ପାର୍ବତୀଗିରି ବୃହତ୍ତ ଉଠା ଜଳସେଚନ ପ୍ରକଳ୍ପ ଉଦ୍‌ଘାଟିତ

ଭୁବନେଶ୍ୱର: ପାର୍ବତୀଗିରି ବୃହତ୍ତ ଜଳସେଚନ ପ୍ରକଳ୍ପର ଉଦ୍‌ଘାଟନ ହୋଇଛି । ସଚିବାଳୟରେ ଭିଡିଓ କନଫରେନ୍ସିଂରେ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ପ୍ରକଳ୍ପ ଅଧୀନରେ ଥିବା ୯ଟି ଜିଲ୍ଲାର ୪୧ଟି ପଏଣ୍ଟର ଲୋକାର୍ପିତ ହୋଇଛି ।  ଏହି ଉଠା ଜଳସେଚନ ପ୍ରକଳ୍ପ ମାଧ୍ୟମରେ ୯ଟି ଜିଲ୍ଲାର ୫୦ ହଜାର ୨୨ ହେକ୍ଟର ଜମିରେ ଜଳ ସେଚନର ସୁବିଧା ଉପଲବ୍ଧ ହୋଇପାରିବ ।

ପ୍ରକଳ୍ପ ନିର୍ମାଣରେ ଖର୍ଚ୍ଚ ହୋଇଛି ୧୧୭୨ କୋଟି ଟଙ୍କା  । ପାର୍ବତୀଗିରି ମେଗା ପ୍ରକଳ୍ପ ଜରିଆରେ ରାଜ୍ୟର ୨୩ଟି ଜିଲ୍ଲାରେ ୧୯୯ଟି ଯୋଜନା ଅଧିନରେ ୨ ଲକ୍ଷ ୮୬ ହଜାର ହେକ୍ଟରରୁ ଅଧିକ ଜମିରେ ଜଳସେଚନ ସୁବିଧା ପାଇଁ ଲକ୍ଷ୍ୟ ରଖାଯାଇଛି । ୨୦୧୯ ସୁଦ୍ଧା ଅଧିକ ୧୦ ଲକ୍ଷ ହେକ୍ଟର ଜମିକୁ ଜଳସେଚନ ସୁବିଧା ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ମାର୍ଚ୍ଚ ସୁଦ୍ଧା ୮୦ଟି ପ୍ରକଳ୍ପ ଜରିଆରେ ୧ ଲକ୍ଷ ହେକ୍ଟର ଜମିକୁ ଜଳ ଯୋଗାଇଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଉଦଘାଟନୀ ଅବସରରେ ସୂଚନା ଦେଇଛନ୍ତି ।

