ଜୁଲାଇ ୧୯ରୁ ସଂସଦର ମୌସୁମୀ ଅଧିବେଶନ

ସୁପାରିସ କଲେ ସଂସଦୀୟ ବ୍ୟାପାର କମିଟି

ନୂଆଦିଲ୍ଲୀ : ସଂସଦର ମୌସୁମୀ ଅଧିବେଶନ ଜୁଲାଇ ୧୯ରୁ ଆରମ୍ଭ ହେବ। ଏଥିଲାଗି ସଂସଦୀୟ ବ୍ୟାପାର ମନ୍ତ୍ରୀମଣ୍ଡଳ ସମିତି ସୁପାରିସ କରିଛନ୍ତି। ସଂସଦ ପରିସରରେ କୋଭିଡ-୧୯ ପ୍ରୋଟକଲର କଡାକଡି ପାଳନ ସର୍ତ୍ତରେ ଏହି ସୁପାରିସ କରାଯାଇଥିବା ବେଳେ ଅଧିବେଶନ କାଳରେ ସଂସଦକୁ ପ୍ରବେଶ କରିବାକୁ ଥିବା ପ୍ରତ୍ୟେକ ବ୍ୟକ୍ତି ଅନୁନ୍ୟ ଗୋଟିଏ ଡୋଜ କୋଭିଡ ଟିକା ନିଶ୍ଚିତ ନେଇଥିବେ ବୋଲି କୁହାଯାଉଛି।

ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ପଟେଲ ଗତମାସରେ ସଂସଦର ମୌସୁମୀ ଅଧିବେଶନ ଜୁଲାଇରେ ନିୟମିତ ସମୟରେ ହେବ ବୋଲି ଆଶାବ୍ୟକ୍ତ କରିଥିଲେ। ଜେବେଠୁ ଦେଶକୁ କରୋନା ଭାଇରସ ମହାମାରୀ ଆସିଲାଣି ସଂସଦର ପ୍ରତ୍ୟେକ ଅଧିବେଶନ ଅବଧି ହ୍ରାସ କରାଯାଇଥିଲା। ତେବେ ଅତ୍ୟାଧିକ ସଂକ୍ରମଣ କାରଣରୁ ଗତବର୍ଷର ଶୀତ ଅଧିବେଶନ ବାତିଲ ହୋଇଥିବା ବେଳେ ମୌସୁମୀ ଅଧିବେଶନ ଜୁଲାଇ ବଦଳେ ସେପ୍ଟେମ୍ବରରେ ଅନୁଷ୍ଠିତ ହୋଇଥିଲା।

ସଂସଦୀୟ କମିଟିଙ୍କ ସୁପାରିଶ ଗୃହୀତ ହେଲେ ଅଧିବେଶନ ତିଥି ଓ କାର୍ଯ୍ୟଦିବସ ସମ୍ପର୍କରେ ସଂସଦ ସଚିବଙ୍କ କାର୍ଯ୍ୟାଳୟ ସଚିତ କରିବେ। ତେବେ ଅଧିବେଶନ ଜୁଲାଇ ୧୯ରୁ ଆରମ୍ଭ ହୋଇ ଅଗଷ୍ଟ ୧୩ ତାରିଖରେ ସମାପ୍ତ ହେବ ବୋଲି ଆକଳନ କରାଯାଉଛି। କଂଗ୍ରେସ ରାଜ୍ୟସଭା ସାଂସଦ ଶକ୍ତିସିଂହ ଗୋହିଲ ମଧ୍ୟ ଏତ ଟ୍ୱିଟ୍‌ ବାର୍ତ୍ତାରେ ଏହି ଆକଳନ କରିଛନ୍ତି।

parliament monsoon season from july 19th