ପ୍ରବାସୀ ଶ୍ରମିକଙ୍କ ସୁରକ୍ଷା ଓ ସହାୟତା ନିମନ୍ତେ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପ୍ରବାସୀ ଶ୍ରମିକମାନଙ୍କୁ ଚିହ୍ନଟ କରାଯିବା ସହ ବିଭିନ୍ନ ପଦକ୍ଷେପ ମାଧ୍ୟମରେ ରାଜ୍ୟ ଭିତରେ ଶ୍ରମିକମାନଙ୍କ ନିୟୋଜନ ପାଇଁ କାମ କରିବାର ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିଛନ୍ତି । ପ୍ରାରମ୍ଭିକ ପର୍ଯ୍ୟାୟରେ ବଲାଙ୍ଗୀର ଏବଂ ନୂଆପଡା ଜିଲ୍ଲାର ଆରମ୍ଭ କରାଯାଇ ଏହି ଆକ୍ସନ ପ୍ଲାନରେ ଏବେ ୧୧ଟି ଜିଲ୍ଲାକୁ ସାମିଲ କରାଯାଇଛି ।

ଶ୍ରମକୁ ସବୁଦିନ ସର୍ବାଧିକ ମହତ୍ୱ ଦେଇ ଆସୁଥିବା ଏବଂ ଶ୍ରମିକଙ୍କ କଲ୍ୟାଣ ପାଇଁ ଏକାଧିକ ଲୋକାଭିମୁଖୀ କାର୍ଯ୍ୟକ୍ରମ ଗ୍ରହଣ କରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି । ଏହି ପ୍ୟାକେଜ୍ ରେ ୧୧ଟି ଦାଦନ ପ୍ରବଣ ଜିଲ୍ଲାର ଶ୍ରମିକଙ୍କୁ ଆର୍ଥିକ ସହାୟତା ଏବ ଜୀବନଜୀବିକାର ସ୍ୱଚ୍ଛଳତା ପାଇଁ ମୁଖ୍ୟମନ୍ତ୍ରୀ ଏହି ପ୍ୟାକେଜ୍ ଘୋଷଣା କରିଛନ୍ତି । ତେବେ ୧୧ଟି ଜିଲ୍ଲା ଗୁଡିକ ହେଲା, ବଲାଙ୍ଗୀର, ବରଗଡ, କଳାହାଣ୍ଡି, ନୂଆପଡା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡା, ନବରଙ୍ଗପୁର ଏବଂ ଖୋର୍ଦ୍ଧା । ଏହି ପ୍ୟାକେଜ୍ ଦ୍ୱାରା ପ୍ରବାସୀ ଶ୍ରମିକଙ୍କ ପାଇଁ ନିଜ ଅଂଚଳରେ କର୍ମନିଯୁକ୍ତିର ସୁଯୋଗ ସୃଷ୍ଟି କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ପ୍ରବାସୀ ଶ୍ରମିକଙ୍କ ସୁରକ୍ଷା ଓ କଲ୍ୟାଣ ନିମନ୍ତେ ରାଜ୍ୟ ଭିତରେ ଏବଂ ରାଜ୍ୟ ବାହାରେ ବିନା ଦେୟରେ ଶ୍ରମିକ ସହାୟତା ହେଲ୍ପଲାଇନ ନମ୍ବର(ରାଜ୍ୟ ଭିତରେ ସହାୟତା ନମ୍ବର-୧୫୫୩୬୮ ଏବଂ ରାଜ୍ୟ ବାହାରେ-୧୮୦୦୨୪୫୬୭୦୩), ଶ୍ରମିକମାନଙ୍କର ଉଦ୍ଧାର ଏବଂ ସେମାନଙ୍କ ଅଭିଯୋଗ ସମାଧାନ ନିମନ୍ତେ ଅନଲାଇନ୍ ଅଭିଯୋଗ ଗ୍ରହଣ ବ୍ୟବସ୍ଥା “ଇ-ଶ୍ରମିକ ସମାଧାନ” ଏବଂ ଶ୍ରମିକଙ୍କ ଆର୍ଥିକ ସଶକ୍ତିକରଣ ନିମନ୍ତେ ସ୍ୱତନ୍ତ୍ର ସହାୟତା ପ୍ୟାଜେକ୍ ଘୋଷଣା କରାଯାଇଛି ।

