ଏସଆରସିଙ୍କୁ ଇସ୍ରୋର ପ୍ରସଂଶା : ଓସଡମା ସହ କାମ କରିବାକୁ ଇସ୍ରୋ ଆଗ୍ରହୀ


“ଫନି” ମୁକାବିଲାର ନେଇ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଓ ଓସଡମାର ପରିଚାଳନା ନିର୍ଦ୍ଦେଶକ ବିଷ୍ଣୁପଦ ସେଠୀଙ୍କୁ ଇସ୍ରୋର ଧନ୍ୟବାଦ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ସଫଳ ବିପର୍ଯ୍ୟୟ ମୁକାବିଲାରେ ସନ୍ତୋଷ ପ୍ରକଟ କରିବା ସହିତ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ) ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷ(ଓସଡମା) ସହିତ ମିଳିତ ଭାବେ କାର୍ଯ୍ୟ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ଇସ୍ରୋ ହେଉଛି ଭାରତ ସରକାରଙ୍କ ମହାକାଶ ମନ୍ତ୍ରାଳୟର ଏକ ବୈଷୟିକ ସଂସ୍ଥା, ଯିଏ କି ପ୍ରଥମ ଥର ପାଇଁ ରାଜ୍ୟ ସରକାରଙ୍କ ସହ ମିଶି କାର୍ଯ୍ୟ କରିବା ପାଇଁ ଆଗ୍ରହ ଦେଖାଇଛି ।

ଇସ୍ରୋ ନିର୍ଦ୍ଦେଶକ ଡ. ପି.ଜି ଦିବାକର ରାଜ୍ୟ ସରକାରଙ୍କୁ ଏହି ମର୍ମରେ ପତ୍ର ଲେଖି “ଫନି” ମୁକାବିଲା ସହିତ ଲକ୍ଷାଧିକ ଲୋକଙ୍କ ଜୀବନରକ୍ଷା କରିପାରିଥିବାରୁ ଓଡ଼ିଶାକୁ ପ୍ରଶଂସା କରିଛନ୍ତି । “ଫନି” ମୁକାବିଲାର ନେତୃତ୍ୱ ନେଇଥିବା ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଓ ଓସଡମାର ପରିଚାଳନା ନିର୍ଦ୍ଦେଶକ ବିଷ୍ଣୁପଦ ସେଠୀଙ୍କୁ ଇସ୍ରୋ ଧନ୍ୟବାଦ ଦେଇଛନ୍ତି । ଇସ୍ରୋ ପ୍ରସ୍ତୁତ କରିଥିବା ‘ଓଡ଼ିଶା ଫ୍ଲଡ୍ ହାଜାର୍ଡ ଆଟଲାସ୍’ ପାଇଁ ଶ୍ରୀ ସେଠୀ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେଇଥିବାରୁ ଇସ୍ରୋ ଖୁସି ଜାହିର କରିଛି ।

ଠିକଣା ସମୟରେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ସହାୟତା କରିବାକୁ ଓସଡମା ସହ ମିଶି କାର୍ଯ୍ୟ କରିବା ଲାଗି ଇସ୍ରୋ ଆଗ୍ରହୀ । ଏହି ଜାତୀୟ ପ୍ରତିଷ୍ଠାନରେ ଅତ୍ୟାଧୁନିକ ଜ୍ଞାନ କୌଶଳ ଥିବାରୁ ଇସ୍ରୋର ଏଭଳି ପ୍ରସ୍ତାବରେ ଓଡ଼ିଶା ଲାଭବାନ ହେବ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶାସନ ବିଭାଗର ଜଣେ ବରିଷ୍ଠ ଅଧିକାରୀ ମତ ରଖିଛନ୍ତି । ଇସ୍ରୋ ପ୍ରସ୍ତାବ ଦେଇଛି, ଓଡ଼ିଶାର ବିସ୍ତ ୃତ ବେଳାଭୂମି ରହିଥିବାରୁ ଏଠାରେ ରହୁଥିବା ମତ୍ସ୍ୟଜୀବୀ ମାନେ ସେମାନଙ୍କର ଆବଶ୍ୟକତା ଲାଗି ନାଭଆଇସି(ନାଭିଗେସନ୍ ୱିଥ୍ ଇଣ୍ଡିଆନ୍ ଇନଷ୍ଟେଲେସନ୍) ବ୍ୟବହାର କରିବା ଦରକାର । ନାଭଆଇସି ହେଉଛି ଆମେରିକାର ଗ୍ଲୋବାଲ ପୋଜିସନିଂ ସିଷ୍ଟମ(ଜିପିଏସ)ର ଭାରତୀୟ ସଂସ୍କରଣ ।

