ଗୋଟିଏ ଘରୁ ୩ ମୃତଦେହ ଉଦ୍ଧାର

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଅନ୍ତର୍ଗତ ପାଲିଆ ଛତ୍ରପୁର ଗାଁରେ ଚାଂଚଲ୍ୟ । ଗାଁର ମଝି ସାହିର ଗୋଟିଏ ଘରୁ ତିନୋଟି ମୃତ ଦେହ ଉଦ୍ଧାର । ଆଜି ସକାଳ ସମୟରେ ବାପା, ମାଆ ଓ ଝିଅଙ୍କ ୩ଟି ମୃତଦେହ ପଡିଥିବାର ଦେଖିବାକୁ ପାଇଥିଲେ ଗ୍ରାମବାସୀ । ମୃତକ ହେଲେ ବୃନ୍ଦାବନ ବେହେରା, ସ୍ତ୍ରୀ ଉର୍ମିଳା ଓ ଝିଅ ସୁନୀତା ।

ବୃନ୍ଦାବନଙ୍କ ସ୍ତ୍ରୀ ଓ ଯୁକ୍ତ ୨ରେ ପାଠ ପଢୁଥିବା ଝିଅ ସୁନୀତାଙ୍କ ମୃତଦେହ ପ୍ରଥମ ଘରେ ପଡିଥିବାବେଳେ, ବୃନ୍ଦାବନଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ସେପଟେ, ଘଟଣାସ୍ଥଳରେ ଆରକ୍ଷୀ ଅଧ୍ୟକ୍ଷକ ବ୍ରିଜେଶ କୁମାର ରାୟ ସମେତ ପୋଲିସର ବରିଷ୍ଠ ଅଧିକାରୀମାନେ ପହଂଚି ଘଟଣାର ତଦନ୍ତ କରୁଛନ୍ତି । ବୃନ୍ଦାବନ ନିଜର ପତ୍ନୀ ଓ ଝିଅକୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ହେଲେ ସେ ଏପରି କାହିଁକି କଲେ ତାହା ପୋଲିସର ତଦନ୍ତ ପରେ ଜଣାପଡିବ ।