ବ୍ରିଜ ତଳକୁ ଖସିଲା ଯାତ୍ରୀବାହୀ ବସ୍; ୫ ମୃତ, ୪୦ ଆହତ

୫ ଜଣଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ସହ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ବ୍ରିଜ ତଳକୁ ଖସିଲା ଯାତ୍ରୀବାହୀ ବସ। ଏହି ଦୁର୍ଘଟଣାରେ ୫ ମୃତ ହୋଇଥିବାବେଳେ ୪୦ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ଯାଜପୁର କୁଆଖିଆ ବାରବାଟୀ ଛକ ନିକଟରେ ଘଟିଛି ଏ ଦୁର୍ଘଟଣା। ୧୬ ନମ୍ବର ଜାତୀୟ ରାଜପଥରେ ଘଟିଛି ଏ ମର୍ମନ୍ତୁଦ ଦୁର୍ଘଟଣା। ଓଭରବ୍ରିଜ୍ ତଳକୁ ଖସି ପଡ଼ିଛି ଏହି ବସ। ସମସ୍ତ ଆହତଙ୍କୁ ଯାଜପୁର ଧର୍ମଶାଳା ମେଡିକାଲରେ ଭର୍ତ୍ତି କରାଯାଇଛି। କିଛି ଯାତ୍ରୀଙ୍କ ଅବସ୍ଥା ସଂକଟାପନ୍ନ ରହିଛି।

ବସଟି ପୁରୀରୁ କୋଲକାତା ଯାଉଥିଲା କାଳିଆନନା ନାମକ ଏହି ବସ। ସୂଚନା ପାଇଁ ଘଟଣାସ୍ଥଳରେ ପହଞ୍ଚିଛି ପୋଲିସ। ଯାତ୍ରୀଙ୍କୁ ଉଦ୍ଧାର କରିବାକୁ ତୁରନ୍ତ ଆମ୍ବୁଲାନ୍ସ ଡକାଯାଇଥିଲା। ପାଖାପାଖି ୧୫ଟି ଆମ୍ବୁଲାନ୍ସ ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ମେଡିକାଲକୁ ନେଇଥିଲେ। ଦୁର୍ଘଟଣାଗ୍ରସ୍ତ ବସକୁ ଉଠାଇବାକୁ କ୍ରେନ ଆସି ପହଞ୍ଚିଛି। ଦୁର୍ଘଟଣାସ୍ଥଳରେ ଅଗ୍ନିଶମବାହିନୀ ସହ ମେଡିକାଲ ଷ୍ଟାଫ୍ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଚିକିତ୍ସା କରିଥିଲେ। ଏସପି ପହଞ୍ଚି ଉଦ୍ଧାରକାର୍ଯ୍ୟର ସମୀକ୍ଷା କରିଛନ୍ତି।

ଯାଜପୁର ସଡକ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୁଃଖ ପ୍ରକାଶ। ଶୋକସନ୍ତପ୍ତ ପରିବାରବର୍ଗକୁ ଗଭୀର ସମବେଦନା ଜଣାଇବା ସହିତ ମୃତକଙ୍କ ପରିବାର ବର୍ଗଙ୍କ ପାଇଁ ୩ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହା ସହିତ ଆହତ ବ୍ୟକ୍ତିମାନଙ୍କ ପାଇଁ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।