ନୂଆଦିଲ୍ଲୀ: ୨ଦିନ ପରେ ଅର୍ଥାତ୍ ମାର୍ଚ୍ଚ ୨୦ ତାରିଖରେ ସକାଳ ସାଢ଼େ ୫ଟାରେ ଫାଶୀ ପାଇବେ ନିର୍ଭୟା ୪ ଦୋଷୀ । ଏହି ଫାଶୀ ଦିଆଯିବା ପୂର୍ବରୁ ଆଜି ପବନ ଜହ୍ଲାଦ ତିହାର ଜେଲରେ ପହଂଚିବେ ବୋଲି ଜଣାଯାଇଛି । ଏହା ପୂର୍ବରୁ ମଧ୍ୟ ସେ ତିହାର ଜେଲ ଆସିଥିଲେ ଏବଂ ଫାଶୀର ସାଂକେତିକ କାର୍ଯ୍ୟ କରିଥିଲେ ।
ପବନ ଜହ୍ଲାଦ ଉତର ପ୍ରଦେଶର ମେରଠରେ ରହନ୍ତି ଏବଂ ପୂର୍ବ ପୀଢ଼ି ମଧ୍ୟ ଏହି କାମ କରୁଥିଲେ। । ତାଙ୍କର ଦାଦା କାଲୁ ରାମ କୁଖ୍ୟାତ ଅପରାଧୀ ରାଙ୍ଗା ବିଲ୍ଲାକୁ ଫାଶୀ ଦେଇଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟାକାରୀଙ୍କୁ ବି ସେ ଫାଶୀ ଦେଇଥିଲେ । ପବନ ଦାଦା କାଲୁ ରାମଙ୍କ ସହିତ ୫ ଥର ଫାଶୀ ଦେବା ସମୟରେ ଉପସ୍ଥିତ ଥିଲେ । ନିର୍ଭୟା ଦୋଷୀଙ୍କୁ ଫାଶୀ ଦେବା ପାଇଁ ପବନ ପୂର୍ବରୁ ମଧ୍ୟ ୨ ଥର ତିହାର ଜେଲ ଆସିଥିଲେ । ପବନଙ୍କ ପରିବାର କହିଲେ ତାଙ୍କର ସ୍ତ୍ରୀ ଓ ୭ଟି ସନ୍ତାନ । ସେ ମେରଠରେ ଟାୟାର ମରାମତି କାମ କରିଥାନ୍ତି ।
ତିହାର ଜେଲ୍ ପ୍ରଶାସନ ଫାଶୀ ନେଇ ନିଜ ତରଫରୁ ପ୍ରସ୍ତୁତି ଶେଷ କରିଦେଇଛି । ତେବେ ଏହି ଫାଶୀକୁ ନେଇ ୪ ଜଣ ଦୋଷୀ ବିବ୍ରତ ଥିବା ଜଣାପଡ଼ୁ ନାହାନ୍ତି। କାରଣ ସେମାନେ ଭଲଭାବେ ଜାଣିଛନ୍ତି ଯେ ନ୍ୟାୟ ସେମାନଙ୍କ ସପକ୍ଷରେ ଯିବ ନାହିଁ । ତେଣୁ ଚିନ୍ତା କରି କିଛି ଲାଭ ନାହିଁ ବୋଲି ସେମାନେ ମନେ କରୁଥିବା ଜଣାଯାଇଛି ।