରେ ରହିଛି ନଜର।

କମିଲା ପେଟ୍ରୋଲ୍ ଓ ଡିଜେଲ୍ ଦାମ୍ ।  ହୁ ହୁ ହେଇ ବଢୁଥିଲା  ଅଢ଼େଇ ଟଙ୍କା କମିଲା । କେନ୍ଦ୍ର ସରକାର ଦେଢ଼ ଟଙ୍କା ଉତ୍ପାଦ ଶୁଳ୍କ କମାଇଥିବା ବେଳେ ତୈଳ କମ୍ପାନି କମାଇଲେ ଟଙ୍କାଏ ।  ବଢୁଥିବା ତେଲ ଦର ନେଇ ଗତକାଲି ତୈଳମନ୍ତ୍ରୀଙ୍କ ସହିତ ଆଲୋଚନା କରିଥିଲେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲି। ଆଜି ସାମ୍ବାଦିକ ସମ୍ମିଳନୀ କରି  ଜେଟଲୀ ଏହି ଘୋଷଣା କରିବା ସହ ରାଜ୍ୟ ସରକାରମାନେ ଅଢ଼େଇ ଟଙ୍କା ଭାଟ୍ କମାଇବାକୁ ପରାମର୍ଶ ଦେଇଛନ୍ତି । ଫଳରେ ଗ୍ରାହକମାନେ ୫ ଟଙ୍କା ଶସ୍ତାରେ ତେଲ ପାଇବେ।

ଜେଟଲୀଙ୍କ ମୁହଁରୁ ଘୋଷଣା ସରୁ ସରୁ ବିଜେପି ଶାସିତ ଗୁଜରାଟ, ମହାରାଷ୍ଟ୍ର, ଛତିଶଗଡ଼, ଆସାମ, ତ୍ରିପୁରା ସରକାର ଅନୁରୂପ ପଦକ୍ଷେପ ନେଇଛନ୍ତି । ଏସବୁ ରାଜ୍ୟରେ ଅଢେଇ ଟଙ୍କା ଲେଖାଏଁ ଭାଟ୍ କମାଯାଇଛି । ମଧ୍ୟ ରାତ୍ର ପୂର୍ବରୁ ଆଉ କିଛି ବିଜେପି ଶାସିତ ରାଜ୍ୟ ଏମିତି ପଦକ୍ଷେପ ନେଇପାରନ୍ତି । କଂଗ୍ରେସ କିନ୍ତୁ କହୁଛି, ଏହି ମୂଲ୍ୟହ୍ରାସ କିଛି ନୁହେଁ । ଘା ବଡ଼ ହୋଇ ଭିତରକୁ ମାଡ଼ି ଯାଇଥିବା ବେଳେ ସରକାର ବ୍ୟାଣ୍ଡ୍ ଏଡ୍ ଲଗାଉଥିବା କହିଛି  କଂଗ୍ରେସ ।  ଓଡ଼ିଶା ସରକାର ତୁରନ୍ତ ଭାଟ୍ କମାଇବାକୁ ଆହ୍ବାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  ବିଜେଡି କିନ୍ତୁ କେନ୍ଦ୍ର ଗଣିତର ଭିନ୍ନ ଫଳ ଦେଖାଇଛି । ରାଜ୍ୟ ସରକାର ଚିନ୍ତାକରି ନିଷ୍ପତ୍ତି ନେବେ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ।