ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବଢିଲା

ନୂଆଦିଲ୍ଲୀ : ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବଢିଲା । ସଂକଟଜନକ ସମୟ ଦେଇ ଗତିକରୁଥିବା ଚାଷୀମାନଙ୍କୁ ସହାୟତା କରିବାକୁ କେନ୍ଦ୍ର ସରକାର ଆଜି ୧୪ଟି ଖରିଫ ଫସଲର ଏମଏସପି ବା ସର୍ବନିମ୍ନ ସହାୟକ ଦର ୫୦ରୁ ୮୩ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି  କରିଛନ୍ତି । ସୋମବାରଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ମୋଦୀ ସରକାରଙ୍କ ୨ୟ ଦଫା କାର୍ଯ୍ୟକାଳର ୧ ବର୍ଷ ପୂରଣ ହେବା ପରେ ଏହା ଥିଲା ପ୍ରଥମ କ୍ୟାବିନେଟ ବୈଠକ ।

ଏହି ବୃଦ୍ଧି ପରେ ୨୦୨୦-୨୧  ପାଇଁ ଧାନର ଏମଏସପି କ୍ବିଣ୍ଟାଲ ପିଛା ୧୮୬୮ ଟଙ୍କାକୁ ବୃଦ୍ଧି ପାଇଛି, ଜୱାର କ୍ବିଣ୍ଟାଲ ପିଛା ୨୦୨୦ ଓ ବାଜରା କ୍ବିଣ୍ଟାଲ ପିଛା ୨୧୫୦ଟଙ୍କାକୁ ବୃଦ୍ଧି ପାଇଛି ବୋଲି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି । ସେହିପରି ମାଣ୍ଡିଆ, ବାଦାମ, ମୁଗ, ସୋୟାବିନ,ରାଶି ଓ କପାର ଏମଏସପି ୫୦ ପ୍ରତିଶତ ଲେଖାଏଁ ବଢିଛି ବୋଲି ସେ କହିଛନ୍ତି ।

ଏହି ବୈଠକପରେ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାବଡେକର କହିଛନ୍ତି ଯେ ଦେଶର ଲଘୁ,କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସଂସ୍ଥା (ଏମଏସଏମଇ) ମାନଙ୍କୁ ଋଣ ସହାୟତା ପ୍ରଦାନ କରିବାକୁ ସରକାର ୨୦ ହଜାର କୋଟିର ଏକ ସହାୟକ ଋଣ ପ୍ୟାକେଜ ଘୋଷଣା କରିଛନ୍ତି । ଏହା ଦ୍ଵାରା ଚାପରେ ଥିବା ଦେଶର ପ୍ରାୟ ୨ ଲକ୍ଷ ଏମଏସଏମଇ ଉପକ୍‌ତ ହେବେ ।