ଧାନ ମଣ୍ଡିରେ ଘୋଟାଲା!

ବରଗଡ : ଧାନ କିଣାବିକାକୁ ନେଇ କେବେ ଆସିବ ସ୍ୱଚ୍ଛତା ତାକୁ ପରଖିବା ପାଇଁ ଦେଶର ୨ଟି ରାଜ୍ୟକୁ ଆମେ ନେବା ଉଦାହରଣ ସ୍ୱରୂପ । ପ୍ରଥମଟି ହେଲା ପଞ୍ଜାବ ଯେଉଁଠି ମାର୍କେଟ ବ୍ୟବସ୍ଥା ବା ମଣ୍ଡି ବ୍ୟବସ୍ଥା ସହ ଧାନ କିଣାରେ ସ୍ୱଚ୍ଛତା ଓ ଉନ୍ନତ ଧରଣର ହୋଇଥିବାରୁ ପ୍ରଥମ ସ୍ଥାନରେ ଥିବାବେଳେ ପଡୋଶୀର ଛତିଶଗଡ ରାଜ୍ୟରେ ଧାନ କିଣାବିକାରେ ସ୍ୱଚ୍ଛତା ପାଇଁ ମଡେଲ ନମ୍ବର ୨ ଭାବରେ ସ୍ୱତନ୍ତ୍ର ପରିଚୟ ରହିଛି । ଦେଶରେ ଧାନକିଣା ବିକାକୁ ନେଇ ସମସ୍ତ ରାଜ୍ୟ ପାଇଁ ନିୟମ ଗୋଟିଏ ରହିଥିବାବେଳେ ଓଡ଼ିଶାରେ ଦେଖିବାକୁ ମିଳୁଛି କିଛି ଭିନ୍ନ ବ୍ୟବସ୍ଥା । ତେବେ ଆମେ ପଡୋଶୀ ରାଜ୍ୟ ଛତିଶଗଡରେ ମଣ୍ଡିରେ ଦେଖିଥିଲୁ ଚାଷୀର ଧାନ ବିକା । ମାର୍କେଟ ବ୍ୟବସ୍ଥା ସହ ମିଲର୍ସ ମାନଙ୍କ ସହ କଥା ହୋଇ ଜାଣିଥିଲୁ ପୁରା ପ୍ରକ୍ରିୟା । କାହିଁକି ଛତିଶଗଡ ରାଜ୍ୟ ଦେଶର ୨ୟ ସ୍ଥାନ ଅଧିକାର କରିଛି କଣ ରହିଛି ସ୍ୱତନ୍ତ୍ରତା ତାହା ବି ବୁଝିଥିଲୁ । ଛତିଶଗଡ ରାଜ୍ୟରେ ମଣ୍ଡି ଖୋଲିବା ମାତ୍ରେ ଏଠି ଚାଷୀ ନିଜ କଷ୍ଟପାର୍ଜିତ ଧାନକୁ ଭଲଭାବରେ ଶୁଖାଇ, ଅଗାଡି, ଗୋଡି, ବାଲି ସଫାକରି ଏଫ୍ଏକ୍ୱୁ ମାନରେ ପରିଣତ କରି ମଣ୍ଡିକୁ ବିନା ଗଣି ବ୍ୟାଗ(ବସ୍ତା)ରେ ଆଣି ପହଂଚି ଥାଏ । କେହି କେହି ବସ୍ତାରେ ଭର୍ତିକରି ମଧ୍ୟ ଆଣିଥାନ୍ତି । ସେଠାକୁ ପହଁଚି ଏଫ୍ଏକ୍ୱୁ ମାନ ଯାଂଚ କରି ଓଜନ ପରେ ମଣ୍ଡିରେ ଧାନତକ ଅଜାଡି ଦେଇ ସ୍ଲିପ କାଟି ଚାଲିଯାଆନ୍ତି । ଯେଉଁମାନେ ବସ୍ତା ଆଣିଥାନ୍ତି ଖାଲି କରି