ଅମରନାଥ ଯାତ୍ରା ପାଇଁ ୧.୧୦ଲକ୍ଷ ଯାତ୍ରୀଙ୍କ ନାମ ପଞ୍ଜୀକରଣ

ନୂଆଦିଲ୍ଲୀ : ଦକ୍ଷିଣ କାଶ୍ମୀରର ହିମାଳୟ ପର୍ବତାଞ୍ଚଳରେ ଅବସ୍ଥିତ ଅମରନାଥଙ୍କ ପବିତ୍ର ଗୁମ୍ଫା ଦର୍ଶନ ପାଇଁ ଆସନ୍ତା ଜୁଲାଇ ୧ତାରିଖରୁ ଆରମ୍ଭ ହେଉଥିବା ଯାତ୍ରା ନିମନ୍ତେ ଚଳିତବର୍ଷ ୧ଲକ୍ଷ ୧୦ହଜାରରୁ ଅଧିକ ତୀର୍ଥଯାତ୍ରୀ ସେମାନଙ୍କ ନାମ ପଞ୍ଜୀକରଣ କରିଛନ୍ତି। ଜାମ୍ମୁ ଓ କାଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ଏହି ତୀର୍ଥଯାତ୍ରା ପାଇଁ ଗତ ସପ୍ତାହରେ ଅନଲାଇନ ପଞ୍ଜୀକରଣର ଶୁଭାରମ୍ଭ କରିଥିଲେ।

ଏପ୍ରିଲ ୨ତାରିଖରେ ବାଲ୍‍ତାଲ ଏବଂ ଚନ୍ଦନୱାରୀ ମାର୍ଗ ଦେଇ ବାର୍ଷିକ ଅମରନାଥ ଯାତ୍ରା ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା ଏବଂ ନିର୍ଦ୍ଧିଷ୍ଟ ଦିନ ଓ ମାର୍ଗ ପାଇଁ ବୈଧ ଥିବା ଏହି ଅନୁମତିପତ୍ର ବିନା କେହି ଯାତ୍ରା କରିପାରିବେ ନାହିଁ । ଏହି ତୀର୍ଥଯାତ୍ରା ପାଇଁ ୨୯ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଓ ଜାମ୍ମୁ ଓ କାଶ୍ମୀର ଏବଂ ଦି ୟେସ୍‍ ବ୍ୟାଙ୍କର ୪୪୦ଟି ଅଧିକୃତ ଶାଖାରେ ପଞ୍ଜୀକରଣ ବ୍ୟବସ୍ଥା କରାଯାଇଛି ।  ଦୀର୍ଘ ୪୬ଦିନର ଏହି ଯାତ୍ରା ଜୁଲାଇ ୧ତାରିଖଠାରୁ ଆରମ୍ଭ ହୋଇ ଅଗଷ୍ଟ ୧୫ତାରିଖ ଶ୍ରାବଣ ପୂର୍ଣ୍ଣିମା ଦିନ ସମାପ୍ତ ହେବ ।