ଭୁବନେଶ୍ୱରରେ ହେବ ବିପର୍ଯ୍ୟୟଜନିତ ସମ୍ଭାବ୍ୟ କ୍ଷୟକ୍ଷତି ହ୍ରାସ ସମ୍ବନ୍ଧୀୟ ଆଞ୍ଚଳିକ କର୍ମଶାଳା

ଭୁବନେଶ୍ୱର : ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଏନ୍‌.ଡି.ଏମ୍‌.ଏ) ଏବଂ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଓ.ଏସ୍‌.ଡି.ଏମ୍‌.ଏ.)ଙ୍କ ମିଳିତ ସହଯୋଗରେ ତା.୧୦.୦୨.୨୦୨୦ରିଖ ଏବଂ ତା. ୧୧.୦୨.୨୦୨୦ରିଖରେ ବିପର୍ଯ୍ୟୟଜନିତ ସମ୍ଭାବ୍ୟ କ୍ଷୟକ୍ଷତି ହ୍ରାସ ସମ୍ବନ୍ଧୀୟ ଏକ ଆଞ୍ଚଳିକ କର୍ମଶାଳା ଭୁବନେଶ୍ୱରସ୍ଥିତ ହୋଟେଲ ମେ ଫେୟାର୍ ଠାରେ ଆୟୋଜନ କରାଯାଉଅଛି । ଏହି କର୍ମଶାଳାରେ ଅନ୍ଧ୍ରପ୍ରଦେଶ, ବିହାର, ଛତିଶଗଡ, ପଶ୍ଚିମ ବଙ୍ଗ ଏବଂ ଓଡ଼ିଶା ରାଜ୍ୟଗୁଡିକରେ ବନ୍ୟା, ବାତ୍ୟା, ଭୂମିକମ୍ପ, ଜରୁରୀକାଳୀନ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିପର୍ଯ୍ୟୟ ପ୍ରଶମନ ପଦକ୍ଷେପ ଏବଂ ବିପର୍ଯ୍ୟୟ କ୍ଷୟକ୍ଷତି ପରିଚାଳନାରେ ଜି.ଆଇ.ଏସ୍‌. (GIS)ର ଭୂମିକା ବିଷୟଗୁଡିକ ଆଲୋଚନା ପରିସର ଭୁକ୍ତ ହେବ ।
ଶ୍ରୀଯୁକ୍ତ ଜି.ଭି.ଭି. ଶର୍ମା, ସଦସ୍ୟ ସଚିବ, ଏନ୍‌.ଡି.ଏମ୍‌.ଏ. ଉକ୍ତ କର୍ମଶାଳାର ମୂଳ ବିଷୟବସ୍ତୁ ଉପରେ ଆଲୋକପାତ କରିବେ ଏବଂ ଶ୍ରୀଯୁକ୍ତ ୟୁ.ପି. ସିଂହ, ଜଳସମ୍ପଦ ବିଭାଗ ସଚିବ, ଭାରତ ସରକାର ଓ ଶ୍ରୀଯୁକ୍ତ ଅସିତ୍ କୁମାର ତ୍ରିପାଠୀ, ମୁଖ୍ୟ ଶାସନ ସଚିବ, ଓଡ଼ିଶା, ଶ୍ରୀ ପ୍ରଦୀପ ଜେନା, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଓଡ଼ିଶା ଉକ୍ତ କର୍ମଶାଳାକୁ ସମ୍ବୋଧନ କରିବେ । ଭାରତୀୟ ପାଣିପାଗ ବିଭାଗ (IMD), କେନ୍ଦ୍ରୀୟ ଜଳ ଆୟୋଗ (CWC), ଇନ୍‌କଏସ୍ (INCOIS), ନେସନାଲ ସେଣ୍ଟର୍ ଫର୍ ସେସମୋଲୋଜି (NCS), ଜାତୀୟ ସଂସୂଚନା କେନ୍ଦ୍ର (NIC), ଆଇ.ଆଇ.ଟି (IIT), ମାଡ୍ରାସ, ଅନ୍ୟାନ୍ୟ ରାଜ୍ୟ ସରକାର ଓ ସଂଗଠନ ବିପର୍ଯ୍ୟୟଜନିତ ସମ୍ଭାବ୍ୟ କ୍ଷୟକ୍ଷତି ହ୍ରାସ ସମ୍ବନ୍ଧରେ ବହୁମୂଲ୍ୟ ମତାମତ ପ୍ରଦାନ କରିବେ । ଉକ୍ତ କର୍ମଶାଳାଟି, ଅଂଶଗ୍ରହଣ କରିଥିବା ରାଜ୍ୟମାନଙ୍କ ପାଇଁ ବିପର୍ଯ୍ୟୟଜନିତ ସମ୍ଭାବ୍ୟ କ୍ଷୟକ୍ଷତି ହ୍ରାସ ସମ୍ବନ୍ଧୀୟ ଅନୁଭୂତିଗୁଡିକୁ ଆଦାନପ୍ରଦାନ କରିବା ନିମନ୍ତେ ଏକ ଉତ୍କୃଷ୍ଟ ମାଧ୍ୟମ ସାବ୍ୟସ୍ତ ହେବ । କର୍ମଶାଳାର ନିର୍ଯ୍ୟାସ ଭବିଷ୍ୟତରେ ବିପର୍ଯ୍ୟୟଜନିତ ଧନଜୀବନ ଓ ପରିବେଶଜନିତ ସମ୍ଭାବ୍ୟ କ୍ଷୟକ୍ଷତି ହ୍ରାସ କରିବାରେ ସହାୟକ ହେବ ।