ପପୁ ପମ ପମଙ୍କ ଭିଡିଓ ଭାଇରାଲ,ଓଡିଶା ଫେରିଲେ ,କହିଲେ ଆପଣ ମାନଙ୍କ ପାଇଁ ଫେରିଛି

ଭୁବନେଶ୍ୱର: ଲୋକପ୍ରିୟ ହାସ୍ୟ ଅଭିନେତା ପପୁ ପମ୍ପମ୍ ସୁସ୍ଥ ହୋଇ ଆଜି ଓଡ଼ିଶା ଫେରିଛନ୍ତି । ସେ ହଠାତ୍ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ଚିକିତ୍ସା ପାଇଁ ଦିଲ୍ଲୀର ଏମ୍ସକୁ ପଠାଯାଇଥିଲା । ସେଠାରେ ସେ କିଛି ମାସ ରହି ଚିକିତ୍ସିତ ହେଉଥିଲେ । ତାଙ୍କ ଅବସ୍ଥା ଅତ୍ୟନ୍ତ ଉଦ୍ବେଗଜନକ ଥିଲା । ସେ ଏକ ପ୍ରକାର ନୂଆ ଜୀବନ ପାଇପାରିଛନ୍ତି । ଏଥିନେଇ ସେ ପ୍ରଭୁ ଜଗନ୍ନାଥ ଓ ତାଙ୍କ ଶୁଭେଚ୍ଛୁ ମାନଙ୍କୁ କୃତଜ୍ଞତା ଜଣାଇଛନ୍ତି । ଫେରିବା ପରେ ପପୁ ତାଙ୍କର ଏକ ଭିଡ଼ିଓ ଛାଡ଼ିଛନ୍ତି । ଯେଉଁଥିରେ ସେ କହୁଛନ୍ତି ମୁଁ ପାନକ୍ରୀୟା ରୋଗରେ ଗୁରୁତର ଭାବେ ଅସୁସ୍ଥ ଥିଲି । ୨ ମାସ ଧରି ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିଲି । ଚିକିତ୍ସା ସରିଲା ପରେ ମୁଁ ଓଡ଼ିଶା ଫେରି ଆସିଛି । ମୁଁ ବଞ୍ôଚଛି ଏଇଥିପାଇଁ ଆପଣମାନଙ୍କ ଶ୍ରଦ୍ଧା ଓ ଭଲପାଇବା ଏବଂ ଭଗବାନଙ୍କ ନିକଟରେ ଯେଉଁ ପ୍ରାର୍ଥନା ତାହା ମୋତେ ଫେରାଇଆଣିଛି । ଡାକ୍ତରମାନେ କହୁଥିଲେ ବହୁତ ଅସୁବିଧା ଅଛି । ଦେହ ସୁସ୍ଥ ହେବା ସମ୍ଭବ ନୁହେଁ । ଏଣୁ ଯାହା କିଛି ସମ୍ଭବ ହୋଇଛି ଆପଣମାନଙ୍କ ଭଲପାଇବା ଓ ଶ୍ରଦ୍ଧା ଏବଂ ଭଗବାନଙ୍କର ଆଶୀର୍ବାଦ ପାଇଁ ବୋଲି ପପୁ ତାଙ୍କ ଭିଡ଼ିଓରେ କହିଛନ୍ତି ।

ଓଲିଉଡ୍‌ର ପ୍ରସିଦ୍ଧ ହାସ୍ୟ ଅଭିନେତା ତତ୍ତ୍ୱପ୍ରକାଶ ଶତପଥୀ ଓରଫ୍‌ ପପୁ ପମ୍‌ପମ୍‌। ତାଙ୍କ ଚେହେରାରେ ଆଉ ସେ ପୂର୍ବ ଚମକ ନାହିଁ। କିମ୍ବା ହସ ବି ନାହିଁ। ଧିମେଇ ଯାଇଛି ତାଙ୍କ ସ୍ୱର। ଦିନେ ହସେଇ ହସେଇ ବେଦମ୍‌ କରୁଥିବା ପପୁଙ୍କର ଏବେ ବେଦନା କହିଲେ ନ ସରେ। ସିଲ୍‌ଭର୍‌ ସ୍କ୍ରିନ୍‌ରେ ସୁନା ପରି ଝଟକୁଥିବା ପପୁପମ୍‌ଙ୍କ ଅନ୍ଦାଜ୍‌ ଏବେ ପୂରା ବଦଳି ଯାଇଛି। ପାନ୍‌କ୍ରିୟାସ (ଅଗ୍ନାଶୟ) ଜନିତ ରୋଗରେ ଦିଲ୍ଲୀ ଏମ୍‌ସରୁ ଚିକିତ୍ସିତ ହୋଇ ଫେରିବା ପରେ ତାଙ୍କୁ ଏବେ ଚିହ୍ନି ହେଉନାହିଁ। ଦିନେ ଆଖିରେ ତାଙ୍କର ନାଲି ଚଷମା ଆଉ ତେରଛା ନଜର ଦେଖିଲେ ଦର୍ଶକେ ନ ହସି ରହି ପାରୁନଥିଲେ। କିନ୍ତୁ ସମୟ ସ୍ରୋତରେ ସବୁକିଛି ବଦଳି ଯାଇଛି। କଥା କହିଲା ବେଳକୁ ଥରିଯାଉଛି ପାଟି। ଆଖିକୁ ଆପେ ଆପେ ଆସିଯାଉଛି ଲୁହ।

ସୂଚନାଯୋଗ୍ୟ ଯେ, ଗତ ମେ’ ୧୫ରେ ତାଙ୍କୁ ଚିକିତ୍ସା ପାଇଁ ନୂଆଦିଲ୍ଲୀ ସ୍ଥିତ ଏମ୍‌ସକୁ ନିଆଯାଇଥିଲା। ସୁଟିଂ ସେଟ୍‌ରୁ ଫେରିବା ସମୟରେ ପପୁ ହଠାତ୍‌ ଅସୁସ୍ଥ ଅନୁଭବ କରିଥିଲେ। ସୁଟିଂ ବେଳେ ବ୍ୟସ୍ତତା ଯୋଗୁଁ ସେଦିନ ପପୁ ମଧ୍ୟାହ୍ନ ଭୋଜନ କରିପାରି ନଥିଲେ। ସୁଟିଂ ଶେଷ ହେବାପରେ ବିଳମ୍ବିତ ସଂଧ୍ୟାରେ ସେ କିଛି ଖାଦ୍ୟ ଖାଇ ଘରକୁ ଫେରୁଥିଲେ। ହଠାତ୍‌ ରାସ୍ତାରେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କ ବନ୍ଧୁମାନେ ତାଙ୍କୁ ଖଣ୍ଡଗିରି ନିକଟସ୍ଥ ଏକ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ପରେ ସେ ପାନ୍‌କ୍ରିୟାସ (ଅଗ୍ନାଶୟ) ଜନିତ ରୋଗରେ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା। ତାଙ୍କୁ ପ୍ରଥମେ ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଅବସ୍ଥା ଗମ୍ଭୀର ହେବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍‌ସକୁ ପଠାଯାଇଥିଲା। ସେଠାରେ ସେ ଗ୍ୟାଷ୍ଟ୍ରୋଲୋଜି ବିଭାଗର ଆଇସିୟୁରେ ଭର୍ତ୍ତି କରାଯାଇଥିଲା।