ଓଟିଇଟି ଫଳ ପ୍ରକାଶନର ପରେ ବି ମିଳୁନି ପରିସଂଖ୍ୟାନ

କଟକ : ବ‌ର୍ଷ ଆରମ୍ଭରୁ ଓଟିଇଟିକୁ ନେଇ ଲାଗି ରହିଛି ବିବାଦ। ବର୍ଷ ସରିବାକୁ ବସିଲାଣି, ହେଲେ ସମାଧାନ ସୂତ୍ର ପାଉନାହାନ୍ତି ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) କର୍ତ୍ତୃପକ୍ଷ। ଏ ପ୍ରକାର ତ୍ରୁଟି ପାଇଁ ବୋର୍ଡର ବିଶ୍ବସନୀୟତାକୁ ନେଇ ପ୍ରଶ୍ନ ଉଠୁଛି। ଚଳିତ ମାସ ୨୦ ତାରିଖରେ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ଫଳ ପ୍ରକାଶ ପାଇଥିଲେ ମଧ୍ୟ ଫଳ ସଂପର୍କିତ କୌଣସି ପରିସଂଖ୍ୟାନ ବୋର୍ଡ ପକ୍ଷରୁ ମିଳିନାହିଁ। ବୋର୍ଡ କର୍ତ୍ତୃପକ୍ଷ କିଛି ଲୁଚାଇବାକୁ ଚେଷ୍ଟା କରୁଥିବା ଚର୍ଚ୍ଚା ହେଉଛି। ପରୀକ୍ଷାରେ ଗ୍ରେସ୍ ମାର୍କ ମିଳିଛି ନା ନାହିଁ, ଯଦି ମିଳିଛି କେତେ ମିଳିଛି, ଓଟିଇଟି ପ୍ରଶ୍ନପତ୍ର ବିଭ୍ରାଟକୁ ନେଇ ଗଠିତ କଣ୍ଡକ୍ଟିଂ ବୋର୍ଡ କି ପ୍ରକାର ରିପୋର୍ଟ ଦେଇଛନ୍ତି, ତାହା କିପରି କାର୍ଯ୍ୟକାରୀ ହୋଇଛି, ଏହି ଭଳି ଅନେକ ପ୍ରଶ୍ନ ଏବେ ପରୀକ୍ଷାର୍ଥୀଙ୍କ ମନରେ ଉଙ୍କି ମାରୁଛି। ଏ ସଂକ୍ରାନ୍ତରେ ବିଭିନ୍ନ ଶିକ୍ଷକ ସଂଗଠନ ବିଚାରବିମର୍ଶ ପାଇଁ ଏକାଠି ହେଉଥିବା ସୂଚନା ମିଳିଛି।

ମାଟ୍ରିକ୍ ପରୀକ୍ଷାରେ ୬ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି। ପୁଣି ପ୍ରତି ପରୀକ୍ଷାର୍ଥୀ ୬ଟି ବିଷୟ ହେଉଥିବା ବେଳେ ଏହା ଅଫଲାଇନରେ କରାଯାଉଛି। ଖାଲି‌ ସେତିକି ନୁହେଁ; ମାଟ୍ରିକ୍ ସହିତ ଏକକାଳୀନ ମଧ୍ୟମା, ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା କରାଯାଉଛି। ପରୀକ୍ଷା ସରିବାର ଦେଢ଼ ମାସରୁ ୨ମାସ ମଧ୍ୟରେ ପରିସଂଖ୍ୟାନ ସହିତ ଫଳ ପ୍ରକାଶ ପାଉଛି। କିନ୍ତୁ ଓଟିଇଟି ପରୀକ୍ଷା କ୍ଷେତ୍ରରେ ଏହା ହୋଇପାରୁନି କାହିଁକି ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି। ଓଟିଇଟି ପରୀକ୍ଷା ମାତ୍ର ୧ ଲକ୍ଷ ୨୦ ହଜାର ପରୀକ୍ଷାର୍ଥୀ ଚଳିତ ବ‌ର୍ଷ ଅଗଷ୍ଟ ମାସରେ ପରୀକ୍ଷା ଦେଇଥିବା ବେଳେ ପରୀକ୍ଷା ସରିବାର ଅଢ଼େଇ ମାସ ପରେ ଅର୍ଥାତ ଚଳିତ ମାସ ୨୦ ତାରିଖରେ ଫଳ ପ୍ରକାଶ ପାଇଲା। କିନ୍ତୁ ଫଳର କୌଣସି ପରିସଂଖ୍ୟାନ ଏ ଯାଏ ମିଳିନାହିଁ। ବୋର୍ଡ ପାଖରେ ପରିସଂଖ୍ୟାନ ନାହିଁ ନ କିଛି ତ୍ରୁଟି ଲୁଚାଇବାକୁ ବୋର୍ଡ କର୍ତ୍ତୃପକ୍ଷ ଉଦ୍ୟମ କରୁଥିବା ଚର୍ଚ୍ଚା ହେଉଛି।

