ବିମୁଦ୍ରାକରଣକୁ ଶତାବ୍ଦୀର ସବୁଠୁ ବଡ଼ ସ୍କାମ୍ ,ବିଜେପି-ବିଜେଡି ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ – ନିରଞ୍ଜନ

ଭୁବନେଶ୍ୱର : ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା କରାଯାଇଥିବା ଗୁରୁତର ତ୍ରୁଟିପୂର୍ଣ୍ଣ ବିମୁଦ୍ରାକରଣର ଦୁଇବର୍ଷ ପୂରଣ ଅବସରରେ ଓଡ଼ିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ସ୍ଥାନୀୟ ରିଜର୍ଭ ବ୍ୟାଙ୍କ କାର‌୍ୟ୍ୟାଳୟ ସମ୍ମୁଖରେ ଶୁକ୍ରବାର ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଉଭୟ ବିଜେପି ଓ ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି। ବିମୁଦ୍ରାକରଣକୁ ଶତାବ୍ଦୀର ସବୁଠୁ ବଡ଼ ସ୍କାମ୍ ବୋଲି ଅଭିହିତ କରି ନିରଞ୍ଜନ କହିଛନ୍ତି ଯେ ଏହା ବିଜେପିକୁ ଅଧିକ ଧନୀ କରାଇଛି। କିନ୍ତୁ ସେତେବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହା କରିଥିଲେ ତାକୁ ମଧ୍ୟ କେହି ଭୁଲିବା ଅନୁଚିତ୍। କାରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କର ଏହି ବିମୁଦ୍ରାକରଣ ନିଷ୍ପତ୍ତିକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବଡ଼ ବଡ଼ ପ୍ରଶଂସାରେ ପୋତି ପକାଇଥିଲେ। ତେଣୁ ବିଜେପି-ବିଜେଡି ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ ବୋଲି କାହାରି ସନ୍ଦେହ ରହିବା ଉଚିତ୍ ନୁହେଁ।
ସଂଗଠିତ ଲୁଟ୍ ଓ ଭୁଲକୁ ଆଇନଗତ ମୁଖା ପିନ୍ଧାଇବା ଲକ୍ଷ୍ୟରେ ଏହି ବିମୁଦ୍ରାକରଣ ହୋଇଥିଲା ଯାହା ସ୍ପଷ୍ଟ ଜଣାପଡ଼ିଛି । ସେଇଥିପାଇଁ ବିମୁଦ୍ରାକରଣର କିଛି ଦିନ ପୂର୍ବରୁ ଓଡ଼ିଶାର ୧୮ଟି ଜିଲ୍ଲା ସମେତ ସମଗ୍ର ଭାରତରେ ବିଜେପି ନଗଦ ଟଙ୍କାରେ ଜମି କିଣିଥିଲା । ଓଡ଼ିଶାର ଗ୍ରାମାଞ୍ଚଳର ୭୦ ପ୍ରତିଶତ ଲୋକଙ୍କ ପାଖରେ ଇଣ୍ଟରନେଟ ନାହିଁ। କିନ୍ତୁ ସେତେବେଳେ ପ୍ରଧାନମନ୍ତ୍ରୀ ମୋଦି ଏହି ବିମୁଦ୍ରାକରଣ ପଦକ୍ଷେପକୁ ଲାଗୁ କରିବାବେଳେ ସାଧାରଣ ଲୋକଙ୍କୁ ଏହା କେତେ ପ୍ରଭାବିତ କରିବ ତାହା ବି ଚିନ୍ତା କରିନଥିଲେ ବୋଲି କହିଛନ୍ତି କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ।

