ଜୁଲାଇ ୧୯ରୁ ଅଗଷ୍ଟ ୧୩ ଯାଏଁ ସଂସଦର ମୌସୁମୀ ଅଧିବେଶନ

ଅଧିବେଶନରେ ସ୍ଥାନ ପାଇବ ୧୯ଟି କାର୍ଯ୍ୟଦିବସ

ନୂଆଦିଲ୍ଲୀ: ଜୁଲାଇ ୧୯ରୁ ଅଗଷ୍ଟ ୧୩ ତାରିଖ ପର୍ଯ୍ୟନ୍ତ ଲୋକସଭାରେ ମୌସୁମୀ ଅଧିବେଶନ ଅନୁଷ୍ଠିତ ହେବ ବୋଲି ଲୋକସଭା ବାଚଷ୍ପତ୍ତି ଓମ୍ ବିର୍ଲା ସୂଚନା ଦେଇଛନ୍ତି। ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଓମ୍ ବିର୍ଲା କହିଛନ୍ତି କି କରୋନା ମହାମାରୀ ସମୟରେ ସଂସଦରେ ମୋଟ ୩ଟି ବୈଠକ ଅନୁଷ୍ଠିତ ହୋଇଛି। ଏହାସହ ବହୁ ସଂଖ୍ୟାରେ ସାଂସଦ ଏହି ବୈଠକରେ ଯୋଗ ଦେଇଥିଲେ।

ଏହି ଅବସରରେ ସେ କହିଛନ୍ତି କି ନୂଆ ସଂସଦ ଭବନର କାର୍ଯ୍ୟ ୨୦୨୧ ଅକ୍ଟୋବର ମାସରେ ଶେଷ ହେବା ନେଇ ଆଶା କରାଯାଉଛି। ଏହା ସହ ୨୦୨୨ ମସିହାରେ ନୂଆ ସଂସଦ ଭବନରେ ଅଧିବେଶନ ହେବ।

କରୋନା କାଳରେ ମୌସୁମୀ ଅଧିବେଶନ ବସୁଥିବାରୁ ବିର୍ଲା କହିଛନ୍ତି କି କୋଭିଡ-୧୯ କଟକଣା ଭିତରେ ଅଧିବେଶନ କରାଯିବାକୁ ଚେଷ୍ଟା କରାଯାଉଛି। ଏହାସହ ୩୧୧ ଜଣ ସାଂସଦ କୋଭିଡ ଟିକାର ଦ୍ୱିତୀୟ ଡୋଜ ନେଇସାରିଥିବା କଥା ସେ କହିଛନ୍ତି। ଅନ୍ୟପଟେ ୨୩ ଜଣ ସାଂସଦ ଟିକା ନେଇ ନାହାନ୍ତି। ଅନ୍ୟପଟେ ସାଂସଦଙ୍କ କର୍ମଚାରୀମାନଙ୍କ ପାଇଁ ବି ସ୍ୱତନ୍ତ୍ର ଟିକାକରଣ ବ୍ୟବସ୍ଥା କରାଯାଇଥିବା କଥା ସେ କହିଛନ୍ତି।
ସଂସଦ ଅଧିବେଶନ ପୂର୍ବରୁ ଜୁଲାଇ ୧୮ ତାରିଖରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ । ଏହାସହ ସଂସଦରେ ବସିବାକୁ ଥିବା ମୌସୁମୀ ଅଧିବେଶନରେ ସବୁ ରାଜନୈତିକ ଦଳର ସାଂସଦମାନେ ସହଯୋଗ କରିବେ ବୋଲି ସେ ଆଶା କରିଛନ୍ତି ।

ସେପଟେ ବାଚଷ୍ପତ୍ତି କହିଛନ୍ତି କି ଯେଉଁ ସାଂସଦମାନେ କୋଭିଡ-୧୯ ଟିକାର ଦୁଇଟି ଖୋରାକ ନେଇଛନ୍ତି ସେମାନଙ୍କୁ ସଂସଦ ଭବନ ଭିତରେ ପଶିବା ପୂର୍ବରୁ ଆରଟିପିସିଆର ଟେଷ୍ଟ ଦେବାକୁ ପଡ଼ିବ ନାହିଁ ।

parliament monsoon session from 19th july to 13th august