ସ୍ୱତନ୍ତ୍ର ପ୍ୟାକେଜ ମାଧ୍ୟମରେ ଶୁଭାରମ୍ଭ କରାଯାଇଥିବା ସହାୟତା ଗୁଡିକ ହେଲା:
-ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ବରଗଡ, ନୂଆପଡା, ନୂଆପଡା ଓ କଳାହାଣ୍ଡି ଜିଲ୍ଲାରେ ୨୦ଟି ବ୍ଲକରେ ଅତିରିକ୍ତ ୧୦୦ଦିନର କାର୍ଯ୍ୟ ସହିତ ବର୍ଦ୍ଧିତ ମଜୁରୀ
-ଉକ୍ତ ୨୦ଟି ବ୍ଲକର ସବୁ ପଂଚାୟତକୁ ଜୀବିକା ମିଶନର “ସଘନ ପଂଚାୟତ” ଭାବେ ଗ୍ରହଣ
-ଉକ୍ତ ପଂଚାୟତ ଗୁଡିକରେ ସମସ୍ତ ପରିବାରର ମହିଳା ସଦସ୍ୟମାନଙ୍କୁ “ସ୍ୱୟଂ ସହାୟତ ଗୋଷ୍ଠୀ”ରେ ସାମିଲ
-ସମସ୍ତ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟମାନଙ୍କ ପାଇଁ ବୀମା ସୁବିଧା
-ବ୍ୟାଙ୍କିଙ୍ଗ ସୁବିଧା ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କୁ “ବ୍ୟାଙ୍କମିତ୍ର” ଭାବେ ନିଯୁକ୍ତି
-ଉକ୍ତ ୨୦ଟି ବ୍ଲକର ପ୍‌କ୍‌ାଘର ନ ଥିବା ପରିବାରଙ୍କ ପାଇଁ ପକ୍କାଘର ସୁବିଧା
-ପ୍ରବାସୀ ଶ୍ରମିକ ସହାୟତା ପାଇଁ ପ୍ରତି ପଂଚାୟତରେ “ଶ୍ରମିକ ମିତ୍ର” ନିଯୁକ୍ତି
-ଆର୍ଥିକ ସଶକ୍ତିକରଣ ପାଇଁ ବିଡିଓଙ୍କ ନିରାପତା ପାଣ୍ଠିରୁ ଆର୍ଥିକ ସହାୟତା ପାଇଁ ଆବେଦନ ସୁବିଧା
-ଯୋଗ୍ୟ ନିର୍ମାଣ ଶ୍ରମିକଙ୍କୁ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ମାଧ୍ୟମରେ ବିଭି୍‌ନ୍ନ ସହାୟତା ପ୍ରଦାନ
-ସଠିକ୍ ଭାବେ ସହାୟତା ଯୋଗାଇଦେବା ପାଇଁ ଜିଲ୍ଲା ଓ ରାଜ୍ୟ ସ୍ତରରେ ପ୍ରବାସୀ ଶ୍ରମିକମାନଙ୍କର ଡାଟାବେସ୍ ପ୍ରସ୍ତୁତି
-ବ୍ୟାପକ ସଚେତନତା ନିମନ୍ତେ ଆଇ.ଇ.ସି କାର୍ଯ୍ୟକ୍ରମ
-ଶ୍ରମିକମାନଙ୍କ ପାଇଁ ୫୦୦କୋଟି ଟଙ୍କାର କର୍ପସ ପାଣ୍ଠି