କ୍ଷମା ମାଗିଲେ ପପୁ, କହିଲେ ଦୌଡରାଣୀ

ଭୁବନେଶ୍ୱର:  ବିବାଦୀୟ ଫିଲ୍ମ ପୋଷ୍ଟର ପାଇଁ ବିବାଦ ଘେରରେ ଫସିଯାଇଛନ୍ତି ଅଭିନେତା ପପୁ ପମ୍ ପମ୍ । ଦୌଡରାଣୀ ଦୂତୀଙ୍କ ଅଭିଯୋଗ ପରେ ପୋଷ୍ଟର ନେଇ ମୁଁ ଅବଗତ ନଥିବା ଜଣାଇଥିଲେ ପପୁ । ପରେ ଦୂତୀଙ୍କ ବ୍ୟକ୍ତିଗତ ଜୀବନକୁ ପ୍ରଶ୍ନ ଉଠାଇଥିଲେ ବୋଲି ଅଭିଯୋଗ ଆଣିଥିଲେ ନିଜେ ଦୂତୀ । ପପୁଙ୍କ ବିରୁଦ୍ଧରେ ମାନହାନି ମାମଲା ରୁଜୁ କରିବେ ବୋଲି ଚେତାବନୀ ମଧ୍ୟ ଦେଇଥିଲେ ଦୂତୀ ।

କିନ୍ତୁ ବର୍ତ୍ତମାନ ଦୂତୀ ନିଜ ଅଭିଯୋଗ ଫେରାଇ ନେଇ ପପୁଙ୍କୁ କ୍ଷମା କରିଦେଇଛନ୍ତି । ଏହା ପଛର କାରଣ ହେଲା ପପୁ ଫୋନ କରି ଦୂତୀଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି ବୋଲି କହିଛନ୍ତି ଦୌଡରାଣୀ । ଏହାପରେ ଦୂତୀ କ୍ଷମା ମଧ୍ୟ କରିଦେଇଛନ୍ତି । ତେବେ ଯଦି ଆଗକୁ ପୁଣି ନାରୀଙ୍କୁ ଅସମ୍ମାନିତ କରାଯାଇ ଫିଲ୍ମ ନିର୍ମାଣ ହେଲା ତେବେ ସେ ନିଶ୍ଚୟ ବିରୋଧ କରିବେ ବୋଲି ଇଟିଭି ଭାରତକୁ ଫୋନ ମାଧ୍ୟମରେ କହିଛନ୍ତି ।

ପ୍ରକାଶ ଥାଉକି, ପପୁଙ୍କ ଆଗାମୀ ଫିଲ୍ମ ମିଷ୍ଟର କହ୍ନେୟାର ପୋଷ୍ଟରକୁ ନେଇ ବିବାଦ ଆରମ୍ଭ ହୋଇଥିଲା । ପୋଷ୍ଟରରେ ନାରୀଙ୍କୁ ଅସମ୍ମାନ କରାଯାଇଥିବାର ଅଭିଯୋଗ ହୋଇଥିଲା ।