ଏଥିରେ ପ୍ରଦେଶ  ପିସିସି କାର‌୍ୟ୍ୟକାରୀ ସଭାପତି ଚିରଞ୍ଜିବୀ ବିଶ୍ୱାଳ, ଏଆଇସିସି ସମ୍ପାଦକ ରୁଦ୍ର ରାଜୁ, ଏଆଇସିସି ସଂପାଦକ ଶରତ ରାଉତ, ପିସିସିର ପୂର୍ବତନ ସଭାପତି ଶରତ ପଟ୍ଟନାୟକ ଓ ଜୟଦେବ ଜେନା, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ପୂର୍ବତନ ସାଂସଦ ଅନନ୍ତ ସେଠୀ ପ୍ରମୁଖ ଯୋଗଦେଇ ଥିଲେ । ଏହାଦ୍ୱାରା ଦେଶରେ ଏକପ୍ରକ।।ର ଆର୍ଥିକ ଜରୁରୀ ପରିସ୍ଥିତି ଜାରି କରିଦିଆଗଲା । ବ୍ୟାଙ୍କ ଶାଖାଗୁଡିକରେ ଭୀଷଣ ଭିଡ ଏବଂ ଖରାରେ ଛିଡାହୋଇ କିଛି ଲୋକଙ୍କର ମୃତ୍ୟୁ ଘଟିଲା । ଲୋକେ ନିଜ କାମଧନ୍ଦା ଛାଡି ଟଙ୍କା ଉଠାଇବାକୁ ଦିନଦିନ ବିତାଇଲେ । ହେଲେ ଅଚଳ କରାଯାଇଥିବା ଟଙ୍କାର ୯୯.୩ ପ୍ରତିଶତ ରିଜର୍ଭ ବ୍ୟାଙ୍କ ନିକଟକୁ ଫେରିଆସିଲା । ମୋଦି ଦାବି କରୁଥିବା କଳା ଟଙ୍କା କୁଆଡେ ଗଲା ବୋଲି କଂଗ୍ରେସ ନେତୃବୃନ୍ଦ ପ୍ରଶ୍ନ କରିଥିଲେ ।

ନୋଟବନ୍ଦି କରାଯିବାର ମାସକ ମଧ୍ୟରେ ବଜାରରେ ୨୦୦୦ ଏବଂ ୫୦୦ ଟଙ୍କିଆ ନୋଟ୍ର ଜାଲନୋଟ ମିଳିଲା । ଛଅମାସ ମଧ୍ୟରେ ବିଦେଶରେ ୭ ହଜାର କୋଟି ଟଙ୍କା ଜମା ହେଲା, ଯାହା କଳାଟଙ୍କା ବୋଲି ସୂଚନା ମିଳିଲା । ପ୍ରଧାନମନ୍ତ୍ରୀଙ୍କର ଏଭଳି ନିଷ୍ପତିକୁ ଦେଶ ବିଦେଶରେ ବହୁ ବିଶିଷ୍ଟ ଅର୍ଥନୀତିଜ୍ଞ ନିନ୍ଦାକଲେ । କିନ୍ତୁ ବିଜେପି ଏବଂ ମୋଦି ତାହା ଠିକ୍ ବୋଲି ଦର୍ଶାଇ ପ୍ରଶଂସା ଗୋଟାଇବାର ବୃଥା ପ୍ରୟାସ କଲେ । ଅନ୍ୟପକ୍ଷରେ ମୋଦିଙ୍କର ଏଭଳି ନିଷ୍ପତି କାରଣରୁ ଦେଶରେ ବହୁ ଲୋକ ନିଜର କାମଧନ୍ଦା ହରାଇଲେ ଏବଂ ବହୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗରେ ତାଲା ଝୁଲିଲା । ମୋଦି ନିଜର ଏଭଳି ଏକଚାଟିଆ ଏବଂ ତ୍ରୁଟିପୂର୍ଣ୍ଣ ନିଷ୍ପତି ପାଇଁ ଦେଶବାସୀଙ୍କ ନିକଟରେ କ୍ଷମା ମାଗିବାକୁ କଂଗ୍ରେସ ନେତୃବୃନ୍ଦ ଦାବି କରିଥିଲେ । ମୋଦିଙ୍କର ଏଭଳି ନିଷ୍ପତିକୁ ସେତେବେଳେ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସମର୍ଥନ ଜଣାଇଥିଲେ । ଏଥିରୁ ବିଜେପି ଏବଂ ବିଜେଡି ପରସ୍ପର ନିଷ୍ପତିକୁ ସମର୍ଥନ ଜଣାଉଥିବା ଏବଂ ଗୋଟିଏ ମୁଦ୍ରାର ଦୁଇପାଶ୍ୱର୍ ବୋଲି କଂଗ୍ରେସର ବରିଷ୍ଠ ନେତାମାନେ କହିବା ସହିତ ମୋଦି ଓ ନବୀନଙ୍କୁ ସମାଲୋଚନା କରିଥିଲେ ।