ପୁଣି ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ

ଶ୍ରୀନଗର:ପାକିସ୍ତାନ ନିଜର ହରକତରୁ କଦାପି ବାହାରକୁ ଆସିବ ନାହିଁ । ବାରମ୍ବାର ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ କରୁଛି । ଶନିବାର ରାତି ସାରା ପାକିସ୍ତାନ ସେନା ଭାରତୀୟ ସୀମାକୁ ଗୁଳି ଚାଳନା କରିଛନ୍ତି । ଏ ନେଇ ବର୍ଡର ସିକ୍ୟୁରିଟି ଫୋର୍ସ ବା ବିଏସ୍‌ଏଫ୍‌ ପକ୍ଷରୁ ସୂଚନା ଦିଆଯାଇଛି ।

ବିଏସ୍‌ଏଫ୍‌ରୁ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତିରୁ ପାକିସ୍ତାନୀ ସେନା ଏଲ୍‌ଓସିରେ ଗୁଳି ମାଡ଼ କରୁଛନ୍ତି । ଆଜି ଭୋର ପ୍ରାୟ 5ଟା 30 ମିନିଟ୍‌ ଯାଏଁ ଏହି ଗୁଳି ଚାଳନା ଜାରି ରହିଥିଲା । ଜାମ୍ମୁ ଓ କାଶ୍ମୀର ହୀରାନଗରର ସର୍ବସାଧାରଣ ଅଂଚଳରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଛି । ଭାରତୀୟ ବିଏସ୍‌ଏଫ୍‌ ସେନା ପକ୍ଷରୁ ମଧ୍ୟ କଡ଼ା ଜବାବ ଦିଆଯାଇଥିବା ଜଣାପଡ଼ିଛି ।

ନିକଟରେ ଭାରତୀୟ ସୁରକ୍ଷାବଳ ପାକିସ୍ତାନର ତିନୋଟି ସେନା ପୋଷ୍ଟ ଧ୍ୱଂସ କରିଥିଲା । ଲଗାତାର ଭାବେ ପାକିସ୍ତାନ ଅସ୍ତ୍ରବିରତି ଉଲଙ୍ଘନ କରୁଥିବା ଯୋଗୁଁ ଭାରତ ଏହି ନିଷ୍ପତ୍ତି ନେଇଥିଲା । ଏଥିରେ ଜଣେ ପାକ୍ ସୈନିକ ମଧ୍ୟ ନିହତ ହୋଇଥିଲେ । ସେହିପରି ଆହୁରି ୭ ଜଣ ସୈନିକ ଗୁରୁତର ହୋଇଥିଲେ ।