ପକ୍କାଘର ପାଇଁ ଯୋଗ୍ୟତା କାର୍ଡ ପଚାଂୟତିରାଜ ଦିବସରୁ ମୁଖ୍ୟମନ୍ତ୍ରୀ କରିବେ ଶୁଭାରମ୍ଭ

ଭୁବନେଶ୍ୱର: ପକ୍କାଘର ପାଇବାକୁ ଥିବା ଯୋଗ୍ୟ ହିତାଧିକାରୀମାନଙ୍କୁ ରାଜ୍ୟ ସରକାର ‘ଯୋଗ୍ୟତା କାର୍ଡ ପ୍ରଦାନ କରିବେ । ପଚାଂୟତିରାଜ ଦିବସରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଡ ବଂଟନ ଯୋଜନାର ଶୁଭାରମ୍ଭ କରିବେ ଏବଂ ଏହା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ପଚାଂୟତିରାଜ ଓ ପାନୀୟଜଳ ମନ୍ତ୍ରୀ ପ୍ରତାପ ଜେନା
ସୂଚନା ଦେଇଛନ୍ତି ।

ଯୋଗ୍ୟତା କାର୍ଡ ସକ୍ରାନ୍ତରେ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ ରାଜ୍ୟରେ ଘର ପାଇବାକୁ ଥିବା ସମସ୍ତ ହିତାଧିକାରୀଙ୍କୁ ଚିହ୍ନଟ କରି ଏଭଳି କାର୍ଡ ପ୍ରଦାନ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେବାପରେ ମାର୍ଚ୍ଚ ୫ ତାରିଖରୁ କାର୍ଡ ବଂଟନ ପ୍ରକ୍ରିୟା ଆରମ୍ଭ ହେବ । ବିଡିଓମାନେ ଏଥିପାଇଁ ବ୍ଲକ, ପଚାଂୟତ ଓ କ୍ଲଷ୍ଟର ସ୍ତରରେ କ୍ୟାମ୍ପମାନ ଆୟୋଜନ କରିବେ । କାର୍ଡ ବଂଟନ ଲାଗି ହୋଇଥିବା ନିଷ୍ପତି ଅନୁଯାୟୀ ୫୦ଟି ବିଧାନସଭା କ୍ଷେତ୍ରରେ ବ୍ଲକ ସ୍ତରରେ ଆୟୋଜିତ କ୍ୟାମ୍ପରେ ମନ୍ତ୍ରୀମାନେ ମୁଖ୍ୟ ଅତିଥିଭାବେ ଯୋଗଦେଇ କାର୍ଡ ପ୍ରଦାନ କରିବେ ।

ସେହିଭଳି ଅନ୍ୟ ବ୍ଲକ ଗୁଡିକରେ ବିଧାୟକମାନେ ମୁଖ୍ୟ ଅତିଥି ହୋଇ କାର୍ଡ ବଂଟନ ଲାଗି କୁହାଯାଇଛି । ପ୍ରତ୍ୟେକ କ୍ୟାମ୍ପ ଆୟୋଜନ ଲାଗି ରାଜ୍ୟ ସରକାର ୨୦ହଜାର ଟଙ୍କା କରି ବ୍ୟବସ୍ଥା କରିଛନ୍ତି । ଉଲ୍ଲେଖନୀୟ ରାଜ୍ୟରେ ଘର ପାଇବାକୁ ଥିବା ପ୍ରାୟ ୨୦ଲକ୍ଷ ହିତାଧିକାରୀଙ୍କୁ ପକ୍କାଘର ଯୋଗାଣ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେବାପରେ ବିଭାଗ ପକ୍ଷରୁ ଏ ନେଇ କାର୍ଯ୍ୟ ଆରମ୍ଭ ହୋଇଛି । ସେଥିପାଇଁ ଯୋଗ୍ୟ ହିତାଧିକାରୀମାନଙ୍କୁ ଚିହ୍ନଟ କରି ଯୋଗ୍ୟତା କାର୍ଡ ପ୍ରଦାନ ଲାଗି ସ୍ଥିର ହୋଇଛି । ବିଡିଓମାନେ ରାଜ୍ୟ ସରକାରୀ ୱେବସାଇଟ୍‌ରୁ କାର୍ଡ ଗୁଡିକ ଡାଉନଲୋଡ କରିବା ସହିତ ଏଥିରେ ହୋଲୋଗ୍ରାମ ଲଗାଇ ହିତାଧିକାରୀମାନଙ୍କୁ ଦେବାର ବ୍ୟବସ୍ଥା କରିବେ । ଏହି କାର୍ଡ ବିଭାଗ ପକ୍ଷରୁ ଡିଆରଡିଏ ମାଧ୍ୟମରେ ବିଡିଓମାନଙ୍କୁ ପ୍ରଦାନ କରାଯାଇଛି । ହିତାଧିକାରୀମାନେ ଯେଭଳି ସୁରୁଖୁରୁରେ କାର୍ଡ ପାଇବେ ସେଥିପାଇଁ ପଚାଂୟତ ସ୍ତରରେ ବ୍ୟାପକ ପ୍ରଚାର ପ୍ରସାର ଲାଗି ନିର୍ଦ୍ଦେଶ ଦିଆଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଜେନା ସୂଚନା ଦେଇଛନ୍ତି ।