ଦେଖନ୍ତୁ ଭିଡିଓ, ମିଷ୍ଟର କହ୍ନେୟା ପୋଷ୍ଟର ବିବାଦରେ କଣ ସଫେଇ ଦେଉଛନ୍ତି ପପୁ ପମ୍ ପମ୍…

ଭୁବନେଶ୍ବର :  ପପୁଙ୍କ ଫିଲ୍ମର ପୋଷ୍ଟର ନେଇ ବିବାଦ ପରେ ଫିଲ୍ମର ପ୍ରଡକ୍ସନ ହାଉସ୍ ସିଦ୍ଧାର୍ଥ ମ୍ୟୁଜିକ ଏବଂ ନିଜେ ଅଭିନେତା ପପୁ ପମପମ  ନିଜ ଆଡୁ ସ୍ପଷ୍ଟୀକରଣ ଦେଇଛନ୍ତି ।  ମିଷ୍ଟର କହ୍ନେୟା ଫିଲ୍ମର ଅରୁଚିକର ପୋଷ୍ଟର ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହାକୁ ନେଇ ବିଭିନ୍ନ ମହଲରୁ ସମାଲୋଚନା ହୋଇଥିଲା । ଏପରିକି ଏନେଇ ଥାନାରେ ଏତଲା ଦିଆଯିବା  ପରେ ପ୍ରଯୋଜନା ସଂସ୍ଥା ଏବଂ ଅଭିନେତା ପପୁଙ୍କ ଅଡୁଆ ବଢ଼ିଥିଲା।  ଏ ବାବଦରେ  ସ୍ପଷ୍ଟୀକରଣ ଦେଇ  ପପୁ କହିଛନ୍ତି ଯେ କିଏ ଏହି ପୋଷ୍ଟର ତିଆରି କଲା ସେମାନଙ୍କୁ ଚିହ୍ନଟ କରାଯାଉ।  ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ।  ତାଙ୍କ ପାଖକୁ ଏହି ଫଟୋ  ଆସିବା ପରେ  ସେ ତାଙ୍କ ହ୍ବାଟସ ଅପ ପେଜ୍ ରେ  ଏହି ଫଟୋକୁ ସ୍ଥାନ ଦେଇଥିଲେ ସତ କିନ୍ତୁ ପରେ ସେ ଏହାକୁ ହଟାଇଦେଇଥିଲେ।  ସେପଟେ    ସିଦ୍ଧାର୍ଥ ମ୍ୟୁଜିକ କହିଛି, ଭାଇରାଲ୍ ପୋଷ୍ଟର ସହ ଫିଲ୍ମ ବିଷୟବସ୍ତୁର କୌଣସି ସଂପର୍କ ନାହିଁ ।  ଫିଲ୍ମରେ ପପୁ ଜଣେ ଝିଅଙ୍କୁ ଭଲ ପାଉଛନ୍ତି ୭ଜଣଙ୍କୁ ନୁହେଁ ।  

ଫିଲ୍ମରେ ପପୁଙ୍କ ଚରିତ୍ର ଜଣେ ସାହାଯ୍ୟକାରୀ ବ୍ୟକ୍ତି ଭାବରେ ଦର୍ଶାଯାଇଛି ।  ଯେଉଁଥିରେ ସେ ମହିଳାଙ୍କୁ ସମ୍ମାନ କରୁଛନ୍ତି ଏବଂ ସାହାଯ୍ୟ କରୁଛନ୍ତି ।  ତେଣୁ ଏପ୍ରକାର ଭ୍ରାନ୍ତିମୂଳକ ପୋଷ୍ଟର ପ୍ରତି ଧ୍ୟାନ ନଦେବାକୁ ଦର୍ଶକଙ୍କୁ ଅନୁରୋଧ କରିଛନ୍ତି ସିଦ୍ଧାର୍ଥ ମ୍ୟୁଜିକ ।  ତେବେ ପ୍ରଶ୍ନ ଉଠୁଛି  ଏପ୍ରକାର ପୋଷ୍ଟର କିଏ ଏବଂ କେଉଁ ଉଦ୍ଦେଶ୍ୟରେ ଭାଇରାଲ କରିଛି ।  ନେଗେଟିଭ୍ କ୍ୟାମ୍ପେନିଂ ଜରିଆରେ ଫିଲ୍ମର ପ୍ରମୋସନ କରିବାକୁ ଉଦ୍ୟମ କରଯାଇଥିଲା କି । ସେନେଇ ମଧ୍ୟ ଚର୍ଚ୍ଚା  ହେଉଛି।  ଏବେ ଉଭୟ  ସ୍ପଷ୍ଟୀକରଣ ଦେଇଥିଲେ ମଧ୍ୟ ଅଡୁଆ କିନ୍ତୁ ବଢ଼ିବାରେ ଲାଗିଛି। ସେପଟେ ଭୁବନେଶ୍ବର ଡିସିପି ଅନୁପ ସାହୁ କହିଛନ୍ତି ଘଟଣାର ତଦନ୍ତ ହେବ । ପୋଷ୍ଟର କିଏ ତିଆରି କରିଛି ଓ କିଏ ପୋଷ୍ଟ କରିଛି ତାହା ଅନୁସନ୍ଧାନ କରାଯାଇ କାଯ୍ୟାନୁଷ୍ଠାନ ହେବ ।