ଆତଙ୍କବାଦୀ ହାଫିଜ୍ ସଇଦକୁ ୫ବର୍ଷ କାରାଦଣ୍ଡ

ଇସଲାମାବାଦ: ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ବିଶ୍ୱ ଆତଙ୍କବାଦୀ ଘୋଷଣା ହୋଇଥିବା ପାକିସ୍ତାନୀ ଆତଙ୍କବାଦୀ ହାଫିଜ୍ ସଇଦକୁ ୫ବର୍ଷ କାରାଦଣ୍ଡ ମିଳିଛି । ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ କରିବା ମାମଲାରେ ପାକିସ୍ତାନ ଏକ କୋର୍ଟ ଏହି ଦଣ୍ଡରେ ଦଣ୍ଡିତ କରିଛନ୍ତି । ଆତଙ୍କବାଦୀ ସଙ୍ଗଠନଗୁଡ଼ିକ ବିପକ୍ଷରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପାକିସ୍ତାନ ଉପରେ ଆନ୍ତର୍ଜାତିକ ଚାପ କ୍ରମଶଃ ବଢ଼ି ଚାଲିଥିବାରୁ ପାକ୍ ସରକାର ଏହି ପଦକ୍ଷେପ ନେଇଥିଲେ।

ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଣ ପାଇଁ ଅର୍ଥ ଯୋଗାଡ଼ କରିବାକୁ ପାଂଚଟି ଟ୍ରଷ୍ଟ୍‍ ବ୍ୟବହାର କରିଥିବା ଜମାତ୍‌-ଉଦ୍‌-ଦାଓ୍ଵାର ମୁଖ୍ୟ ଏବଂ ତାଙ୍କର ୧୨ ଜଣ ସହଯୋଗୀଙ୍କ ବିରୋଧରେ ୨୩ ମାମଲା ରୁଜୁ କରାଯାଇଥିଲା। ହାଫିଜ୍‌ ବ୍ୟବହାର କରିଥିବା ଦାତବ୍ୟ ସଂଗଠନଗୁଡ଼ିକ ହେଉଛି: ଦାୱାତ୍‌ ଇଶ୍‌ରାଦ୍‌ ଟ୍ରଷ୍ଟ୍‍, ମୋଆଜ୍‌ ବିନ୍‌ ଜବାଲ୍‌ ଟ୍ରଷ୍ଟ୍‍, ଅଲ୍‌-ଅନ୍‌ଫାଲ୍‌ ଟ୍ରଷ୍ଟ, ଅଲ୍‌-ମଦିନା ଫାଉଣ୍ଡେସନ୍‌ ଟ୍ରଷ୍ଟ୍‍, ଅଲ୍‌-ହମଦ ଟ୍ରଷ୍ଟ। ଏହି ସଂଗଠନ ଲାହୋର, ଗୁଜରାନ୍‌ୱାଲା ଏବଂ ମୁଲ୍‌ତାନ ଭଳି ପ୍ରମୁଖ ସହରରେ କାର୍ଯ୍ୟକରୁଥିଲା

ଏହି ମାମଲାରେ ସମ୍ପୃକ୍ତ ଜମାତ୍‌ -ଉଦ୍‌-ଦାୱାର ଚାରି ଜଣ ସଦସ୍ୟ ହେଲେ ହାଫିଜ୍‌ ମହମ୍ମଦ୍‌ ସଇଦ୍‌, ଅବ୍‌ଦୁଲ୍‌ ରେହମାନ୍‌, ଅମୀର ହାମ୍‌ଜା ଓ ମହମ୍ମଦ ୟାହ୍ୟା ଅଜିଜ୍‌। ଏମାନେ ଅର୍ଥ ଯୋଗାଡ଼ କାମରେ ସମ୍ପୃକ୍ତ ଥିଲେ। ଆଜି ଏହି ମାମଲାର ରାୟ ପ୍ରକାଶ ପାଇଛି ଓ ହାଫିଜ୍ ସଇଦକୁ ୫ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଛି।