ନୂତନ ରେକର୍ଡ : ପାରାଦୀପ ବନ୍ଦରରେ ୨୪ ଘଣ୍ଟାରେ ଲାଗିଲା ୨୭ ଜାହାଜ

ପାରାଦୀପ : ୨୭ଟି ଜାହାଜରୁ ପଣ୍ୟ ଖଲାସ ଓ ବୋଝେଇ କରାଯିବା ଫଳରେ ଏକ ନୂତନ ରେକର୍ଡ ସୃଷ୍ଟି ହୋଇଛି । ପୂର୍ବରୁ ୨୪ ଘଣ୍ଟା ମଧ୍ୟରେ ୨୪ଟି ଜାହାଜରୁ ପଣ୍ୟ ଖଲାସ୍ ଓ ବୋଝେଇ କରି ହୋଇଥିବା ରେକର୍ଡ ଆଜି ଭଙ୍ଗ ହୋଇଛି । ୧୦୦ ମିଲୟନ ମେଟ୍ରିକ୍ ଟନ୍ ପଣ୍ୟ କାରବାର କରି ବନ୍ଦର ଦେଶରେ ଏକ ନୂତନ ରେକର୍ଡ ସୃଷ୍ଟି କରିଥିଲା । ଏହି ପରିମାଣ ଆଗକୁ ଆହୁରି ବଢ଼ିବ ବୋଲି ବନ୍ଦର କର୍ତ୍ତୃପକ୍ଷ ଆଶାପୋଷଣ କରିଥିଲେ । ଗତକାଲିର ଏହି ନୂଆ ରେକର୍ଡ ଆଗାମୀ ଦିନରେ ପାରାଦୀପ ବନ୍ଦରକୁ ଦେଶର ଏକ ନମ୍ବର ବନ୍ଦରରେ ପରିଣତ କରିବାକୁ ବାଟ ଖୋଲୁଛି ବୋଲି କୁହାଯାଉଛି । ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରଏ ଗତକାଲିର ଏହି ନୂଆ ରେକର୍ଡ ପାଇଁ ବନ୍ଦରର ସମସ୍ତ କର୍ମଚାରୀ, ଅଧିକାରୀ ଏବଂ ଷ୍ଟିଭେଡରିଂ ସଂସ୍ଥା ଓ ଏଥିରେ ନିୟୋଜିତ ସମସ୍ତ କର୍ମଚାରୀଙ୍କୁ ପ୍ରଶଂସା କରିଛନ୍ତି ।