ଏହି ପ୍ରକଳ୍ପରେ ୪୧ଟି ପଏଣ୍ଟ ଉଦ୍ଘାଟିତ ହୋଇଛି ଓ ଏହାଦ୍ୱାରା ୫୦ ହଜାର ହେକ୍ଟରରୁ ଅଧିକ ଜମିକୁ ଜଳସେଚନର ସୁବିଧା ମିଳିପାରିବ । ଏହି ଅବସରରେ ବିଭିନ୍ନ ପ୍ରକଳ୍ପ ସ୍ଥାନରେ ସମବେତ ଜନତାଙ୍କୁ ମୁଖ୍ୟମନ୍ତ୍ରୀ କହିଲେ ଯେ, କୃଷିର ବିକାଶରେ ଜଳସେଚନର ଭୂମିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ୨୦୧୯ ସୁଦ୍ଧା ଅଧିକ ୧୦ ଲକ୍ଷ ହେକ୍ଟର ଜମିକୁ ଜଳସେଚନ ସୁବିଧା ଯୋଗାଇ ଦେବା ପାଇଁ ସେ ପ୍ରତିଶ୍ରୁତି ଦେଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୭ ଲକ୍ଷ ହେକ୍ଟରରୁ ଅଧିକ ଜମିରେ ଜଳଯୋଗାଣର ସୁବିଧା କରାଯାଇପାରିଛି । ଅନ୍ୟାନ୍ୟ କାର୍ଯ୍ୟକ୍ରମ ଜରିଆରେ ଖୁବଶୀଘ୍ର ଆଉ ୩ ଲକ୍ଷ ହେକ୍ଟରରୁ ଅଧିକ ଜମିରେ ଜଳସେଚନର ସୁବିଧା କରାଯିବ । ରାଜ୍ୟର ଉଚ୍ଚା ଜମି ଅଞ୍ଚଳରେ ପାର୍ବତୀଗିରି ମେଗା ଲିଫ୍ଟ ଜଳସେଚନ ବହୁତ ଲୋକପ୍ରିୟ ହୋଇପାରିଛି । ତେଣୁ ଅଧିକ ଚାଷୀ ଯେପରି ଏହି ସୁବିଧା ପାଇପାରିବେ ସେଥିପାଇଁ ରାଜ୍ୟ ସରକାର ତାଙ୍କର ଉଦ୍ୟମ ଜାରି ରଖିବେ । ଏଥିପାଇଁ ଆଗାମୀ ୫ ବର୍ଷରେ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ବିରୋଧୀ ଦଳ ନେତା ନରସିଂହ ମିଶ୍ର ଜଳସେଚନ ପାଇଁ ରାଜ୍ୟ ସରକାର ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାକୁ ପାଳନ କରିଥିବାରୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ । ତେବେ ତୃଣମୂଳ ସ୍ତରରେ ଏହି ପ୍ରକଳ୍ପଗୁଡ଼ିକର ଉପଯୁକ୍ତ ତଦାରଖ ଦିଗରେ ମୁଖ୍ୟମନ୍ତ୍ରୀ ଧ୍ୟାନ ଦେବେ ବୋଲି ସେ ଆଶା ପ୍ରକାଶ କରିଥିଲେ । ବଲାଙ୍ଗିର ଜିଲ୍ଲାରେ ଯେପରି ଅଧିକ ଜମିରେ ଜଳସେଚନ ସୁବିଧାର ବିକାଶ ହୋଇପାରିବ ସେ ଦିଗରେ ପଦକ୍ଷେପ ନେବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ସୂଚନାଯୋଗ୍ୟ, ପାର୍ବତୀଗିରି ଲିଫ୍ଟ ଜଳସେଚନ ପ୍ରକଳ୍ପ ଜରିଆରେ ରାଜ୍ୟର ୨୩ଟି ଜିଲ୍ଲାରେ ୧୯୯ଟି ଯୋଜନା ଅଧୀନରେ ୨ଲକ୍ଷ ୮୬ ହଜାର ହେକ୍ଟରରୁ ଅଧିକ ଜମିରେ ଜଳସେଚନ ସୁବିଧା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଉଦ୍ଘାଟିତ ହୋଇଥିବା ୪୧ଟି ମେଗା ଲିଫ୍ଟ ପ୍ରକଳ୍ପ ଦ୍ୱାରା ୯ଟି ଜିଲ୍ଲାରେ ୫୦,୦୨୨ ହେକ୍ଟର ଜମିରେ ଜଳସେଚନ ସୁବିଧା ମିଳିପାରିଛି । ଏହି ଜିଲ୍ଲାଗୁଡ଼ିକ ହେଲା ଗଜପତି, କଳାହାଣ୍ଡି, ନବରଙ୍ଗପୁର, ବରଗଡ଼, ବଲାଙ୍ଗିର, ଝାରସୁଗୁଡ଼ା, ସମ୍ବଲପୁର, ବୌଦ୍ଧ ଓ ସୁବର୍ଣ୍ଣପୁର । ୨୦୧୯ ମାର୍ଚ୍ଚ ସୁଦ୍ଧା ଏହି ମେଗା ଲିଫ୍ଟ କାର୍ଯ୍ୟକ୍ରମ ଅଧୀନରେ ଆହୁରି ୮୦ଟି ପ୍ରକଳ୍ପ ଜରିଆରେ ୧ ଲକ୍ଷ ହେକ୍ଟର ଜମିରେ ଜଳସେଚନର ସୁବିଧା ଦିଆଯିବ ।
ମୁଖ୍ୟମନ୍ତ୍ରୀ ଭିଡିଓ କନ୍ଫରେନ୍ସିଂ ଜରିଆରେ ବିଭିନ୍ନ ସ୍ଥାନରେ ଉପସ୍ଥିତ ଥିବା ଚାଷୀମାନଙ୍କ ସହ ମତ ବିନିମୟ କରିଥିଲେ । ଏହି ଅବସରରେ ପାର୍ବତୀଗିରି ମେଗା ଲିଫ୍ଟ ଜଳସେଚନ ପ୍ରକଳ୍ପ ସମ୍ବନ୍ଧରେ ବିଭିନ୍ନ ତଥ୍ୟ ସମ୍ବଳିତ ଏକ ପୁସ୍ତକକୁ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଥିଲେ । ଚିଫ୍ ଇଞ୍ଜିନିୟିର, ମେଗାଲିଫ୍ଟ କାର୍ଯ୍ୟାଳୟର କର୍ମଚାରୀମାନେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦେଢ଼ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା, କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ, ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର, ଜଳସଂପଦ ବିଭାଗ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢ଼ୀ, କୃଷି ଉତ୍ପାଦନ କମିଶନର, ଅର୍ଥ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଜଳସେଚନ ବିଭାଗ ପ୍ରମୁଖ ସଚିବ ଓ ଅନ୍ୟାନ୍ୟ ବିଭାଗର ପ୍ରମୁଖ ସଚିବ ଓ ସଚିବମାନେ ଉପସ୍ଥିତ ଥିଲେ ।