ଆଗୁଆ ପ୍ରାର୍ଥୀ ଚୟନ ଲାଗି  ଗାଇଡ ଲାଇନ ଆଣିଲା ପିସିସି

ଭୁବନେଶ୍ୱର :   ତିନି ଦିନ ଧରି ମାନସ ମନ୍ଥନ ପରେ ଟିକେଟ ବଣ୍ଟନର ଫଣ୍ଡା ପାଇଛି ରାଜ୍ୟ କଂଗ୍ରେସ । ଏନେଇ ଆଶାୟୀ ପ୍ରାର୍ଥୀଙ୍କୁ ବାଛିବାକୁ ଗାଇଡ ଲାଇନ ବି ପ୍ରସ୍ତୁତ କରିଛି ପିସିସି । ଅମାନତ ହରାଇଥିବା ପ୍ରାର୍ଥୀ ଟିକେଟ ପାଇବାର ପ୍ରଶ୍ନ ଉଠୁନାହିଁ ବୋଲି କହିଥିବା କଂଗ୍ରେସ ଆଜି ପୁଣି ଅପରାଧିକ ଦିଗ କଥା କହି ପ୍ରାର୍ଥୀ ଚୟନରେ ଆଉ ଏକ ପଏଣ୍ଟ ଯୋଡିଛି ।  ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ ଯାଇଥିଲେ ଟିକେଟ ମିଳିବ ନାହିଁ  ବୋଲି ମତ ଦେଇଛନ୍ତି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।

ଅଗଷ୍ଟ ,ଶେଷ ସଧା ୫୦ ଜଣଙ୍କ ପ୍ରାର୍ଥୀ ତାଲିକା ଘୋଷଣା କରିବାକୁ ଘୋଷଣା କରିଥିବା ଲାଗି ତିନି ଦିନ ଧରି ମାରାଥନ ବୈଠକ କରୁଛି କଂଗ୍ରେସ । ତୃତୀୟ ଦିନରେ ରାଜ୍ୟ କଂଗ୍ରେସ ମୁଖ୍ୟାଳୟରେ ବେସ୍ କିଛି ସମୟ ଧରି ରୁଦ୍ଧଦ୍ୱାର ବୈଠକ ଅନୁଷ୍ଠିତ ହୋଇଥିଲା ।ଏହି ବୈଠକରେ ଖୁବ୍ କମ ଭୋଟ ବ୍ୟବଧାନରେ ଗତ ନିର୍ବାଚନରେ ପରାଜୟ ବରଣ କରିଥିବା ନେତାଙ୍କ ସହ ପିସିସି ସଭାପତି ଓ ପ୍ରଭାରୀ ଜିତେନ୍ଦ୍ର ସିଂ ଆଲୋଚନା କରିଥିବା ବେଳେ କେଉଁ ଆଧାରରେ ପ୍ରାର୍ଥୀଙ୍କୁ ଟିକେଟ ଦିଆଯିବ ସେନେଇ ବିସ୍ତୃତ ଆଲୋଚନା ହୋଇଥିଲା । ତେବେ ବୈଠକ ପରେ ପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଗତ ନିର୍ବାଚନରେ ଅମାନତ ହରାଇଥିବା ପ୍ରାର୍ଥୀଙ୍କୁ ଟିକେଟ ମିଳିବାର ପ୍ରଶ୍ନ ଉଠୁନାହିଁ ବୋଲି ସ୍ପଷ୍ଟ କରିଛନ୍ତି । କୌଣସି ଅପରାଧୀକ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ ଯାଇଥିଲେ ମଧ୍ୟ ଟିକେଟ ମିଳିବ ନାହିଁ ବୋଲି ସେ କହିଛନ୍ତି । ତେବେ ରାଜନୈତିକ ଉଦ୍ଦେଶ୍ୟରେ ଆକ୍ରୋଶମୂଳକ ଭାବେ ଗିରଫ ହୋଇଥିଲେ ତାଙ୍କ କଥା ବିଚାରକୁ ନିଆଯାଇପାରେ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ଅନ୍ୟପଟେ ଗୋଟିଏ ପରିବାରରୁ ଏକାଧିକ ଜଣଙ୍କୁ ଟିକେଟ ଦିଆଯିବ ନାହିଁ ବୋଲି ପୂର୍ବରୁ ସୁଚନା ଦିଆଯାଇଥିବା ବେଳେ ରାଜନୀତିରେ ଥିବା ପରିବାର ପକ୍ଷରେ ଏହି ନିୟମକୁ କୋହଳ କରାଯାଇଛି । ତେବେ ଯେଉଁମାନଙ୍କର ନିଜର ଇଚ୍ଛା ଥିବ ଓ ଦଳ ସହମତ ଥିବ ସେମାନଙ୍କୁ ଟିକେଟ ଦିଆଯିବ ବୋଲି ପିସିସି ସଭାପତି ମତ ଦେଇଛନ୍ତି ।