ଫୁସୁରୀ ଗଲା ଦଳ ଗଢା : ନୂଆ ପାର୍ଟି ନୁହେଁ, ସମତାକ୍ରାନ୍ତି ଦଳରେ ମିଶିଲେ ପାରାଦୀପ ବିଧାୟକ ଦାମୋଦର ରାଉତ

ଭୁବନେଶ୍ୱର : ବିଜେଡିରୁ ତଡା ଖାଇବା ପରେ ବିଜୁଙ୍କ ନଆଂ ନେଇ ରାଇଜ ସାରା ବୁଳୁଛନ୍ତି ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତ । ସରକ୍ରାହ୍କ ଦୁର୍ନୀତି ମୁଖା ଖୋଲିବେ ବୋଲି କହି କହି ବିଭିନ୍ନ ଜିଲ୍ଲାରେ ସଭା ବି କରୁଛନ୍ତି । ବିଜେଡି ନେତା ଓ ମନ୍ତ୍ରୀଙ୍କୁ ଟାର୍ଗେଟ କରି ଭାଷଣ ଦେଉଛନ୍ତି , ସରକାରଙ୍କୁ ସମାଲୋଚନା ବି କରିଛନ୍ତି । ଆଗକୁ ନିଜେ ଦଳ ଗଢି ବିଜେଡି ଓ ନବୀନଙ୍କୁ ନିର୍ବାଚନରେ ପାନେ ଦେବେ ବୋଲି କହୁଥିଲେ । ହେଲେ ଆରମ୍ଭରୁ ତାହା ଫୁସୁରିଯାିଥିବା ଚର୍ଚ୍ଚା ହେଉଛି ।

ବିଜୁଙ୍କ ନାଁରେ ନୂଆ ଦଳ ଗଢିବେ ବୋଲି ପୂର୍ବରୁ ଘୋଷଣା କରିଥିବା ବିଧାୟକ ଦାମୋଦର ରାଉତ କିନ୍ତୁ ନିଜେ ଦଳ ଗଢିବାକୁ ସାହସ କରି ନାହାନ୍ତି । ବରଂ ସମତାକାନ୍ତି ଦଳରେ ମିଶିଯାିଛନ୍ତି ଦାମ ବାବୁ । ସମତାକ୍ରାନ୍ତି ଦଳରେ ଦାମ ବାବୁଙ୍କୁ ସମତାକ୍ରାନ୍ତି ଦଳରେ ପ୍ରଚାର ଓ ପ୍ରସାର ଦାୟିତ୍ୱ ମିଳିଛି । ଏହା ସହ ସମତା କ୍ରାନ୍ତି ଦଳର ନାଁ ରେ ବିଜୁ ଶଦ୍ଦ ଯୋଡି ବିଜୁ ସମତାକ୍ରାନ୍ତି ଦଳ କରିବାକୁ ଦାମ ବାବୁ କୁଆଡେ ପରାମଶ୍ୟ ଦେଇଛନ୍ତି ଆଉ ଏହି ପ୍ରସ୍ତବ ସମତାକ୍ରାନ୍ତି ଦଳରେ ସର୍ବସମ୍ମତି ଭାବେ ଗୃହିତ ହୋଇଛି ବୋଲି ସୂଚନା ଦେଇଛନ୍ତି ସମତାକ୍ରାନ୍ତି ଦଳର ମୁଖିଆ ବ୍ରଜ କିଶୋର ତ୍ରୀପାଠୀ ।

ବିଜେଡିରୁ ବହିସ୍କୃତ ନେତା ଡାକ୍ତର ଦାମୋଦର ରାଉତ ପୂର୍ବତନ ସାଂସଦ ବ୍ରଜ ତ୍ରିପାଠୀଙ୍କ ନେତୃତ୍ୱାଧୀନ ସମତାକ୍ରାନ୍ତି ଦଳରେ ଯୋଗ ଦେଇଥିବା ବିଧିବଦ୍ଧ ଭାବେ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ଜ୍ଝ ହୋଟେଲ କଳିଙ୍ଗ ଅଶୋକ ଠାରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ବ୍ରଜ କିଶୋର ତ୍ରିପାଠୀ, ଯାଗ୍ୟେଶ୍ୱର ବାବୁ, ଯୁବ ସମତା ସଭାପତି ଇଂଜିନିୟର ସାରଦା ପ୍ରସାଦ ସ୍ୱାଇଁ, କୃଷକ ସମତା ସଭାପତି ପ୍ରଭାସ ସାମନ୍ତରା ପ୍ରମୁଖ ଉପସ୍ଥିତ ଥିଲେ ଜ୍ଝ
ହେଲେ ସମତା କ୍ରାନ୍ତି ଦଳରେ ମିଶିଥିବା ନେଇ ସୂଚନା ଦିଆଯାଇଥିଲେ ବି ଏହା ଦାମ ବାବୁଙ୍କ ନୂଆ ଦଳ ବୋଲି ସେ ଦାବି କରିଛନ୍ତି । ତାଙ୍କ ନୂଆ ଦଳର ନାଁ ବିଜୁ ସମତା କ୍ରାନ୍ତି ଦଳ ରହିବ ବୋଲି ଗଣମାଧ୍ୟମକୁ ଜଣାଇଛନ୍ତି ଦାମ । ନିଜକୁ ବିଜୁ ଅନୁଗତ କହି ଆସୁଥିବା ଦାମ ବିଜୁଙ୍କ ନାମ ଅନୁସାରେ ଦଳ ଗଠନ କରିଛନ୍ତି।

