ପିଏମ ମୋଦୀଙ୍କୁ ମିଳିଥିବା ୨୭୦୦ ଉପହାରର ହେବ ନିଲାମି

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦେଶ-ବିଦେଶରୁ ଅନେକ ଉପହାର ମିଳିଥାଏ । ସେ ଯେବେବି କୌଣସି ଦେଶ ଗସ୍ତ କରନ୍ତି, ତାଙ୍କୁ ସେହି ଦେଶର ରାଷ୍ଟ୍ର ମୁଖ୍ୟଙ୍କ ଦ୍ୱାରା କିଛି ଉପହାର ଦିଆଯାଇଥାଏ । ଅନ୍ୟପଟେ, ଏବେ ସେହି ଉପହାର ଗୁଡିକୁ ନିଲାମ କରିବାକୁ ନିଷ୍ପତି ନିଆଯାଇଛି । 

ରିପୋର୍ଟ ଅନୁସାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମିଳିଥିବା 2700ରୁ ଅଧିକ ଉପହାରକୁ ଆସନ୍ତା ସେପ୍ଟେମ୍ୱର 14 ତାରିଖରେ ଅନଲାଇନରେ ନିଲାମ କରାଯିବ । କେନ୍ଦ୍ର କଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ପଟେଲ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ପାଖରେ ଥିବା 2772ଟି ଉପହାରକୁ ନିଲାମ କରାଯିବ । କେନ୍ଦ୍ରମନ୍ତ୍ରୀ ସୂଚନା ଦେଇ କହିଛନ୍ତି ଯେ ସ୍ମୃତି ଚିହ୍ନର ସର୍ବନିମ୍ନ ମୂଲ୍ୟ 200 ଟଙ୍କା ଏବଂ ସର୍ବୋଚ୍ଚ ମୂଲ୍ୟ ଅଢେଇ ଲକ୍ଷ ରଖାଯାଇଛି । 

ଚଳିତ ବର୍ଷ ଜାନୁଆରୀ ମାସରେ ଆରମ୍ଭ ହୋଇଥିବା ଏକ ନିଲାମିରେ ପ୍ରଧାନମନ୍ତ୍ରୀଙ୍କୁ ମିଳିଥିବା 1,800ରୁ ଅଧିକ ଉପହାରକୁ ବିକ୍ରି କରାଯାଇଥିଲା । ନିଲାମିରୁ ମିଳିଥିବା ଧନରାଶିକୁ ନାମାମି ଗଙ୍ଗେ ପ୍ରୋଜେକ୍ଟକୁ ଦାନ କରାଯାଇଥିଲା । ନମାମି ଗଙ୍ଗେ କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏକ ପରିଯୋଜନା । ଏହି ଯୋଜନା ମାଧ୍ୟମରେ ଗଙ୍ଗାକୁ ସ୍ୱଚ୍ଛ କରିବାର ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର ।