ଆଜି କୁଳଭୂଷଣଙ୍କୁ କୂଟନୈତିକ ସହାୟତା ଯୋଗାଇବ ପାକିସ୍ତାନ

ନୂଆଦିଲ୍ଲୀ: ପାକିସ୍ତାନ ଜେଲରେ ବନ୍ଦୀ ଥିବା କୁଳଭୂଷଣ ଯାଦବଙ୍କୁ ସୋମବାର କୂଟନୈତିକ ସହାୟତା ମିଳିବ। ପାକିସ୍ତାନ ଏ ନେଇ ଗତ ରବିବାର ଘୋଷଣା କରିଥିଲା। ଫଳରେ ଆଜି ଭାରତୀୟ କୂଟନୈତିକ ଅଧିକାରୀମାନେ କୁଳଭୂଷଣଙ୍କୁ ଭେଟିବେ। ସେମାନେ କୁଳଭୂଷଣଙ୍କ ସହ ଆଲୋଚନା କରିବେ। ଏଥିପାଇଁ ୨ ଘଣ୍ଟା ସମୟ ମିଳିବ। ଏହି ସମୟରେ ପାକ୍‌ କୂଟନୈତିକ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହିବେ।

୨୦୧୭ରେ ପାକିସ୍ତାନର ଏକ କୋର୍ଟ କୁଳଭୂଷଣଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଥିଲେ। କିନ୍ତୁ ଭାରତ ଏହା ବିରୋଧରେ ଅନ୍ତର୍ଜାତୀୟ ନ୍ୟାୟିକ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା। ଅନ୍ତର୍ଜାତୀୟ କୋର୍ଟରେ ଭାରତ ବିଜୟୀ ହେବା ସହିତ କୁଳଭୂଷଣଙ୍କୁ କୁଟନୈତିକ ସହାୟତା ଯୋଗାଇଦେବା ଲାଗି ପାକିସ୍ତାନକୁ ନିର୍ଦେଶ ଦିଆଯାଇଥିଲା। କୋର୍ଟଙ୍କ ନିର୍ଦେଶ ପରେ ପାକିସ୍ତାନ ପକ୍ଷରୁ କୁଟନୈତିକ ସହାୟତା ଯୋଗାଇଦେବା ଲାଗି କୁହାଯାଇଥିଲା, କିନ୍ତୁ କିଛି ସର୍ତ୍ତ ରଖାଯିବାରୁ ଭାରତ ଏହାର ବିରୋଧ କରିଥିଲା। ମାତ୍ର ଗତ ରବିବାର ପାକିସ୍ତାନ ବିଦେଶ ମନ୍ତ୍ରଣାଳୟ ମୁଖପାତ୍ର ପୁଣି ଥରେ କୂଟନୈତିକ ସହାୟତା ଯୋଗାଇଦେବା ଲାଗି କହିଥିଲେ।