କଟକରେ ପୋଲିସକୁ ଢ଼େଲାମାଡ

କଟକ: କଟକରେ ସଟ୍ ଡାଉନ୍ ଘୋଷଣା ସତ୍ୱେ ଲୋକେ ବାହାରେ ବୁଲୁଥିବା ନେଇ ପୋଲିସ ଘଉଡାଇବାରୁ ପୋଲିସ ଉପରକୁ ଢ଼େଲାମାଡ କରିଥିବା ନେଇ ଘଟଣା ସାମ୍ନାକୁ ଆସିଛି । ଏନେଇ ଲାଲବାଗ ଥାନାରେ ୩୫ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ସେହିପରି ପୁରୀଘାଟ ଥାନା ନିମସାହି ଓ ମଙ୍ଗଳାବାଗ ଥାନା ଥୋରିଆସାହିରେ ପୁଲିସ ଲାଠିମାଡ଼ କରିଛି। ନିୟମ ଖିଲାପ କରି ବାହାରେ ବୁଲୁଥିବାରୁ ପୋଲିସ ଏଭଳି ପଦକ୍ଷେପ ଗ୍ରହଣ କରିଛି।

ସୂଚନା ଅନୁଯାୟୀ, କଟକରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପୂରା ସହରକୁ ଗଲାକାଲି ରାତି ୮ଟାରୁ ରବିବାର ରାତି ୮ଟା ପର୍ଯ୍ୟନ୍ତ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି। କୌଣସି ବ୍ୟକ୍ତି ବାହାରେ ବୁଲିଲେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ପୋଲିସ ଡିଜି ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି। ଗଲାକାଲି ରାତି ପ୍ରାୟ ୮ଟା୩୦ରେ ଓଡ଼ିଆ ବଜାର ନିକଟରେ ପୋଲିସ ଫୋର୍ସ ରୁଟ୍ ମାର୍ଚ୍ଚ କରୁଥିବା ବେଳେ ପାଖାପାଖି ୩୫ ଯୁବକ ସଂଘବଦ୍ଧ ହୋଇ ପୁଲିସକୁ ଗାଳିଗୁଲଜ ଓ ଢେଲାମାଡ଼ କରିଥିଲେ। ପୋଲିସ କର୍ମୀ ସେମାନଙ୍କୁ ବୁଝାଇବାକୁ ଉଦ୍ୟମ କରିଥିଲେ ସୁଦ୍ଧା ପରିସ୍ଥିତି ଅଣାୟତ ହୋଇଥିଲା। ଓଡ଼ିଆ ବଜାର, ମାଇକା ଲେନ, ଦିୱାନ ବଜାର ଅଂଚଳର ଯୁବକ ଏଭଳି କାଣ୍ଡରେ ସାମିଲ ଥିଲେ। ତେବେ ଏ ସଂକ୍ରାନ୍ତରେ ଥାନାରେ ଏତଲା ହୋଇଥିବା ଥାନା ଆଇଆଇସି ଆଶୁତୋଷ ମିଶ୍ର ସୂଚନା ଦେଇଛନ୍ତି।