୩ ବର୍ଷ ବଢିଲା ପାକ୍ ସେନା ମୁଖ୍ୟ ବାଜଓ୍ଵାଙ୍କ କାର୍ଯ୍ୟକାଳ

ଇସଲାମାବାଦ:ପାକିସ୍ତାନର ଆର୍ମି ମୁଖ୍ୟ ଜେନେରାଲ ଜାଭେଦ ବାଜଓ୍ଵାଙ୍କ କାର୍ଯ୍ୟକାଳ ତିନି ବର୍ଷ ବୃଦ୍ଧି ପାଇଛି। ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଏହି ପ୍ରସ୍ତାବକୁ ସୋମବାର ମଞ୍ଜୁରୀ ମିଳିଛି। କୁହାଯାଉଛି ଯେ ଭାରତ ଓ ପାକିସ୍ତାନ ମଧ୍ୟରେ ଜାରି ଉତ୍ତେଜନା ମାହୋଲକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ଉଠାଯାଇଛି। ପାକିସ୍ତାନର ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ, ଜେନେରାଲ କମର ଜାଭେଦ ବାଜଓ୍ଵାଙ୍କୁ ଆଗାମୀ ତିନି ବର୍ଷ ପାଇଁ ପୁଣି ଥରେ ଆର୍ମି ଚିଫ୍ ଭାବେ ନିଯୁକ୍ତ କରାଯାଇଛି। ଏହି ଆଦେଶ ତାଙ୍କର ବର୍ତ୍ତମାନର କାର୍ଯ୍ୟକାଳ ସମାପ୍ତ ହେବା ତାରିଖଠୁ ଲାଗୁ ହେବ।

ଜେନେରାଲ ବାଜଓ୍ଵାଙ୍କୁ ୨୦୧୬ ନଭେମ୍ବରରେ ସେନାଧ୍ୟକ୍ଷ ପଦରେ ନିଯୁକ୍ତ ଦିଆଯାଇଥିଲା। ଏହି ନିଯୁକ୍ତି ତତ୍କାଳୀନ ପ୍ରଧାନମନ୍ତ୍ରୀ ନଓ୍ଵାଜ ସରିଫ କରିଥିଲେ। ଇମ୍ରାନଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ, ସେନା ମୁଖ୍ୟ ବାଜଓ୍ଵାଙ୍କ କାର୍ଯ୍ୟକାଳ ଶେଷ ହେବା ଦିନଠୁ ତାଙ୍କୁ ଆଉ ତିନି ବର୍ଷ ପାଇଁ ନିଯୁକ୍ତ କରାଯାଉଛି। ବିଜ୍ଞପ୍ତିରେ ଏହା ମଧ୍ୟ ଉଲ୍ଲେଖ ରହିଛି ଯେ କ୍ଷେତ୍ରୀୟ ସୁରକ୍ଷା ମାହୋଲକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି।

ଉଲ୍ଲେଖଯୋଗ୍ୟ, କାଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରଠୁ ପାକିସ୍ତାନ ରକ୍ତଚାଉଳ ଚୋବାଇବାରୋ ଲାଗିଛି। କାଶ୍ମୀରକୁ ଅନ୍ତର୍ଜାତୀୟକରଣ କରିବାକୁ ଅପଚେଷ୍ଟା ଚଳାଇଛି। ପାକିସ୍ତାନର ସେନା ଓ ପ୍ରଧାନମନ୍ତ୍ରୀ ଅନେକ ଥର ଭାରତକୁ ନେଇ ଉସୁକାଇବା ପରି ବୟାନ ଦେଇଛନ୍ତି। ଏହା ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏକ ବୟାନ ଦେଇ ପାକିସ୍ତାନର ନିଦ ହଜାଇ ଦେଇଛନ୍ତି। ରାଜନାଥ ସିଂହ ଏକ କାର୍ଯ୍ୟକ୍ରମରେ କହିଥିଲେ ଯେ, ଏବେ ଯଦି ପାକିସ୍ତାନ ସହ ଆଲୋଚନା  ହୁଏ ତେବେ ଏହା ପାକ୍ ଅଧିକୃତ କାଶ୍ମୀର(ପିଓକେ) ପ୍ରସଙ୍ଗରେ ହିଁ ହେବ। ଏହା ପୂର୍ବରୁ ରାଜନାଥ ପରମାଣୁ ନୀତି ଉପରେ ମଧ୍ୟ ବୟାନ ଦେଇଥିଲେ।

ପାକ୍ ସେନା ମୁଖ୍ୟଙ୍କ କାର୍ୟ୍ୟରକାଳ ବଢିବା ନେଇ ସାମାଜିକ ଗଣମାଧ୍ୟମରେ ଅନେକ ପ୍ରକାରର ପ୍ରତିକ୍ରିୟା ସାମ୍ନାକୁ ଆସିଛି। କିଛି ଲୋକ କହୁଛନ୍ତି ଯେ, ସେନା ମୁଖ୍ୟ  ବାଜଓ୍ଵା ନିଜର କାର୍ୟ୍ୟ କାଳକୁ ୩ ବର୍ଷ ପାଇଁ ବଢାଇ ଦେଇଛନ୍ତି।