ଡା.ରାଉତ ଓ ବ୍ରଜ କିଶୋର ତ୍ରିପାଠୀ ମିଳିତ ଭାବେ ଏ ନେଇ ପ୍ରେସ ଇସ୍ତାହାର ଜାରି କରିଛନ୍ତି। ଏଥିରେ ଓଡ଼ିଶାବାସୀଙ୍କୁ ଏକ ରାଜନୈତିକ ବିକଳ୍ପ ଦେବା ଲାଗି ଏହା ଏକ ଉଦ୍ୟମ ବୋଲି କୁହାଯାଇଛି। ଦାମ ଅଭିଯୋଗ କରିଛନ୍ତି କି ବିଜେଡି ଶାସନର ବିଷବଳୟରେ ଓଡ଼ିଶାବାସୀ ଅଣନିଶ୍ବାସୀ ହୋଇପଡ଼ିଛନ୍ତି। ସେମାନଙ୍କୁ ବିକଳ୍ପ ଲୋଡ଼ା।

ଧରା ଦେଲେନି ଜୟ, ଶରତ ଓ ପଂଚାନନ

ଡାକ୍ତର ରାଉତ ନିଜେ ଓ ସମତାକ୍ରାନ୍ତି ଦଳର ନେତା ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀଙ୍କୁ ଛାଡ଼ିଦେଲେ ଆଉ କେହି ଆଗ ଧାଡ଼ିର ଜଣାଶୁଣା ଟାଣୁଆ ନେତା ସାମିଲ ହୋଇନାହାଁନ୍ତି । ଯେଉଁମାନଙ୍କ ନାଁ ଚର୍ଚ୍ଚା ହେଉଥିଲା ସେମାନଙ୍କ ଭିତରୁ ଶ୍ରୀ ତ୍ରିପାଠୀଙ୍କୁ ଛାଡ଼ିଦେଲେ ଆଉ କେହି ସାମିଲ ହେଲେନାହିଁ । ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା, ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ ସମ୍ପୂର୍ଣ୍ଣ ଦୂରେଇ ରହିଲେ । ଏପରି କି ବିଧାୟକ ଦିଲ୍ଲୀପ ରାୟ ଓ ବରିଷ୍ଠ ନେତା ବିଜୟ ମହାପାତ୍ର ମଧ୍ୟ ଧରାଛୁଆ ଦେଲେନି ।

ସବୁ ବିଜୁ ଅନୁଗାମୀମାନଙ୍କୁ ନେଇ ନୂଆ ଆଂଚଳିକ ଦଳ ଗଢ଼ିବେ ବୋଲି ଡାକ୍ତର ରାଉତ ଘୋଷଣା କରିଥିଲେ । ବିଭିନ୍ନ ସମୟରେ ନେତାମାନଙ୍କ ନାଁ ମଧ୍ୟ ସେ ସୂଚନା ଦେଉଥିଲେ । ସେମାନଙ୍କ ସହ ଆଲୋଚନା କରିଥିବା କଥା ମଧ୍ୟ କହୁଥିଲେ । ହେଲେ ଶେଷ ବେଳକୁ କେହି ତାଙ୍କୁ ଧରାଛୁଆଁ ଦେଲେନାହିଁ । ଏପରିକି ବିଜେଡିରେ ଅବହେଳିତ ହୋଇଥିବା ଶରତ କର ଓ କଂଗ୍ରେସରେ ଅବହେଳିତ ହୋଇ ରହିଥିବା କମଳା ଦାସ, ବିଜେପିରେ ଅବହେଳିତ ହୋଇ ରହିଥିବା ରାମକୃଷ୍ଣ ପଟ୍ଟନାୟଙ୍କ ଭଳି ବିଜୁ ଅନୁଗତମାନେ ଆସିଲେନାହିଁ । କିନ୍ତୁ ଡାକ୍ତର ରାଉତ ପ୍ରଥମରୁ କହୁଥିଲେ ବିଜୟ ମହାପାତ୍ରଙ୍କ ସହ ସେ ଏକାଧିକବାର କଥା ହୋଇଛନ୍ତି । ହେଲେ ସେ ତାଙ୍କୁ ଧରାଛୁଆଁ ଦେଉ ନ ଥିବା କଥା ଡାକ୍ତର ରାଉତ କହୁଥିଲେ । ମାତ୍ର ବୈଜୟନ୍ତ ତାଙ୍କ ସହ ଥିବା କଥା ସେ ସୂଚନା ଦେଉଥିଲେ । କୁହାଯାଉଥିଲା ଅନ୍ୟ କେହି ନ ମିଶିଲେ ମଧ୍ୟ ବୈଜୟନ୍ତ ନିଶ୍ଚିତ ଡାକ୍ତର ରାଉତଙ୍କ ସହ ରହିବେ । ମାତ୍ର ତାହା ହେଲାନାହିଁ । ନୂଆ ଦଳ ଗଠନ ବେଳେ ଯେଉଁ ମାହୋଲ ସୃଷ୍ଟି ହେବା କଥା ଓ ଯେଉଁ ଧାରଣା ଲୋକଙ୍କ ମନରେ ଆସିବା କଥା ତାହା ଆସିପାରିଲାନାହିଁ । କେବଳ ନୂଆ ଦଳ ଗଠନ ଓ ନାଁ ଘୋଷଣା ବ୍ୟତୀତ ଆଉ କିଛି ଆଖି ଦୃଶିଆ କାର‌୍ୟ୍ୟ ହେଲାନାହିଁ । ଡାକ୍ତର ରାଉତଙ୍କୁ ଶେଷରେ ନିରାଶ ହେବାକୁ ପଡ଼ିଲା ।