ଲିଙ୍ଗରାଜ ମନ୍ଦିରର ପାରିପାଶ୍ୱିର୍କ ଅଂଚଳର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ ଘୋଷଣା

ଭୁବନେଶ୍ୱର: ୬୬ ଏକର ପରିବ୍ୟାପ୍ତ ଲିଙ୍ଗରାଜ ମନ୍ଦିରର ବିକାଶ ପାଇଁ ରାଜ୍ୟ ସରକାର ଆଜି ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି । ତେବେ ଏହି ପ୍ୟାଜେକ୍ ଜରିଆରେ ଲିଙ୍ଗରାଜ ମନ୍ଦିରର ପ୍ରବେଶ ପଥ, ବିନ୍ଦୁସାଗର ପୁନରୁଦ୍ଧାର, ଅତ୍ୟାଧୁନିକ ପାର୍କିଂ, ଲିଙ୍ଗରାଜ ଐତିହ୍ୟ ପ୍ରକଳ୍ପ, କେଦାରଗୌରୀ ଓ ମୁକ୍ତେଶ୍ୱର ପରିସରର ବିକାଶ ଇତ୍ୟାଦିର ବିକାଶ ହେବ । ଇ-ଅଟୋ ପ୍ରୋଗ୍ରାମ, ଐତିହ୍ୟ ବ୍ୟାଖ୍ୟାନ କେନ୍ଦ୍ର ଓ ଥଇଥାନ ଆଦି ୯ଟି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ ।

ଏହି ଯୋଜନାରେ ଲିଙ୍ଗରାଜ ଥାନା ଓ ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ ଅଫିସ ଅତ୍ୟତ୍ର ସ୍ଥାନାନ୍ତର କରାଯିବ । ଟ୍ରାଫିକ ହ୍ରାସ ଓ ଯାତାୟତର ସୁବିଧା ପାଇଁ ତାଳେଶ୍ୱର ଛକଠାରୁ ବଢ଼େଇବାଙ୍କ ଛକ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରାଯିବ ।୪ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯିବ । ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ଉଦ୍ୟାନ ନିର୍ମାଣ ସହିତ ଏହାର ସୌନ୍ଦର୍ଯ୍ୟକରଣ କରାଯିବ ଏବଂ ମନ୍ଦିର ଚାରିପାଖରେ ପରିକ୍ରମା ପଥ ନିର୍ମାଣ କରାଯିବ । ମନ୍ଦିର ସମ୍ମୁଖ ରାସ୍ତାରେ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ନିଷିଧ କରାଯିବ । ଲିଙ୍ଗରାଜ ଐତିହ୍ୟକୁ ଭକ୍ତମାନେ ଯେପରି ସୁବିଧାରେ ଦର୍ଶନ କରିପାରିବେ, ସେଥିପାଇଁ ବ୍ୟବସ୍ଥା କରାଯିବ । ପର୍ଯ୍ୟଟକମାନଙ୍କ ପାଇଁ ବିଭିନ୍ନ ପ୍ରକାରର ସୁବିଧା ସୁଯୋଗର ବିକାଶ କରାଯିବ ।

ବିନ୍ଦୁସାଗର ଜଳକୁ ପରିଷ୍କାର କରିବା ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା ଗ୍ରହଣ କରାଯିବ ଏବଂ ତା’ ସହିତ କେଦାରଗୌରୀ, ପାପନାସିନୀ, ଗୋଦାବରୀ, କୋଟିତୀର୍ଥ, ଗଙ୍ଗାଯମୁନା ଏବଂ ଦେବୀପାଦହରା ଐତିହ୍ୟ ପୁଷ୍କରିଣୀର ପୁନଃରୁଦ୍ଧାର ଏବଂ ସଂରକ୍ଷମ କରାଯିବ । ଲିଙ୍ଗରାଜ ମନ୍ଦିରର ନିରାପତାକୁ ଆହୁରି ସୁଦୃଢ଼ କରାଯିବ ।

ଏହି ଯୋଜନା ଦ୍ୱାରା ଜୀବିକା ହରାଉଥିବା ଉଠାଦୋକାନୀମାନଙ୍କୁ ୨ଟି କିସ୍ତିରେ ୩୦ ହଜାର ଟଙ୍କା ଏକକାଳୀନ ସହାୟତା ଦିଆଯିବ । ଭେଣ୍ଡିଂ ଜୋନ କରାଯାଇ ସେମାନଙ୍କୁ ଥଇଥାନ କରାଯିବ । ପକ୍କା ଘରେ ଥିବା ଦୋକାନ ଘର ଉଚ୍ଛେଦ ନିମନ୍ତେ ବ୍ୟବସାୟୀଙ୍କୁ ୧୨ମାସ ନିମନ୍ତେ ମାସିକ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ଦିଆଯିବ । ପରବର୍ତୀ ସମୟରେ ବି.ଏମ.ସି, ପର୍ଯ୍ୟଟନ ବିଭାଗ ଦ୍ୱାରା ନିର୍ମିତ ମାର୍କେଟରେ ଅଥବା ନୂତନ ମାର୍କେଟ କମ୍ପେ୍ଲକ୍ସ ନିର୍ମାଣ କରାଯାଇ ସେମାନଙ୍କୁ ଥଇଥାନ କରାଯିବ । ସ୍ଥିତିବାନ ଆବାସିକ କିମ୍ବା ବ୍ୟବସାୟିକ ଗୃହ ଉଚ୍ଛେଦ କ୍ଷେତ୍ରରେ କ୍ଷତିଗ୍ରସ୍ତଙ୍କ ସହିତ ଆଲୋଚନା କରାଯାଇ ନିୟମ ଅନୁସାରେ କ୍ଷତିପୂରଣ ଦିଆଯିବ ।

ଆଜି ସଂନ୍ଧ୍ୟାରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଲିଙ୍ଗରାଜ ମନ୍ଦିରର ବିକାଶ ସମ୍ପର୍କରେ ଆଲୋଚନା ହୋଇଥିଲା । ଏଥିରେ ଶ୍ରୀ ଜଗନ୍ନାଥ ମନ୍ଦିର ପରି ଲିଙ୍ଗରାଜ ମନ୍ଦିର ପାଇଁ ସ୍ୱତନ୍ତ୍ର ଆଇନ ପ୍ରଣୟନ କରିବାକୁ ବୈଠକରେ ନିଷ୍ପତି ହୋଇଥିଲା । ଏହି ବୈଠକରେ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା, ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ପୂର୍ତ ସଚିବ ଓ ମ୍ୟୁନିସପାଲ କମିଶନର ପ୍ରମୁଖ ଉପସ୍ଥିତ ଥିଲେ ।