ମୋଦିଙ୍କୁ ଧମକ ଦେଲେ ପାକ୍‌ ସିଙ୍ଗର

ଇସଲାମାବାଦ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ କେବଳ ପାକିସ୍ତାନ ସରକାର ନୁହନ୍ତି ଦେଶର ନାମାଦାମୀ କଳାକାର ମଧ୍ୟ ବିଚଳିତ ହୋଇପଡ଼ିଛନ୍ତି। ଏଥିପାଇଁ ସେମାନେ ଭାରତ ସରକାରଙ୍କ ବିରୋଧରେ ବୟାନ ଦେଇ ଚାଲିଛନ୍ତି। ଏହିକ୍ରମରେ ପାକିସ୍ତାନର ଜଣେ ପପ୍‌ ସିଙ୍ଗର ଆତ୍ମଘାତୀ ହମ୍‌ଲା ପାଇଁ ବ୍ୟବହୃତ ହେଉଥିବା ଏକ ଜ୍ୟାକେଟ୍‌ ପିନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ହମଲା କରିବାକୁ ଖୋଲାଖୋଲି ଧମକ ଦେଇଛନ୍ତି।

ରାବି ପିର୍ଜାଦା ନାମକ ଏହି ସିଙ୍ଗର ଜଣଙ୍କ ପୂର୍ବରୁ ମଧ୍ୟ ବିଭିନ୍ନ ପ୍ରକାରର ବିଷାକ୍ତ ଶରିସୃପଙ୍କୁ ଧରି ମୋଦିଙ୍କୁ ଧମକ ଦେଇଥିଲେ। ମଙ୍ଗଳବାର ଟ୍ୱିଟରରେ ରାବି ନିଜର ଏକ ଫଟୋ ପୋଷ୍ଟ କରିଛନ୍ତି।

ଏହି ଫଟୋରେ ସେ ସୁଇସାଇଡ୍‌ ଆକ୍ରମଣରେ ବ୍ୟବହୃତ ହେବା ଭଳି ଏକ ଜ୍ୟାକେଟ୍‌ ପିନ୍ଧିଛନ୍ତି। ଏହାର ଶୀର୍ଷକ ‘କଶ୍ମୀର ପ୍ରସଙ୍ଗରେ ମୋଦିଙ୍କୁ ଧମକ’ ବୋଲି ରଖିଛନ୍ତି। ସେ ମୋଦିଙ୍କୁ ହିଟଲର ବୋଲି କହିଥିବା ବେଳେ ନିଜକୁ କଶ୍ମୀରର ଝିଅ ବୋଲି ବର୍ଣ୍ଣାନା କରିଛନ୍ତି।

ଏହାକୁ ନେଇ ସୋଶାଲ ମିଡିଆରେ ଅନେକ ରାବିଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ଏହାଦ୍ୱାରା ପାକିସ୍ତାନର ଛବି ବିଶ୍ୱ ଦରବାରରେ ଖରାପ ହେଉଛି ବୋଲି ସେମାନେ କହିଛନ୍ତି।