ସୀମାରୁ ୨ ଭାରତୀୟ ନାଗରିକ ଗିରଫ

ନୂଆଦିଲ୍ଲୀ:ଭାରତଠୁ ବିଚଳିତ ହୋଇପଡିଥିବା ପାକିସ୍ତାନ ପ୍ରତିଦିନ କିଛି ନା କିଛି ନୂଆ ଷଡଯନ୍ତ୍ର ରଚୁଛି । ଗତକାଲି ପାକିସ୍ତାନ ଚ୍ୟାନେଲରେ ଦୁଇଜଣ ଭାରତୀୟଙ୍କ ଗିରଫଦାରି ଖବର ଦେଖାଯାଇଥିଲା । ଏହି ଦୁଇଜଣ ବିନା ପାସପୋର୍ଟରେ ପାକିସ୍ତାନରେ ଅନୁପ୍ରବେଶ କରୁଥିଲେ ବୋଲି ଟିଭିରେ କୁହାଯାଇଥିଲା । ପାକ୍ ଟିଭି ଚ୍ୟାନେଲ ଦେଖାଇଥିବା ଏଫଆଇଆରରେ ଜଣଙ୍କ ନାମ ପ୍ରଶାନ୍ତ ଓ ଆଉଜଣେ ବାରିଲାଲ ବୋଲି କୁହାଯାଇଥିଲା । ପାକିସ୍ତାନ ଉଭୟଙ୍କ ବିରୋଧରେ ଆତଙ୍କବାଦ କାର୍ଯ୍ୟକଳାପରେ ସଂପୃକ୍ତ ଥିବା ଅଭିଯୋଗ ଲଗାଇଛି । ଯାହାର ସତ୍ୟତା ଆଉ କିଛି ରହିଛି । 

ଜାତୀୟ ଗଣମାଧ୍ୟମର ସୂଚନାନୁସାରେ, ଏହି ଦୁଇ ଭାରତୀୟ ୨୦୧୭ରେ ଭୁଲରେ ପାକିସ୍ତାନ ସୀମାରେ ପହଁଚି ଯାଇଥିଲା  । ଭାରତ ୨୦୧୮ରେ ବରିଲାଲଙ୍କ ମାମଲା ଉଠାଇଥିଲା । ଫଟୋ ସହ ବରିଲାଲଙ୍କ ତଥ୍ୟ ମଧ୍ୟ ଦେଇଥିଲା । ଏହାସହ ପ୍ରଶାନ୍ତଙ୍କ ବାବଦରେ ଚଳିତ ବର୍ଷ ମେ ମାସରେ ତଥ୍ୟ ମଗାଯାଇଥିଲା । ଭାରତ ଏହି ଦୁଇଜଣଙ୍କ ପାଇଁ କନସୁଲାର ଆକସେସ୍ ମାଗିଥିଲା ।  କିନ୍ତୁ ପାକିସ୍ତାନ ଏହାର ଜବାବ ଦେଇନଥିଲା । 

ଭୁଲରେ ସୀମାପାର କରିଥିବା ଏପରି ଅନେକ ମାମଲା ରହିଛି । ୨୦୧୬ ଓ ୨୦୧୭ରୁ ଏପରି ଅନେକ ମାମଲା ପାକିସ୍ତାନରେ ପଡିରହିଛି । ଏଥିରେ ରାଜସ୍ଥାନର ରାମଦାସା ଓ ରଜନୀ ଗୌଧ ସାମିଲ ଅଛନ୍ତି । ଏହି ସମସ୍ତ ମାମଲାକୁ ନେଇ ଭାରତ ପାକିସ୍ତାନ ସହ ସମ୍ପର୍କ କରିଛି । ଏପରିକି ୨୦୯ ଭାରତୀୟ ମତ୍ସ୍ୟଜୀବୀ ଓ ୫୨ ସାଧାରଣ ନାଗରିକ ପାକିସ୍ତାନ ଜେଲରେ ବନ୍ଦୀ ଜୀବନ କାଟୁଛନ୍ତି ।