ମା ‘ତାରିଣୀ ମନ୍ଦିର ଖୋଲିବା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର :  କରୋନା ମହାମାରୀ ଯୋଗୁଁ ଜନସାଧାରଣଙ୍କ ଜୀବନ ପ୍ରତି ଗୁରୁତ୍ୱ ପ୍ରଦାନ କରି ଦୀର୍ଘ ୯ ମାସ ଧରି ବିଭିନ୍ନ ମନ୍ଦିର ଓ ଧାର୍ମିକ ପୀଠ ବନ୍ଦ ରହିଛି । ବର୍ତମାନ କରୋନା ପରିସ୍ଥିତିରେ ସୁଧାର ଆସିବା ପରେ ରାଜ୍ୟ ସରକାର ପୁରୀ ଶ୍ରୀମନ୍ଦିର ଓ ଭୁବନେଶ୍ୱର ଶ୍ରୀଲିଙ୍ଗରାଜ ମନ୍ଦିର ଖୋଲିଛନ୍ତି । ସରକାରଙ୍କର ଏହି ପଦକ୍ଷେପକୁ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ସ୍ୱାଗତ କରିଛନ୍ତି । କଟକଣା ମାନି ଯଦି ଲୋକମାନଙ୍କୁ ହାଟ ବଜାରକୁ ଯିବା ପାଇଁ ଅନୁମତି ଦିଆଯାଉଛି ତେବେ ପୂଜା ପୀଠଗୁଡିକୁ ଯିବାରେ କୌଣସି ଅସ୍ୱାଭାବିକତା ନାହିଁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । କେନ୍ଦୁଝର ଜିଲ୍ଲା ଘଟଗାଁର ମା’ ତାରିଣୀ ମନ୍ଦିର ଖୋଲିବା ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ପଟ୍ଟନାୟକ ଆଜି ପତ୍ର ଲେଖି ଅନୁରୋଧ କରିଛନ୍ତି । ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ କେନ୍ଦୁଝର ଜିଲ୍ଲା ଘଟଗାଁର ମା’ତାରିଣୀ ଏକଦା ଆଦିବାସୀମାନଙ୍କ ଦ୍ୱାରା ପୂଜା ପାଉଥିଲେ ମଧ୍ୟ ପରବର୍ତୀ ସମୟରେ ଏହା ସମଗ୍ର ହିନ୍ଦୁ ଜାତିର ଏକ ପ୍ରସିଦ୍ଧ ପୀଠର ମାନ୍ୟତା ପାଇଛି । ଓଡିଶାର ପ୍ରତ୍ୟେକ କୋଣ ଅନୁକୋଣରୁ ଶ୍ରଦ୍ଧାଳୁମାନେ ବସ୍‌ରେ ମା’ତାରିଣୀଙ୍କ ପାଖକୁ ପ୍ରତିଦିନ ନଡିଆ ପଠାଇଥାନ୍ତି । ଯାହା ଫଳରେ ସମଗ୍ର ଓଡିଶାକୁ ମା’ ଗୋଟିଏ ସୂତ୍ରରେ ବାନ୍ଧି ରଖିଥାନ୍ତି । ମାର୍ଚ୍ଚ ୨୦ ତାରିଖରୁ କରୋନା କଟକଣା ଆଳରେ ଏହି ମନ୍ଦିରକୁ ବନ୍ଦ କରାଯାଇଛି । ଯାହା ଫଳରେ ଶ୍ରଦ୍ଧାଳୁମାନେ ମା’ଙ୍କ ନିକଟକୁ ନଡିଆ ପଠାଇ ପାରୁ ନାହାନ୍ତି ବା ମା’ଙ୍କ ଦର୍ଶନ କରିପାରୁ ନାହାନ୍ତି । ଫଳରେ ମନ୍ଦିରର ଦୈନନ୍ଦିନ ନୀତିକାନ୍ତି ପ୍ରଭାବିତ ହେବା ସହ ମନ୍ଦିର ସହ ସଂପୃକ୍ତ ସେବକ ଓ ବ୍ୟବସାୟୀମାନେ ଆର୍ଥିକ କ୍ଷତି ସହୁଛନ୍ତି । ଯେଉଁଭଳି ଭାବେ ରାଜ୍ୟ ସରକାର ପୁରୀ ଶ୍ରୀମନ୍ଦିର ଓ ଶ୍ରୀଲିଙ୍ଗରାଜ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପାଇଁ ଦର୍ଶନ ବ୍ୟବସ୍ଥା କରିଛନ୍ତି ସେହିଭଳି ଘଟଗାଁ ମା’ତାରିଣୀଙ୍କ ମନ୍ଦିର ଖୋଲାଯାଇ ଶ୍ରଦ୍ଧାଳୁମାନଙ୍କ ଦର୍ଶନର ସୁବ୍ୟବସ୍ଥା କରିବା ପାଇଁ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଛନ୍ତି ।