ନିଜ ବସ୍ତା ତକ ଫେରାଇ ନେଇଥାନ୍ତି । ସେଠାରେ ଚାଷୀର ଧାନ ପଡିବାର ୨୪ଘଂଟା ମଧ୍ୟରେ ଚାଷୀଙ୍କ ଏକାଉଂଟକୁ ଧାନର ମୂଲ୍ୟ ଓଜନ ମୁତାବକ ପହଂଚି ଯାଇଥାଏ । ପରେ ଧାନ ସୁରକ୍ଷିତ ଓ ଗଚ୍ଛିତ ରଖିବାର ରକ୍ଷଣା ବେକ୍ଷଣା ଦାୟିତ୍ୱ ମାର୍କେଟ ୟାର୍ଡର କର୍ମଚାରୀମାନେ ଠିକ୍ ଭାବେ ତୁଲାଇଥିବାବେଳେ ସେଠାକାର କ୍ରୟ ସଂସ୍ଥା ନୂଆ ବସ୍ତା ଆଣି ଳୋକ ଲଗାଇ ପ୍ୟାକିଂ କରି ଓଜନ କରିବା ଓ ମିଲ ପଏଂଟକୁ ଯିବା ପର୍ଯ୍ୟନ୍ତ ସମସ୍ତ ଦାୟିତ୍ୱ ବହନ କରିଥାନ୍ତି । ତାସହିତ ଚାଷୀମାନଙ୍କ ଏକାଉଂଟକୁ ଟଙ୍କା ଠିକ୍ ସମୟରେ ପହଂଚାଇବା ଦାୟିତ୍ୱ ମଧ୍ୟ ତୁଲାଇଥାନ୍ତି । ଏନେଇ ଯେଉଁ ଖର୍ଚ୍ଚ ହୋଇଥାଏ ସେହି ଖର୍ଚ୍ଚ ସରକାର ବହନ କରିଥାନ୍ତି । କ୍ୱିଂଟାଲ ଓଜନ ଧାନ ପାଇଁ ୨ଟି ନୂଆବସ୍ତା ଯାହାର ମୂଲ୍ୟ ୯୪ ଟଙ୍କା ୯୬ ପଇସା ସରକାର ଯୋଗାଇ ଦେଉଥିବାବେଳେ ଅନଲୋଡିଂ, ଓଜନ, ପ୍ୟାକିଂ ଓ ପରେ ଲୋଡିଂ ସମସ୍ତ ଖର୍ଚ୍ଚ ପାଇଁ ମୋଟ ୮ଟଙ୍କା ୪୬ ପଇସା ଦେଇଥାନ୍ତି । ସେଠାରୁ ମିଲ ପଏଂଟକୁ ଧାନ ଯିବା ପର୍ଯ୍ୟନ୍ତ ସମସ୍ତ ଦାୟିତ୍ୱ ତୁଲାନ୍ଥାନ୍ତି କ୍ରୟ ସଂସ୍ଥା । ଓଡ଼ିଶାରେ କିନ୍ତୁ ତାହା କିଛି ଅଲଗା । ଚାଷୀମାନଙ୍କ ଧାନ କିଣା ସମୟରେ ବସ୍ତା ବାବଦରେ ହୋଇଥାଏ କୋଟି କୋଟି ଟଙ୍କାର ଘୋଟାଲା । ଯାହାକୁ ନେଇ ଚାଷୀ ସଂଗଠନ ବହୁବାର ଅଭିଯୋଗ କରିଆସୁଛନ୍ତି । ଗନି ବ୍ୟାଗ୍ ବା ବସ୍ତା ନାଁ ରେ ସାରା ରାଜ୍ୟରେ ହରିଲୁଟ କରୁଛନ୍ତି ମିଲର୍ସ, ଖାଦ୍ୟ ଓ ଯୋଗାଣ ବିଭାଗଙ୍କ କ୍ରୟସଂସ୍ଥା ।