ନାଭଆଇସି ଦ୍ୱାରା ମତ୍ସ୍ୟଜୀବୀଙ୍କ ସୁରକ୍ଷା ସହିତ ମାଛ ଧରିବାରେ ମଧ୍ୟ ଏହା ସହାୟକ ହୋଇପାରିବ । ଏହି ଡିଭାଇସଟି ମୋବାଇଲ ମାଧ୍ୟମରେ ଉପଲବ୍ଧ ହେବା ସହିତ ଆଂଚଳିକ ଭାଷାରେ ମଧ୍ୟ ବ୍ୟବହାର କରାଯାଇପାରିବ । ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କର୍ଣ୍ଣାଟକ ଓ କେରଳରେ ଏହ ବେଶ୍ ଲୋକପ୍ରିୟ ହୋଇପାରିଛି । ସାବୁନ୍ ଖୋଳ ଆକୃତିର ଏହି ଉପକରଣଟି ମୁଖ୍ୟତଃ ଶବ୍ଦ ଗ୍ରହଣ କରିଥାଏ । ସତର୍କ ସୂଚନା ଆସିବା ମାତ୍ରେ ଏହା ଶବ୍ଦ ସୃଷ୍ଟି କରିଥାଏ । ସମୁଦ୍ର ଭିତରେ ପାଣିପାଗ ଓ ବାତ୍ୟା ସଂକ୍ରାନ୍ତରେ ଏହି ଯନ୍ତ୍ରଟି ଆଗୁଆ ସୂଚନା ପ୍ରଦାନ କରିଥାଏ । ଏଥିସହିତ ଡିଭାଇସଟି ୧୫୦୦ କିମି ମଧ୍ୟରେ ସ୍ଥାନ ଓ ସମ୍ରରେ ସଠିକ୍ ସୂଚନା ଦେଇଥାଏ । ତେଣୁ ରାଜ୍ୟ ସରକାର ଏହା ମାଧ୍ୟମରେ ଗଭୀର ସମୁଦ୍ରରେ ମତ୍ସ୍ୟଜୀବୀମାନଙ୍କୁ ବିପର୍ଯ୍ୟୟ ସୂଚନା ଦେବା ସହ ସେମାନଙ୍କ ଜୀବନ ବଂଚାଇପାରିବେ ।

ବିପର୍ଯ୍ୟୟ ସମୟରେ ଲୋକଙ୍କ ଜୀବନ ରକ୍ଷା କରି ଓଡ଼ିଶା ସରକାର ଏବେ ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ପ୍ରଶଂସିତ ହୋଇଛନ୍ତି । ଇସ୍ରୋ ଏହି ବ୍ୟବସ୍ଥାର ଏକ ଅଂଶ ହେବା ସହିତ ଏ କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶକ ଡ.ଦିବାକର କହିଛନ୍ତି । ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଓସଡମାର ପରିଚାଳନା ନିର୍ଦ୍ଦେଶକ ବିଷ୍ଣୁପଦ ସେଠୀ ଏବଂ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ସଚିବ ବିଶାଳ ଗଗନଙ୍କୁ ଇସ୍ରୋର ପ୍ରସ୍ତାବ ଉପରେ ପଦକ୍ଷେପ ନେବାକୁ କହିଛନ୍ତି । ଖୁବଶୀଘ୍ର ରାଜ୍ୟ ସରକାର ଇସ୍ରୋ ପ୍ରସ୍ତାବ ଉପରେ କାର୍ଯ୍ୟ ଆରମ୍ଭ କରିବେ ଓ ଏହା ରାଜ୍ୟ ପାଇଁ ଲାଭଜନକ ହେବ ବୋଲି ଜଣେ ବରିଷ୍ଠ ଅଧିକାରୀ ମତ ଦେଇଛନ୍ତି ।