ବକ୍ସି ଜଗବନ୍ଧୁଙ୍କ ନାଁରେ ସ୍ୱତନ୍ତ୍ର ଟ୍ରେନ ଦାବୀ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପାଇକ ବିଦ୍ରୋହକୁ ୨୦୦ ବର୍ଷ ପୁରିଛି । ଏହି ଅବସରରେ ଆଜି ରାଷ୍ଟପତି ରାମନାଥ କୋବିନ୍ଦ ଖୋର୍ଦ୍ଧା ବରୁଣେଇ ପାଇକ ସ୍ମୃତିସ୍ଥଳ ଶିଳାନ୍ୟାସ କରିଛନ୍ତି । ସେଠାରେ ନିଜ ଅଭିଭାଷଣ ଦେଇ ବକ୍ସି ଜଗବନ୍ଧୁଙ୍କ ନାଁରେ ଏକ ସ୍ୱତନ୍ତ୍ର ଏକ୍ସପ୍ରେସ ଟ୍ରେନ ଚଳାଯାଉ ବୋଲି ଦାବୀ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 

 

ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ଅବସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପାଇକ ବିଦ୍ରୋହ ସ୍ମୃତିସ୍ଥଳକୁ ଶିଳାନ୍ୟାସ କରିଛନ୍ତି । ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ନିଜ ଅଭିଭାଷଣ ରଖି ବୀର ପୁରୁଷଙ୍କୁ ମନେ ପକାଇଛନ୍ତି । ରାଜ୍ୟ ସରକାର ଜମି ଯୋଗାଇ ଦେଇଛନ୍ତି । ଭତ୍ତିଭୂମି ମଧ୍ୟ ଯୋଗାଇବେ । ପାଇକ ବିଦ୍ରୋହ ବ୍ରିଟିଶ ଶାସନ ବିରୋଧରେ ଗଣଆନ୍ଦୋଳନ ଥିଲା । ଅନ୍ୟାୟ ବିରୋଧରେ ପାଇକମାନେ ଅସ୍ତ୍ର ଉଠାଇ ଯୁଦ୍ଧ କରିଥିଲେ । ତେଣୁ ଏହି ସମସ୍ତ ପାଇକ ବୀରମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି ଯେ, ପାଇକଙ୍କ ସାହାସ ଯୋଗୁଁ ଆମେ ଗଙ୍ଗାରୁ ଗୋଦାବରୀ ଯାଏଁ ଜୟ କରିଥିଲୁ । ସମ୍ରାଟ ଖାରବେଳ ଓ କପିଳେନ୍ଦ୍ରଙ୍କ ଦିଗବିଜୟ ଆମ ପାଇଁ ଗୈାରବ । ୧୮୦୩ ମସିହା ପର୍ଯ୍ୟନ୍ତ ଓଡ଼ିଶା ଅପରାଜେୟ ରହିଥିଲା ।

୧୮୧୭ରେ ପାଇକମାନେ ହିଁ ପ୍ରଥମେ ବ୍ରିଟିଶ ବିରୋଧରେ ଲଢିଥିଲେ । ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧିନତା ସଂଗ୍ରାମ ମାନ୍ୟତା ଦାବ କରିଆସିଛି । ତେଣୁ ବକ୍ସି ଜଗବନ୍ଧୁଙ୍କ ନାଁରେ ଏକ ସ୍ୱତନ୍ତ୍ର ଏକ୍ସପ୍ରେସ ଟ୍ରେନ ଚଳାଯାଉ । ରାଷ୍ଟ୍ରପତି ଆମର ଏହି ଦାବୀ ପ୍ରତି ସୁବିଚାର କରିବେ ବୋଲି ଆଶା ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।  ଏହା ସହ ପାଇକ ସ୍ମାରକୀ ପାଇଁ କେନ୍ଦ୍ରର ୨ ବିଭାଗ ପେଟ୍ରୋଲିୟମ ଓ ସଂସ୍କୃତି ବିଭାଗକୁ କୃତଜ୍ଞତା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।