ଭାରତର ନୂତନ ମାନଚିତ୍ରକୁ ଭୁଲ ଓ ବେଆଇନ ଦର୍ଶାଇଲା ପାକିସ୍ତାନ

ଇସଲାମାବାଦ:ଜାମ୍ମୁ-କାଶ୍ମୀର  ଓ ଲଦାଖ ଦୁଇ କେନ୍ଦ୍ର ଶାସିତ ରାଜ୍ୟର ମାନ୍ୟତା ପାଇବା ପରେ ଭାରତ ସରକାର ନୂତନ ରାଜନୈତିକ ମାନଚିତ୍ର ଜାରି କରିଛନ୍ତି, ଯାହାକୁ ମାନିବାକୁ ପାକିସ୍ତାନ ପ୍ରସ୍ତୁତ ନୁହଁ। ପାକିସ୍ତାନ ମାନଚିତ୍ରକୁ ଭୁଲ ଓ ବେଆଇନ ଦର୍ଶାଇ ଖାରଜ କରିଛି।  ଭାରତ ନୂତନ ମାନଚିତ୍ରରେ ପୂରା କାଶ୍ମୀର କ୍ଷେତ୍ରକୁ ନିଜ ଅଂଶ ରୂପେ ଦେଖାଇଛି। 

ଭାରତ ଶନିବାର ନବଗଠିତ କେନ୍ଦ୍ରଶାସିତ ରାଜ୍ୟ ଜାମ୍ମୁ-କାଶ୍ମୀର ଓ ଲଦାଖର ନୂତନ ନକ୍ସା ଜାରି କରିଛି। ନୂତନ ନକ୍ସାରେ ପାକ୍ ଅଧିକୃତ କାଶ୍ମୀର ଜାମ୍ମୁ-କାଶ୍ମୀରର ଅଂଶ ଓ ଗିଲଗିଟ୍ ବାଲିଷ୍ଟାନ ଲଦାଖର ଅଂଶ ରୂପେ ଦର୍ଶାଯାଇଛି। ଲଦାଖର ଲେହ ଜିଲ୍ଲା କ୍ଷେତ୍ରଫଳ ଦୃଷ୍ଟିରୁ ଭାରତର ସବୁଠୁ ବଡ଼ ଜିଲ୍ଲା ହେବ। ଏହା ବ୍ୟତୀତ କୁପଓ୍ଵାଡ଼ା, ବାନ୍ଦିପୋରା, ବାରାମୂଲା, ପୁଞ୍ଝ, ବଡ଼ଗାମ, ସୋପିଆନ, କୁଲଗାମ, କିସ୍ତଓ୍ଵାଡ଼ା, ଉଧମପୁର, ଡୋଡା, ସାମ୍ବା, ଜାମ୍ମୁ, କଠୁଆ, ରାମବନ, ରାଜୌରୀ, ଅନନ୍ତନାଗ, ପୁଲଓ୍ଵାମା, ଶ୍ରୀନଗର, ରିୟାସି ଓ ଗାନ୍ଦରବଲ ଜିଲ୍ଲା ଜାମ୍ମୁ-କାଶ୍ମୀରର ଅଂଶ ରହିବ।

ନୂତନ ନକ୍ସାରେ ପିଓକେର ମୁଜଫରନଗର ଓ ମୀରପୁରକୁ ମଧ୍ୟ ଜାମ୍ମୁ-କାଶ୍ମୀରର ଅଂଶ ଭାବେ ଦର୍ଶାଯାଇଛି। ଭାରତ ସର୍ବଦା ଏହି ଦୁଇ ଜିଲ୍ଲାକୁ ନିଜର କହି ଆସିଛି। ନୂତନ ନକ୍ସା ଦେଖି ପାକ୍ ଏବେ ଚିଡ଼ି ଉଠିଛି। ପାକିସ୍ତାନ ବୈଦେଶିକ କାର୍ଯ୍ୟାଳୟ ରବିବାର ଏକ ବୟାନରେ କହିଛି ଯେ ନୂତନ ମାନଚିତ୍ର କାନୁନତଃ ଭୁଲ ଓ ଅପୃଷ୍ଟ। 

ପାକ୍ ଏହା ମଧ୍ୟ କହିଛି ଯେ, ଏହା ମିଳିତ ଜାତିସଂଘର ସୁରକ୍ଷା ପରିଷଦର ପ୍ରାସଙ୍ଗିକ ପ୍ରସ୍ତାବର ସଂପୂର୍ଣ୍ଣ ଓଲଟା ରହିଛି। ପାକିସ୍ତାନ ଏହି ରାଜନୈତିକ ମାନଚିତ୍ରକୁ ଖାରଜ କରୁଛି, ଯାହା ମିଳିତ ଜାତିସଂଘର ଅନୁରୂପ ନୁହଁ। ଭାରତର କୌଣସି ବି ପଦକ୍ଷେପ ଜାମ୍ମୁ-କାଶ୍ମୀରର ବିବାଦୀୟ ସ୍ଥିତିକୁ ବଦଳାଇ ପାରିବ ନାହିଁ।