ଆମର ଦୃଢ଼ ନିଷ୍ପତ୍ତି ଏବଂ ବଦ୍ଧପରିକରତା ହିଁ ଆମ ଭବିଷ୍ୟତ ନିର୍ଦ୍ଧାରଣ କରିପାରିବ

ନୂଆଦିଲ୍ଲୀ: ଗୁରୁବାର  ‘ଇଣ୍ଡିଆନ୍ ଚାମ୍ବର୍ ଅଫ୍ କମର୍ସ’ର (ଆଇସିସି) ୯୫ତମ ବାର୍ଷିକ ପୂର୍ଣ୍ଣ ଅଧିବେଶନରେ ଉଦ୍‌ଘାଟନୀ ଭାଷଣ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଲେ ଯେ ସମଗ୍ର ଦେଶ କୋଭିଡ୍-୧୯ ବିପକ୍ଷରେ ସଂଗ୍ରାମ ଚଳାଇଥିବା ସହ ଏକାଧିକ ଆହ୍ୱାନ ମୁକାବିଲା କରୁଥିବା ବେଳେ ଏହି ଅବସର ଆସିଛି। ଏହି ସଙ୍କଟକୁ ସୁଯୋଗରେ ପରିଣତ କରିବାକୁ ଦେଶର ସମସ୍ତ ନାଗରିକ ପ୍ରତିଜ୍ଞାବଦ୍ଧ। ଆମେ ଏହି ସଙ୍କଟକୁ ଦେଶର ପ୍ରମୁଖ ପରିବର୍ତ୍ତନର ପ୍ରବର୍ତ୍ତକ କରିବା। ସେ ପରିବର୍ତ୍ତନଟି କ’ଣ? ତାହା ହେଉଛି ‘ଆତ୍ମନିର୍ଭର ଭାରତ’।

ପ୍ରଧାନମନ୍ତ୍ରୀ କହିଲେ, ସମଗ୍ର ବିଶ୍ୱ ‌କୋଭିଡ୍-୧୯ ବିପକ୍ଷରେ ଲଢୁଛି। ଭାରତ ବି ଲଢୁଛି। ଏହି ସଙ୍କଟଜନକ ସମୟ‌ରେ ଅନ୍ୟାନ୍ୟ ପ୍ରତିକୂଳ ପରିସ୍ଥିତି ବି ଦେଖାଦେଉଛି।

ଗତ କେତେ ମାସ‌ ହେବ ଦେଶର କେତେକ ଭାଗରେ ପଙ୍ଗପାଳ ଆକ୍ରମଣ ଠାରୁ ଆରମ୍ଭ କରି ଭୂମିକମ୍ପ ଏବଂ ବାତ୍ୟା ମଧ୍ୟ ସଘଂଠିତ ହୋଇଛି। କରୋନାଭାଇରସ୍ ସଙ୍କଟ କାଳରେ ଦେଶ ଅନେକ ଆହ୍ୱାନର ସମ୍ମୁଖୀନ ହୋଇଛି। ଏହି ଆହ୍ୱାନର ସହ୍ୟ କରିବାକୁ ଆମେ ଏକଜୁଟ ହୋଇଛନ୍ତି। ଅର୍ଥାତ୍ କେବଳ ଆମର ଦୃଢ଼ ନିଷ୍ପତ୍ତି ଏବଂ ବଦ୍ଧପରିକରତା ହିଁ ଆମ ଭବିଷ୍ୟତ ନିର୍ଦ୍ଧାରଣ କରିପାରିବ।

୯୫ ବର୍ଷ ଅତିକ୍ରାନ୍ତ କରିସାରିଥିବା ‘ଚାମ୍ବର୍ ଅଫ୍ କମର୍ସ’କୁ ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ ମୋଦୀ ଭିଡିଓ କନ୍‌ଫରେନ୍‌ସିଙ୍ଗ୍ ଜରିଆରେ ତାଙ୍କର ବକ୍ତବ୍ୟ ଆରମ୍ଭ କରିଥିଲେ। ସେ କହିଲେ କି, ‘ଆଇସିସି’ ଦୀର୍ଘ ଦିନ ଧରି ଲୋକପ୍ରିୟ ହୋଇ ରହିଛି ଏବଂ ଦେଶର ଅଭିବୃଦ୍ଧି ପଥରେ ବିପୁଳ ଅବଦାନ ଦେଇଛି।