ଚିଦାମ୍ବରମଙ୍କ ହାଜତ ମିଆଦ ବଢିଲା ୧୪ ଦିନ

ନୂଆଦିଲ୍ଲୀ:ଆଇଏନଏକ୍ସ ମିଡିଆ ମାମଲାରେ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କୁ ପୁଣି ଥରେ ଶକ୍ତ ଧକ୍କା ଲାଗିଛି। କୋର୍ଟ ତାଙ୍କର ଜାମିନ ଆବେଦନ ଖାରଜ କରି ତାଙ୍କୁ ନଭେମ୍ବର ୧୩ ଯାଏ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।  ଏହା ସହିତ କୋର୍ଟ ଏହି ପ୍ରକରଣରେ ଆଉ ଗୋଟିଏ ଦିନ ଚିଦାମ୍ବରମଙ୍କୁ ଜେରା କରିବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ଦାବିକୁ ମଧ୍ୟ ଖଣ୍ଡ କରିଛନ୍ତି। ତାଙ୍କର ସ୍ଵାସ୍ଥ୍ୟବସ୍ଥାକୁ ଦୃଷ୍ଟିରେ ରଖି ଘର ତିଆରି ଖାଦ୍ୟ ଖାଇବାକୁ ଚିଦାମ୍ବରମଙ୍କୁ ଅନୁମତି ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ଚିଦାମ୍ବରମ ସଂପ୍ରତି ତିହାର ଜେଲରେ ବନ୍ଦୀ ଅଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ୨୦୧୭ରେ ବେଆଇ ଅର୍ଥ କାରବାର ମାମଲାରେ ତାଙ୍କ ବିରୋଧରେ ଏତଲା ଦାୟର କରିଥିଲା। ଚିଦାମ୍ବରମଙ୍କୁ ସିବିଆଇ ଅଗଷ୍ଟ ୨୧ରେ ତାଙ୍କ ବାସଭବନରୁ ଗିରଫ କରିଥିଲା। ଆଇଏନଏକ୍ସ ମିଡିଆ କେସରେ ଅନ୍ୟ ଆରୋପି ପିଟର ମୁଖାର୍ଜୀ ଓ ଇନ୍ଦ୍ରାଣୀ ମୁଖାର୍ଜୀଙ୍କୁ ଜେରା ସମୟରେ ଚିଦାମ୍ବରମ ଓ ତାଙ୍କ ପୁତ୍ର କାର୍ତ୍ତି ଚିଦାମ୍ବରମଙ୍କ ସଂପୃକ୍ତି ଥିବା ସାମ୍ନାକୁ ଆସିଥିଲା। 

ଆଜି ଶୁଣାଣୀ ସମୟରେ ରାଉଜ ଏଭେନ୍ୟୁ କୋର୍ଟରେ ଇଡି କହିଛି ଯେ, ଚିଦାମ୍ବରମଙ୍କୁ ଅଧିକ ଜେରା ହୋଇ ପାରିନାହିଁ। ଆଉ କିଛି ପ୍ରଶ୍ନର ଉତ୍ତର ଇଡି ଚିଦାମ୍ବରମଙ୍କଠୁ ଚାହୁଁଛି। ତେଣୁ ତାଙ୍କର ଗୋଟିଏ ଦିନ ହାଜତ ମିଆଦ ବଢାଯାଉ। ଚିଦାମ୍ବରମଙ୍କ ଓକିଲ କପିଲ ସିବ୍ବଲ ଇଡିଙ୍କ ଦାବିକୁ ଖାରଜ କରି କୋର୍ଟରେ ଦାବି କରିଥିଲେ ଯେ କେଉଁ କାରଣ ଲାଗି ଚିଦାମ୍ବରମଙ୍କ ହେପାଜତ ଅବଧିକୁ ବଢାଯିବ ତାହା ମଧ୍ୟ କୋର୍ଟରେ ଦର୍ଶାଯାଉ। 

ଉଲ୍ଲେଖଯୋଗ୍ୟ, ଅକ୍ଟୋବର ୨୮ରେ ଅଚାନକ  ସ୍ଵାସ୍ଥ୍ୟ ବିଗିଡ଼ିବାରୁ ଚିଦାମ୍ବରମଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା। ସ୍ଵାସ୍ଥ୍ୟ ଯାଞ୍ଚ ପରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା। ତାଙ୍କର ପେଟଜନିତ ସମସ୍ୟା ଥିଲା, ସ୍ଵାସ୍ଥ୍ୟ ସ୍ଥିର ରହିବାରୁ ତାଙ୍କୁ ମେଡିକାଲରୁ ଛୁଟି ଦିଆଯାଇଥିଲା।