ପଦ୍ମବିଭୂଷଣ ଭାସ୍କର୍ଯ୍ୟ ଶିଳ୍ପୀ ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ରଙ୍କ ପରଲୋକ

କରୋନା ଆକ୍ରାନ୍ତ ହୋଇ ଭୁବନେଶ୍ୱରସ୍ଥିତ ଏମ୍‌ସରେ ଚିକିତ୍ସିତ ହୋଇ ଆସୁଥିଲେ

ଭୁବନେଶ୍ୱର: ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ୭୮ ବର୍ଷ ବୟସରେ ପରଲୋକ ହୋଇଯାଇଛି । କରୋନା ଆକ୍ରାନ୍ତ ହୋଇ ଭୁବନେଶ୍ୱରସ୍ଥିତ ଏମ୍‌ସରେ ସେ ଆଜି ଅପରାହ୍ନ ୩ଟା ୪୯ରେ ଆଖି ବୁଜିଛନ୍ତି । ଦେଶ ବିଦେଶରେ ସୁନାମ ଅର୍ଜନ କରିଥିବା ଶିଳ୍ପୀ ତଥା ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ର କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କୁ କିଛି ଦିନ ପୂର୍ବରୁ ଏମ୍‌ସରେ ଭର୍ତ୍ତି କରାଯାଇଥିଲା । ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ପରେ ତାଙ୍କୁ ଭେଣ୍ଟିଲେଟରକୁ ନିଆଯାଇଥିଲା ।

ଏମ୍‌ସରେ ଭର୍ତ୍ତି ହେବା ପରେ ୨ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱର୍ଗତ ମହାପାତ୍ରଙ୍କ ବଡ଼ ପୁଅଙ୍କ ସହିତ ଫୋନରେ କଥା ହୋଇ ତାଙ୍କର ସ୍ୱାସ୍ଥ୍ୟ ସଂପର୍କରେ ଅବଗତ ହୋଇଥିଲେ । ଆଜି ଅପରାହ୍ନ ୩. ୪୯ ମନିଟରେ ତାଙ୍କର ଦେହାନ୍ତ ହୋଇଥିବା ମେଡିକାଲ ପକ୍ଷରୁ କୁହାଯାଇଛି । ଗତ ମାସ ୨୨ ତାରିଖରେ କୋଭିଡ ଲକ୍ଷଣ ଦେଖା ଦେବାପରେ ଏମସରେ ଚିକିତ୍ସିତ ହୋଇ ଆସୁଥିଲେ । ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ଆସିବା ପରିବର୍ତ୍ତେ ଅବନତୀ ଘଟିଥିଲା । ୭୮ ବର୍ଷ ବୟସରେ ସ୍ଥପତି ପଦ୍ମ ବିଭୂଷଣ ରଘୁନାଥଙ୍କ ମହାପାତ୍ରଙ୍କ ପରଲୋକ ଘଟିଛି ।

ରଘୁନାଥ ମହାପାତ୍ର ପୁରୀରେ ୧୯୪୩ ମସିହା ମାର୍ଚ୍ଚ ୨୩ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ସେ ୧୯୭୫ ମସିହାରେ ପଦ୍ମଶ୍ରୀ, ୨୦୦୧ ମସିହାରେ ପଦ୍ମଭୂଷଣ ଓ ୨୦୧୩ ମସିହା ସାଧାରଣତନ୍ତ୍ର ଦିବସ ଅବସରରେ ପଦ୍ମବିଭୂଷଣରେ ସମ୍ମାନୀତ ହୋଇଥିଲେ । ୨୦୧୮ରେ ରାଜ୍ୟସଭାକୁ ମନୋନୀତ ହୋଇଥିଲେ ।