ଚଳିତ ବ‌ର୍ଷ ଜାନୁଆରି ୧୬ରେ ଓଟିଇଟି ଅଫ୍‌ଲାଇନ୍‌ରେ ହୋଇଥିଲା। କିନ୍ତୁ ପେପର-୧ ପରୀକ୍ଷା ଚାଲିଥିବା ଉଭୟ ପେପର-୧ ଓ ୨ର ପ୍ରଶ୍ନପତ୍ର ଭାଇରାଲ ହେବାରୁ ପରୀକ୍ଷାକୁ ବାତିଲ କରାଯାଇଥିଲା। ପରେ ବୋର୍ଡ କର୍ତ୍ତୃପକ୍ଷ ଓଟିଇଟି ପରୀକ୍ଷାକୁ ଅଫ୍‌ଲାଇନ ପରିବର୍ତ୍ତେ ଅନଲାଇନରେ କରାଯିବାକୁ ସ୍ଥିର କରିଥିଲେ। ଓଟିଇଟିର ଦ୍ବିତୀୟ ପରୀକ୍ଷା ଅଗଷ୍ଟ ୫ରୁ ଅଗଷ୍ଟ ୧୮ତାରିଖ ମଧ୍ୟରେ ୩ ସିଫ୍ଟ୍‌ରେ ଅନ୍‌ଲାଇନ୍‌ରେ ପରିଚାଳନା କରାଯାଇଥିଲା। କିନ୍ତୁ ପ୍ରଶ୍ନରେ ଅନେକ ପ୍ରକାର ତ୍ରୁଟି ହୋଇଥିଲା। ଏ ସଂକ୍ରାନ୍ତ ପରୀକ୍ଷାର୍ଥୀଙ୍କ ସମେତ ବହୁ ଶିକ୍ଷକ ସଂଗଠନ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଥିଲେ। ପରବର୍ତ୍ତୀ ସମ‌ୟରେ ପରୀକ୍ଷା ପରିଚାଳନା କରିଥିବା କମ୍ପ୍ୟୁଟର ଫାର୍ମ ଦୋଷ ଲୁଚାଇବା ପାଇଁ ତ୍ରୁଟି ଥିବା ପ୍ରଶ୍ନକୁ ସଂ‌ଶୋଧନ କରି ସେହି ଅନୁସାରେ ‘ଆନ୍‌ସର କି’ ନେଟ୍‌ରେ ଛାଡ଼ିଥିଲେ। ଏହାକୁ ନେଇ ପୁଣି ବିବାଦୀୟ ପରସ୍ଥିତି ସୃ‌ଷ୍ଟି ହୋଇଥିଲା। ଏହାକୁ‌ ନେଇ ଚଳିତ ବର୍ଷ ଅକ୍ଟୋବର ୨୧ତାରିଖରେ ଗଣଶିକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ବୈଠକରେ ପ୍ରଶ୍ନପତ୍ର ସମୀକ୍ଷା ପାଇଁ ଏକ କଣ୍ଡକ୍ଟିଂ ବୋର୍ଡ ଗଠନ କରାଯିବା ସହିତ ନଭେମ୍ବର ୨୦ ତାରିଖ ମଧ୍ୟରେ ଫଳ ପ୍ରକାଶନ ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ମନ୍ତ୍ରୀଙ୍କ କଥା ଅନୁସାରେ ଓଟିଇଟି ପରୀକ୍ଷାଫଳ ପ୍ରକାଶ ପାଇଛି। କିନ୍ତୁ ଫଳ ତଥ୍ୟହୀନ। ଏପରି ତରବରିଆ ଫଳ ପ୍ରକାଶନକୁ ନେଇ ପରୀକ୍ଷାର୍ଥୀ ତଥା ଶିକ୍ଷକ ସଂଗଠନ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏ ସଂକ୍ରାନ୍ତରେ ବୋର୍ଡ ସଂପାଦକ ଶ୍ରୀ ରାମାଶିଷ ହାଜରା କହିଛନ୍ତି, ଓଟିଇଟି ପରୀକ୍ଷା ଫଳ ବୋର୍ଡ ୱେବ ସାଇଟ୍‌ରେ ଛଡ଼ାଯାଇଛି। ଏହାର ପରିସଂଖ୍ୟାନ ପରେ ପ୍ରକାଶ ପାଇବ।