ପହଣ୍ଡି ବିଜେ

ପଦ ହୁଣ୍ଡନ ସଂସ୍କୃତ ଶବ୍ଦରୁ ଏହି ପହଣ୍ଡିର ସୃଷ୍ଟି । ସରଳ ଭାଷାରେ ବୁଝାଇ କହିଲେ ଆଗକୁ ଓ ପଛକୁ ପହୁଣ୍ଡ ପକାଇ ବିଜେ ହେବାକୁ ପହଣ୍ଡି ବିଜେ କୁହାଯାଏ । ସ୍ନାନ, ଗୁଣ୍ଡିଚା ଓ ବାହୁଡ଼ାରେ ଶ୍ରୀଜଗନ୍ନାଥ ଛ’ଥର ପହଣ୍ଡି ବିଜେ କରିଥାନ୍ତି । ଯଥା ସ୍ନାନ ଯାତ୍ରାରେ ଯିବା-ଫେରିବା, ରଥ ଯାତ୍ରାରେ ଯିବା-ଫେରିବା ଏବଂ ବାହୁଡ଼ା ଯାତ୍ରାରେ ଯିବା-ନୀଳାଦ୍ରି ବିଜେରେ ମୁଖ୍ୟ ମନ୍ଦିରକୁ ଫେରିବା । ଏହି ପହଣ୍ଡି ଦୁଇ ପ୍ରକାରର, ଧାଡ଼ି ପହଣ୍ଡି ଓ ଗୋଟି ପହଣ୍ଡି । ପ୍ରଭୁ ଯାତ୍ରାକୁ ବାହାରିବା ବେଳେ ଧାଡ଼ି ପହଣ୍ଡିରେ ବିଜେ ହୋଇଥାନ୍ତି । ମନ୍ଦିରକୁ ଫେରିବାବେଳେ ଗୋଟି ପହଣ୍ଡିରେ ଆସିଥାନ୍ତି । ଏହି ଯାତ୍ରା ସମୟରେ ଘୋଷ ଘଣ୍ଟୁଆମାନେ ବିଭିନ୍ନ ଭଙ୍ଗୀରେ ଘଣ୍ଟବାଦନ କରିଥାନ୍ତି ।