ଘୋଟାଲା-୧: ଚାଷୀ ନିଜ ବସ୍ତାରେ ଧାନ ଭର୍ତି କରି ଆଣି ମଣ୍ଡିରେ ଦେଇଥାଏ । ଧାନ ଦେବା ପରେ ଖାଲି ବସ୍ତାକୁ ଫେରାଇ ନେବା ପରିବର୍ତେ ଧାନ ଜଲଦି ବିକ୍ରି ହେବାକୁ ନେଇ ମଣ୍ଡିରେ ନିଜ ବସ୍ତା ସହ ଧାନ ଛାଡି ଯାଇଥାଏ, ଯାହାକି ଚାଷୀର ବସ୍ତାର ମୂଲ୍ୟ ସିଧାସଳଖ କ୍ରୟ ସଂସ୍ଥାକୁ ଫାଇଦା ଦେଇଥାଏ ।
ଘୋଟାଲ-୨: ମଶ୍ଚର ୧୭% ରହିବା ବଦଳରେ ମେସିନ କାରସାଦି କରି ତାହା ୨୩% ପର୍ଯ୍ୟନ୍ତ ଷଡଯନ୍ତ୍ର କରି ପ୍ରାୟ ୩ ରୁ ୫ କିଲୋ ଓଜନ କାଟିଦିଆଯାଇଥାଏ ।
ଘୋଟାଲା-୩ : ଚାଷୀ ଆଣିଥିବା ଗନୀ ବ୍ୟାଗ୍ ବା ବସ୍ତା କ୍ରୟ ସଂସ୍ଥାକୁ ଦେଲା ଅପାତ୍ରେ ଦାନ ତା ସହିତ ଧାନର ଖାଲି ବସ୍ତା ବା ଗନୀବ୍ୟାଗର ଓଜନ ବାବଦରେ ୭୫୦ ଗ୍ରାମ କାଟିଦିଆଯାଉଛି ।
ଅନ୍ୟପଟେ ଦଲାଲାମାନଙ୍କ ଦୋରାତ୍ମ୍ୟରେ ହନ୍ତସନ୍ତ ହୋଇ ହଇରାଣ ହେବାକୁ ପଡୁଛି ଚାଷୀମାନଙ୍କୁ । ତିନି ପ୍ରକାରର ଦଲାଲ ଶିକାର ହେବାକୁ ପଡୁଛି ଚାଷୀମାନଙ୍କୁ ।
ଦଲାଲ ନଂ-୧:ଗାଁ ରୁ ଆରମ୍ଭ ଧନୀ ସାର, ଔଷଧ, ଟ୍ରାକ୍ଟର ଓ ଟଙ୍କା ଯୋଗାଇ ଦେଉଥିବା ବ୍ୟକ୍ତି ଧାନ ଅମଳ ପରେ ଚାଷୀ ଧାନକୁ କମ ଦରରେ କିଣିବା କାମରେ ମାତିଛନ୍ତି ।
ଦଲାଲ ନଂ-୨:: ମିଲର୍ସମାନେ ନିଜ ଏଜେଂଟ ମଣ୍ଡିକୁ ପଠାଇ କ୍ରୟ କାରୀସଂସ୍ଥାମାନଙ୍କ ସହ ମିଶି ଧାନକୁ ଠିକ୍ ନ ଥିବା ଦର୍ଶାଇ ଓଜନ କାଟି ଧାନ ଶୀଘ୍ର ଉଠାଇଥାନ୍ତି ।
ଦଲାଲ ନଂ-୩: କ୍ରୟ ସଂସ୍ଥା ଓ ନିୟନ୍ତ୍ରିତ ବଜାରର ମିଳିତ ଭାବରେ ବିନା ଧାନରେ ଖାଲି କାଗଜପତ୍ରରେ ଧାନ କିଣାବିକା ହୋଇଥାଏ ।
ଏପରି ଅବ୍ୟବସ୍ଥାରେ ଚାଷୀ ସେମାନଙ୍କ ଧାନ କିଣାବିକା କରୁଥିବା ନଜିର ଦେଖିବାକୁ ମିଳିଛି ।