ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ଆଜି ଦେଶବ୍ୟାପି “ଜନତା କର୍ଫ୍ୟୁ” ପାଳନ କରାଯାଇଥିବାବେଳେ ଓଡ଼ିଶାରେ ମଧ୍ୟ ଏହା ପାଳନ କରାଯାଉଛି । ଯେଉଁ କାରଣରୁ ଲୋକମାନେ ଘରେ ରହି ଏହି କର୍ଫ୍ୟୁ ପାଳନ କରୁଛନ୍ତି ।
ସେହିପରି ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରୁଥିବା ଦୋକାନଗୁଡ଼ିକୁ ଛାଡ଼ି ଦେଲେ ବାକି ସବୁ ବନ୍ଦ ରହିଛି। ଭୋର୍ ୪ଟାରୁ ଛାଡ଼ିଥିବା ଟ୍ରେନ୍ ଗୁଡ଼ିକୁ ଛାଡ଼ି ଦେଲେ ବାକି ସବୁ ଟ୍ରେନ୍ ବାତିଲ ହୋଇଛି। ରାତି ୧୦ଟା ପରେ ଯାଇ ସବୁ ଟ୍ରେନ୍ଗୁଡ଼ିକ ଚଳାଚଳ କରିବେ। ଗାଡ଼ି ଚଳାଚଳ ମଧ୍ୟ ବନ୍ଦ ରହିଛି। ଫଳରେ ଆଜି ସାରା ରାଜ୍ୟ ଏକ ପ୍ରକାର ଖାଁ ଖାଁ ଲାଗୁଛି। ରାସ୍ତାଘାଟ, ଦୋକାନବଜାର, ବସ୍ଷ୍ଟାଣ୍ଡ ଓ ରେଳ ଷ୍ଟେସନ ଗୁଡ଼ିକରେ ଅସମ୍ଭବ ପ୍ରକାରର ନିରବତା ଦେଖିବାକୁ ମିଳିଛି। କାଁ ଭାଁ ଲୋକେ ଯା’ଆସ କରୁଛନ୍ତି।
‘ଜନତା କର୍ଫ୍ୟୁ’ରେ ସାମିଲ ହୋଇ ଘରେ ରହି କରୋନ୍କୁ ମାତ୍ ଦେବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେବା ସହିତ ବିଭିନ୍ନ ପ୍ରକାରର ଜରୁରୀ ସେବାରେ ନିୟୋଜିତ ଥିବା ଲୋକଙ୍କୁ ଧନ୍ୟବାଦ ଜଣାଇବା ପାଇଁ ସନ୍ଧ୍ୟା ୫ଟାରେ ଘରର ବାଲ୍କୋନି ଓ ଝରକା ନିକଟରେ ତାଳି ବଜାଇ କିମ୍ବା ଥାଳି ବଜାଇ କୃତଜ୍ଞତା ଜଣାଇବାକୁ କହିଛନ୍ତି।
ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ସମ୍ମାନ ଜଣାଇ ଗତକାଲି ରାଜ୍ୟର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବନ୍ଦ ଘୋଷଣା କରାଯାଇଥିଲା। ଏଥିରେ ଘରୋଇ ବସ୍ ମାଲିକ ସଂଘ ମଧ୍ୟ ସାମିଲ ହୋଇ ବସ୍ ଚଳାଚଳ ବନ୍ଦ କରିବାକୁ ଘୋଷଣା କରିଥିଲା। ଓଡ଼ିଶା ଭଳି ଦେଶର ବିଭିନ୍ନ ପ୍ରମୁଖ ସହରଗୁଡ଼ିକ ମଧ୍ୟ ଶୂନ୍ଶାନ୍ ହୋଇଯାଇଛି। ‘ଜନତା କର୍ଫ୍ୟୁ’ରୁ ସ୍ୱାସ୍ଥ୍ୟସେବା ଭଳି ଜରୁରୀ ସେବାକୁ ବାଦ୍ ଦିଆଯାଇଛି।