ପିସିସି ସଭାପତିଙ୍କ ତାଗିଦ, ଦଳରେ ବିଶୃଙ୍ଖଳା ବରଦାସ୍ତ କରାଯିବନି-ନିରଞ୍ଜନ

ଭୁବନେଶ୍ୱର : ଦଳ ଭିତରେ ବିଶୃଙ୍ଖଳାକୁ ଆଦୌ ବରଦାସ୍ତ କରାଯିବ ନାହିଁ । କେହି ମନଇଛ୍ା ମିଡିଆରେ ବି କିଛି କହିପାରିବେନି । ସମସ୍ତେ ଦଳୀୟ ଶୃଙ୍ଖଳାରେ ରହିବେ । ଜିଲ୍ଲା ସଭାପତି,ଦଳୀୟ ନେତା ଓ କର୍ମୀମାନଙ୍କୁ ଏମିତି ଶୃଙ୍ଖଳାର ପାଠ ପଢାଇବା ସହ ଦାଗିଦ୍ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଓଡିଶା ପ୍ରଦେଶ କଂଗ୍ରେସ କମିଟିର ନିଷ୍ପତ୍ତିକ୍ରମେ ଦୁଇଦିନିଆ ଜିଲ୍ଲା କଂଗ୍ରେସ କମିଟି ସଭାପତି ଓ କାର୍ଯ୍ୟକାରୀ ସଭାପତିମାନଙ୍କ ଦ୍ୱିତୀୟ ଦିନର ବୈଠକ କଂଗ୍ରେସ ଭବନ ସଭାକକ୍ଷରେ ଆୟୋଜିତ ହୋଇଛି । ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ୨୩ଟି ଜିଲ୍ଲାର ଅନେକ ଗୁରୁତ୍ୱପୂର୍ଣ୍ଣ ସାଙ୍ଗଠନିକ କାର୍ଯ୍ୟକ୍ରମ ଆଲୋଚିତ ହେବା ସହ କାର୍ଯ୍ୟ ଖସଡା ହାତକୁ ନିଆଯାଇଛି । ଆଜିର ବୈଠକରେ ପ୍ରଭାରୀ ଜିତେନ୍ଦ୍ର ସିଂହଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ସଭାପତି ଓ କାର୍ଯ୍ୟକାରୀ ସଭାପତିମାନଙ୍କ ପାଇଁ କାର୍ଯ୍ୟସୂଚୀ ପ୍ରସ୍ତୁତ କରାଯାଇଛି । ପ୍ରତ୍ୟେକ କାର୍ଯ୍ୟକାରୀ ସଭାପତିମାନଙ୍କୁ ଜିଲ୍ଲାର ବିଭିନ୍ନ ବିଧାନସଭା କ୍ଷେତ୍ରର ଦାୟିତ୍ୱ ବଣ୍ଟନ କରାଯିବା ସହିତ ଜିଲ୍ଲା ସଭାପତିମାନେ ନିର୍ଦ୍ଦିଷ୍ଟ ସମୟ ଭିତରେ ଜିଲ୍ଲା କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଜିଲ୍ଲା କାର୍ଯ୍ୟାଳୟଗୁଡିକ ପ୍ରତ୍ୟହ ୬ ରୁ ୮ ଘଣ୍ଟା ଖୋଲା ରଖିବା ଓ ଜିଲ୍ଲା କାର୍ଯ୍ୟାଳୟରେ ଜଣେ କାର୍ଯ୍ୟନିର୍ବାହୀ ନିଯୁକ୍ତି ସାଙ୍ଗକୁ ରାଜ୍ୟ ଓ ଜାତୀୟ ଘଟଣା ବଦଳରେ ଆଞ୍ଚଳିକ ସମସ୍ୟା ସଂପର୍କରେ ଗଣମାଧ୍ୟମକୁ ଅବଗତ କରାଇବା, ବ୍ଲକ୍ କଂଗ୍ରେସ ସଭାପତିମାନଙ୍କୁ ପ୍ରତି ଜିଲ୍ଲା ପରିଷଦ ଜୋନ୍ର ଦାୟିତ୍ୱ ବଣ୍ଟନ କରିବା, ଜିଲ୍ଲା ଅଧୀନରେ ଥିବା ବିଭିନ୍ନ ବିଧାନସଭା କ୍ଷେତ୍ରରେ ଦଳୀୟ ସଭାର କାର୍ଯ୍ୟସୂଚୀ ଚୂଡାନ୍ତ କରି ଓଡିଶା ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ଏବଂ ଏଆଇସିସି ସଂପାଦକମାନଙ୍କୁ ଜିଲ୍ଲା କଂଗ୍ରେସର ସଭାପତିମାନେ କାର୍ଯ୍ୟସୂଚୀ ସଂପର୍କରେ ଅବଗତ କରିବା ଓ ପ୍ରତି ଜିଲ୍ଲା ଏବଂ ପିସିସିର ସାଂଗଠନିକ ଜିଲ୍ଲାମାନଙ୍କରେ ହ୍ୱାଟ୍ସଆପ୍ ଗ୍ରୁପ୍ ଗଠନ କରିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ପ୍ରାରମ୍ଭରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଉତ୍ତରୀୟ, ପୁଷ୍ପଗୁଚ୍ଛ ଓ ହାତଚିହ୍ନ ବ୍ୟାଜ୍ ଦେଇ ଜିଲ୍ଲା କଂଗ୍ରେସ ସଭାପତି ଓ କାର୍ଯ୍ୟକାରୀ ସଭାପତିଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଅଭିଷେକ ମହାନନ୍ଦ ସୋଶାଆଲ ମିଡିଆ ଉପରେ ଏକ ବିସ୍ତୃତ ବିବୃତି ଉପସ୍ଥାପନା କରିଥିଲେ ।
ଏହି ବୈଠକରେ ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳ ଏବଂ ପ୍ରଦୀପ ମାଝୀ, ଏଆଇସିସି ସଂପାଦକ ସେକ୍ ମସ୍ତାନ ଭାଲି ଓ ରୁଦ୍ର ରାଜୁ, ଯୁଗ୍ମ
ସଂପାଦକ ଆଦିତ୍ୟ ଶର୍ମା, ଉପସ୍ଥିତ ଥିବା ବେଳେ ୨୩ଟି ଜିଲ୍ଲାର ଜିଲ୍ଲା କଂଗ୍ରେସ କମିଟି ସଭାପତି ଓ କାର୍ଯ୍ୟକାରୀ ସଭାପତି ଉପସ୍ଥିତ ଥିଲେ ।