“ପରୀକ୍ଷା ପେ’ ଚର୍ଚ୍ଚା” କାର୍ଯ୍ୟକ୍ରମ: ଭାଗ ନେବେ ଓଡ଼ିଶା ଛାତ୍ରଛାତ୍ରୀ

ଭୁବନେଶ୍ୱର: ସୋମବାର ଦିଲ୍ଲୀର ତାଲକୋତରା ଷ୍ଟାଡିୟମରେ “ପରୀକ୍ଷା ପେ’ ଚର୍ଚ୍ଚା” କାର୍ଯ୍ୟକ୍ରମରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିରେ ପ୍ରଧାନମନ୍ତ୍ରୀ ମୋଦି ଛାତ୍ରଛାତ୍ରୀ, ଶିକ୍ଷକ ଓ ଶିକ୍ଷୟିତ୍ରୀ ଏବଂ ଅଭିଭାବକମାନଙ୍କ ସହ ଆଲୋଚନା କରିବେ । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ମଧ୍ୟ ଭାଗ ନେବେ । ସେଥିପାଇଁ ବ୍ୟାପକ ପ୍ରଚାରପ୍ରସାର କରିବାକୁ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ (ଓସେପା)କର୍ତୃପକ୍ଷ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ଜିଲ୍ଲା ପ୍ରକଳ୍ପ ସଂଯୋଜକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଜାନୁଆରି ୨୦, ପୂର୍ବାହ୍ନ ୧୧ଟାରେ ପ୍ରସାରିତ ହେବାକୁ ଥିବା ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ ସମ୍ପର୍କିତ ଷ୍ଟାଣ୍ଡିଂ ଓ ବ୍ୟାନର୍‌ ପ୍ରତ୍ୟେକ ସ୍କୁଲର ୱେବ୍‌ସାଇଟ୍‌ ଏବଂ ସ୍କୁଲରେ ‌ଲଗାଇବାକୁ କୁହାଯାଇଛି।

ପ୍ରତ୍ୟେକ ପରୀକ୍ଷାର୍ଥୀ ପରୀକ୍ଷା ପୂର୍ବରୁ ମାନସିକ ରୂପେ କିଭଳି ଦ୍ବନ୍ଦ୍ବମୁକ୍ତ ହେ‌େବ ସେନେଇ ପ୍ରଧାନମନ୍ତ୍ରୀ ମୋଦୀ ଛାତ୍ରମାନଙ୍କୁ ଗୁରୁମନ୍ତ୍ର ଦେବା ସହିତ ସିଧାସଳଖ କଥା ବାର୍ତା କରିବେ। ଗତବର୍ଷ ତୁଳନାରେ ଏଥର ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କୁ ଅଧିକ ସଂଖ୍ୟାରେ ଛାତ୍ରଛାତ୍ରୀ ମାନେ ପ୍ରଶ୍ନ ପଚାରିବାର ସୁଯୋଗ ପାଇବେ। ପୂର୍ବର ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କୁ ୧୫ ଜଣ ଛାତ୍ରଛାତ୍ରୀଙ୍କ ଦ୍ବାରା ପ୍ରଶ୍ନ ପଚାରାଯାଇଥିବା ବେଳେ ଏଥର ପାଖାପାଖି ୬୦ ଜଣ ଛାତ୍ରଛାତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିବାର ସୁଯୋଗ ପାଇବେ। ବିଦେଶରେ ରହି ପାଠ ପଢୁଥିବା ଭାରତୀୟ ଛାତ୍ରଛାତ୍ରୀମାନଙ୍କର ପ୍ରଶ୍ନଗୁଡ଼ିକୁ ମଧ୍ୟ ସାମିଲ କରାଯିବ। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ଚଳିତ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ୫୦ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ସାମିଲ ହେବେ ଏବଂ ସେମାନଙ୍କୁ ପ୍ରଧାମନନ୍ତ୍ରୀଙ୍କ ସହିତ କଥା ବାର୍ତା ହେବାର ସୁଯୋଗ ମିଳିବ। ଏହି କାର୍ଯ୍ୟକ୍ରମକୁ ଦେଶର ୧୫ ଲକ୍ଷ ସ୍କୁଲ ମାନଙ୍କରେ ସିଧା ପ୍ରସାରଣ କରାଯିବ, ଯାହାଦ୍ବାରା ପାଖାପାଖି ୧୫ କୋଟି ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମକୁ ଦେଖିପାରିବେ।