ବଡ଼ଦିନରେ ଓଡ଼ିଶାକୁ ଶୁଭେଚ୍ଛା ଜଣାଇଲେ ପାକିସ୍ତାନ ସେନା ମୁଖପାତ୍ର

ଭୁବନେଶ୍ୱର: କେନ୍ଦ୍ରସରକାର କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ, ସିଏଏ, ଏନଆରସି ଲାଗୁ କରିବା ପରେ ଭାରତ ପଛରେ ପାକିସ୍ତାନ ପଡିଯାଇଛି । ବିଭିନ୍ନ ରାଜ୍ୟରେ ଅଶାନ୍ତି ସୃଷ୍ଟି କରିବା ପାଇଁ ଭିନ୍ନ ଭିନ୍ନ ଉପାୟରେ ଯୋଜନା କରୁଛି । ତେବେ ପାକିସ୍ତାନ ନିଜ ଟାଗେଟରେ ଏବେ ଓଡ଼ିଶା ଥିବା ଜଣାପଡିଛି । ଆସନ୍ତାକାଲି ବଡ଼ଦିନ ଥିବା ଅବସରରେ ବାହାନା କରି ଓଡ଼ିଶାର ଲୋକଙ୍କୁ ଟ୍ୱିଟର ଯୋଗେ ପାକିସ୍ତାନ ସେନାର ମୁଖପାତ୍ର ମେଜର ଜେନେରାଲ ଆସିଫ୍ ଗଫୁର ଶୁଭେଚ୍ଛା ଜଣାଇଛନ୍ତି ।

ହଠାତ୍ ଓଡ଼ିଶାରେ ଥିବା ଖ୍ରୀଷ୍ଟିଆନ୍ ଧର୍ମାବଲମ୍ବୀଙ୍କୁ ପାକିସ୍ତାନ ଏଭଳି ଶୁଭେଚ୍ଛା ଜଣାଇବା ପରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ପାକିସ୍ତାନ ସେନା ମୁଖପାତ୍ର ମେଜର ଜେନେରାଲ ଆସିଫ୍ ଗଫୁର ଟୁଇଟ୍ କରିଛନ୍ତି ଯେ, ‘ପାକିସ୍ତାନ ଏବଂ ବିଶ୍ୱର ସମସ୍ତ ଖ୍ରୀଷ୍ଟିଆନ୍‌ମାନଙ୍କୁ ଖ୍ରୀଷ୍ଟମାସର ଶୁଭେଚ୍ଛା। ବିଶେଷ କରି ଓଡ଼ିଶା ରାଜ୍ୟ ଏବଂ ସେଭଳି ହିନ୍ଦୁତ୍ୱ ପରିବେଶରେ ଥିବା ରାଜ୍ୟଗୁଡ଼ିକର ଖ୍ରୀଷ୍ଟିଆନ୍‌ଙ୍କୁ ମଧ୍ୟ ଶୁଭେଚ୍ଛା’। ଦେଶର ଅନ୍ୟ ରାଜ୍ୟରେ ବହୁସଂଖ୍ୟକ ଖ୍ରୀଷ୍ଟିଆନ ଥିବା ବେଳେ ସେ ଓଡ଼ିଶାକୁ କାହିଁକି ବାଛିଲେ ତାହାକୁ ନେଇ ପ୍ରଶ୍ନ ଉଠୁଛି।