ଏଲ୍‌ଓସିରେ ୨୦୦୦ ସୈନ୍ୟ ମୁତୟନ କଲା ପାକିସ୍ତାନ

ନୂଆଦିଲ୍ଲୀ:କଶ୍ମୀର ମାମଲାରେ ଅନ୍ତରାଷ୍ଟ୍ରୀୟ ସ୍ତରରେ ବିଫଳ ହେବା ପରେ ଏବେ ପାକିସ୍ତାନ ଯୁଦ୍ଧ କରିବାକୁ ଫମ୍ପା ଧମକ ଦେଉଛି । ପ୍ରଧାନମନ୍ତ୍ରୀ ଇମରାନ ଖାନ ପରମାଣୁ ବୋମା ଆକ୍ରମଣ ପାଇଁ ଭାରତକୁ ଚେତାବନୀ ଦେଉଛନ୍ତି । କିନ୍ତୁ ଏହା ମଧ୍ୟରେ ପାକିସ୍ତାନ ନିୟନ୍ତ୍ରଣ ରେଖା ବା ଏଲ୍‌ଓସିରେ ହଜାର ହଜାର ସଂଖ୍ୟାରେ ସୈନ୍ୟ ଏକାଠି କରିବା ଆରମ୍ଭ କରି ଦେଇଛି । ୱାଘା ଓ କୌଟଲୀ ସେକ୍ଟର୍‌ରେ ପ୍ରାୟ ୨୦୦୦ ସୈନ୍ୟଙ୍କୁ ପାକିସ୍ତାନ ମୁତୟନ କରିଥିବା ଜଣାପଡ଼ିଛି ।

ଭାରତୀୟ ସେନାର ଜଣେ ଅଧିକାରୀଙ୍କ ସୂଚନା ମୁତାବକ, ପାକିସ୍ତାନ ବିପୁଳ ମାତ୍ରାରେ ସୈନିକଙ୍କୁ ବୈରକୋରୁ ବାହାର କରି ଏଲ୍‌ଓସିରୁ ମାତ୍ର ୩୦ କିଲୋମିଟର୍‌ ଦୂରରେ ନିୟୋଜିତ କରିଛି । ଯେଉଁ ସମୟରେ ଲସ୍କର-ଏ-ତୋୟବା ଓ ଜୈଶ-ଏ-ମହମ୍ମଦ ସଙ୍ଗଠନ ବହୁ ମାତ୍ରାରେ ଆତଙ୍କବାଦୀଙ୍କୁ ଭର୍ତ୍ତି କରୁଛି ପାକିସ୍ତାନ ଠିକ୍‌ ସେତେବେଳେ ପାକିସ୍ତାନ ଏହି ପଦକ୍ଷେପ ନେଇଛି । ଭାରତୀୟ ସେନା ପାକିସ୍ତାନର ଏହି ହରକତ ଉପରେ ତୀକ୍ଷଣ ଭାବରେ ନଜର ରଖିଛି ।

ସେହିପରି ଏହା ପୂର୍ବରୁ ପାକିସ୍ତାନ ଗିଲଗିଟ୍‌ ବାଲାତିସ୍ତାନ ସ୍ଥିତି ସ୍କର୍ଦୁ ବାୟୁସେନା ଆଡ୍ଡାରେ ଜେଏଫ୍‌-୧୭ ଯୁଦ୍ଧ ବିମାନକୁ ନିୟୋଜିତ କରିଛି । ଏହି ଆଡ୍ଡା ଲଦାଖ ଖୁବ ନିକଟବର୍ତ୍ତୀ ଅଟେ । ପାକ୍‌ ସେନା ଲଦାଖ ନିକଟରେ ବିପୁଳ ମାତ୍ରାରେ ଅସ୍ତ୍ରଶସ୍ତ୍ର ଓ ସୈନ୍ୟଙ୍କୁ ଏକାଠି କରୁଛି । ପାକ୍‌ର ଏହି ଗତିବିଧି ଉପରେ ଗୁଇନ୍ଦା ବିଭାଗ ଗଡ଼ା ନଜର ରଖିଛି । ପାକିସ୍ତାନ ଏକ ବଡ଼ ଷଡ଼ଯନ୍ତ୍ର ପାଇଁ ଯୋଜନା କରୁଥିବା ଅନୁମାନ କରାଯାଉଛି ।