ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫାଣ୍ଠିକୁ ୫ଲକ୍ଷ ଟଙ୍କା ଦାନ କଲା ଓଟିଡିସି

ଭୁବନେଶ୍ୱର: କୋରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନିଜର ୩ମାସର ଦରମା ଦାନ କରିଥିବାବେଳେ ସମସ୍ତ ବିଧାୟକ ଓ ସାଂସଦ ଏଥିରେ ସାମିଲ ହୋଇଛନ୍ତି । ସେହିଭଳି ଆଜି ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମ(ଓଟିଡିସି) ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୫ଲକ୍ଷ ଟଙ୍କା ଦାନ କରିଥିବା ଜଣାପଡିଛି ।

ଓଟିଡିସି ପକ୍ଷରୁ ଜାରି ସୂଚନା ଅନୁସାରେ, ସମଗ୍ର ବିଶ୍ୱ ଏବେ ‘କୋରୋନା’ ବା ‘କୋଭିଡ୍‌-୧୯ ଭୂତାଣୁ’ ବିରୁଦ୍ଧରେ ଯୁଦ୍ଧ କରୁଛି। ତେବେ ମୁଖ୍ୟମନ୍ତ୍ରୀଙ୍କ ସମୟୋଚିତ ଦୃଢ଼ ପଦକ୍ଷେପ ଓ ଓଡ଼ିଶାବାସୀଙ୍କ ସକ୍ରିୟ ସହଯୋଗ ଯୋଗୁ କୋରୋନା ଜନିତ ସଂକ୍ରମଣକୁ ଓଡ଼ିଶା ଆଜି ସୁଦ୍ଧା ନିୟନ୍ତ୍ରଣରେ ରଖିବାକୁ ସକ୍ଷମ ହୋଇଛି। ପ୍ରାୟ ସବୁ ଜିଲ୍ଲାକୁ ସିଲ୍ କରିଦିଆଯାଇଛି। ଏହି ଘଡ଼ିସନ୍ଧି ମୁହୂର୍ତରେ କୋରୋନାର ମୁକାବିଲା ଓ ମାନବିକତା ଗତିବିଧିକୁ କ୍ରିୟାଶୀଳ କରି ରଖିବା ଉଦ୍ଦେଶ୍ୟରେ ଓଟିଡିସି ଆଜି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିଛନ୍ତି। ଏହି ଟଙ୍କା ଆଜି ମନି ଟ୍ରାନ୍ସଫର ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରେରଣ କରାଯାଇଛି।

ଏହି ଅବସରରେ  ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ସମଗ୍ର ଓଡ଼ିଶାବାସୀଙ୍କୁ ସାମ୍ପ୍ରତିକ ପରିସ୍ଥିତିରେ ସାମାଜିକ ଦୂରତ୍ୱକୁ ଯଥାସମ୍ଭବ ପାଳନ କରି ନିଜ ଘରେ ନିଜକୁ ଆବଦ୍ଧ ରଖି ନିଜର ଆତ୍ମୀୟସ୍ୱଜନ ଓ ପରିବାରବର୍ଗଙ୍କୁ ବିଶ୍ୱ ମହାମାରୀ ‘କରୋନା’ରୁ ସୁରକ୍ଷିତ ରଖିବାକୁ ଅନୁରୋଧ କରିଛନ୍ତି। ଏହାସହିତ ମୁଖ୍ୟମନ୍ତ୍ରୀଙ୍କ କୋରୋନା ମୁକାବିଲା ନିମନ୍ତେ ଯେଉଁ ଶପଥ ପାଠ ପାଇଁ ଆହ୍ୱାନ କରିଛନ୍ତି ତାକୁ ସମସ୍ତେ ଅନୁସରଣ କରିବା ନିମନ୍ତେ ଶ୍ରୀମତୀ ମିଶ୍ର ବିନମ୍ର ଅନୁରୋଧ କରିଛନ୍ତି।