ଖେଳ ଶିକ୍ଷକଙ୍କ ଖେଳ : ଛାତ୍ରୀଙ୍କୁ ଅସଦାଚରଣ ମାମଲାରେ ହେଲେ ନିଲମ୍ବିତ

କେନ୍ଦ୍ରାପଡା : ଖେଳ ଶିକ୍ଷକଙ୍କ ଛାତ୍ରୀଙ୍କ ଇଜ୍ଜତ ସହ ଖେଳିବା ମହଙ୍ଗା ପଡିଛି । ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି ପିଇଟି ସାର । ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ଅଞ୍ଚଳରେ ।
କୁଞ୍ଜ ବିହାରୀ ଉଚ୍ଚ ବିଦ୍ୟାଭବନର କ୍ରୀଡ଼ା ଶିକ୍ଷକ ବିଦ୍ୟାପତି ଜେନା ନିଲମ୍ବିତ ହୋଇଥିବା ଜଣାପଡ଼ିଛି। ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ ବିଦ୍ୟାପତି ନିଜ ସ୍କୁଲର ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିଥିଲେ। ଛାତ୍ରୀଙ୍କ ଅଭିଭାବକଙ୍କ ଅଭିଯୋଗ ଅନୁସାରେ ତାଙ୍କ ଝିଅ ଗତ

ଅକ୍ଟୋବର ୨୭ରେ ମହାକାଳପଡ଼ା ଠାରେ ବ୍ଲକ ସ୍ତରୀୟ ‘ସୁରଭି’ କାର‌୍ୟ୍ୟକ୍ରମରେ ଭାଗ ନେବାପାଇଁ ଯାଇଥିଲେ। ଫେରିବା ବେଳକୁ ରାତି ହୋଇ ଯାଇଥିଲା। ରାତିର ସୁଯୋଗ ନେଇ ଛାତ୍ରୀଙ୍କୁ ବିଦ୍ୟାପତି ଅସଦାଚରଣ କରିଥିଲେ।
ଜିଲ୍ଲା ଶିକ୍ଷା ଅଧିକାରୀ କଳ୍ପନା ବେହେରା ଆଜି ଅଭିଯୋଗ ହେବା ପରେ ବିଦ୍ୟାପତିଙ୍କୁ ନିଲମ୍ବିତ କରିଛନ୍ତି। କଂସାର ତରପଦାସ୍ଥିତ କୁଞ୍ଜ ବିହାରୀ ଉଚ୍ଚ ବିଦ୍ୟାଭବନ ପରିସରରେ ଅଭିଭାବକମାନେ ଉତ୍ତେଜନା ପ୍ରକାଶ କରିଛନ୍ତି। ସେମାନେ ଘଟଣା ପାଇଁ ପ୍ରଧାନଶିକ୍ଷକଙ୍କୁ ଦାୟୀ କରିଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି।