ଓଏସସିବି ବିରୋଧୀ ଚକ୍ରାନ୍ତକାରୀଙ୍କ ଚାଲ ଫେଲ: ନାବାର୍ଡ ଜାରି କଲା ସଂଶୋଧିତ ରିପୋର୍ଟ

ଭୁବନେଶ୍ୱର: କୁହାଯାଏ ସତ ପାତାଳ ଫୁଟିକି ବାହାରେ । ଯେତେବେଳେ ସତ ସାମ୍ନାକୁ ଆସେ ସେତେବେଳେ ମିଛର ସାହାରାରେ ହଟଚମଟ ସୃଷ୍ଟି କରୁଥିବା ଲୋକେ ହତାଶ ହୁଅନ୍ତି-ଆପେ ମୁଖା ଖୋଲିଯାଏ ସେମାନଙ୍କର । ଏମିତି ଘଟଣା ଘଟିଛି ଏବେ ଶୀର୍ଷ ସମବାୟ ସଂସ୍ଥା ଓଡ଼ିଶା ରାଜ୍ୟ ସମବାୟ ସଂସ୍ଥା ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ(ଓଏସସିବି) ଓ ଏହାର କର୍ମକର୍ତାଙ୍କ ବିରୋଧରେ ଚକ୍ରାନ୍ତ କରୁଥିବା ଲୋକଙ୍କ କ୍ଷେତ୍ରରେ । ଦୁର୍ନୀତି ଓ ଜାଲିଆତି ଘଟଣାରେ ବ୍ୟାଙ୍କରୁ ବହିଷ୍କୃତ ଜଣେ ଅଫିସରଙ୍କୁ ଚାକିରି ଫେରାଇବା ପାଇଁ ଲଗାତାର ଉଦ୍ୟମ କରୁଥିବା ଗୋଷ୍ଠୀ ‘ନାବାର୍ଡ ଇନ୍ସପେକ୍ସନ ରିପୋର୍ଟ’ ଆଳରେ ସପ୍ତାହେ ହେବ ହଟଚମଟ ସୃଷ୍ଟି କରୁଥିବାବେଳେ ସେଇ ନାବାର୍ଡ ଉଚ୍ଚକର୍ତୃପକ୍ଷଙ୍କ ଅନୁମୋଦନରେ ସଂଶୋଧିତ ରିପୋର୍ଟ ଜାରି ହେବା ପରେ ଏବେ ସେମାନଙ୍କ ଅକଲ ଗୁଡୁମ୍ । ଚାପ ସୃଷ୍ଟିକରି ଚାକିରି ଫେରିପାଇଲେ ବିତାଡିତ ଅଧିକାରୀଙ୍କୁ ମିଳିବ ପାଖାପାଖି ଦେଢ଼ କୋଟି ଟଙ୍କା । ସେଇ ଆଶାରେ ସେଥିରୁ ଅଗ୍ରୀମ କିଛି ଖର୍ଚ୍ଚ କରି ଖେଳ ଚାଲିଥିଲା ରିପୋର୍ଟକୁ ନେଇ । ବିତାଡିତ ଅଧିକାରୀଙ୍କ ସହ ଏଇ ର‌୍ୟାକେଟରେ ସାମିଲ ହୋଇଥିଲେ ଏକଦା ନିଜକୁ ବୈଧାନିକ କର୍ତୃପକ୍ଷ କହୁଥିବା ନିର୍ଦ୍ଦେଶାଳୟର ଜଣେ ପ୍ରମୁଖ ପଦାଧିକାରୀ, ଓଏସସିବିର ସର୍ବେସର୍ବା ବୋଲାଉଥିବା ଜଣେ ଅସ୍ଥାୟୀ ଉଚ୍ଚ ଅଧିକାରୀ, ଓଏସସିବି ଏମଡି ପଦଆଶାୟୀ ନାବାର୍ଡର ଜଣେ ଜୁନିଅର ଅଫିସର ବୋଲି ସମବାୟବିତଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି ।

ଖବର ନେବାରେ ଜଣାପଡିଛି ଯେ, ୨୦୧୭-୧୮ ପାଇଁ ନାବାର୍ଡର ଇନ୍ସପେକ୍ସନ ଦାୟିତ୍ୱରେ ଥିବା ପ୍ରମୁଖ ଅଧିକାରୀ ବିଭିନ୍ନ ପ୍ରସଙ୍ଗରେ ତଥ୍ୟ ସଂଗ୍ରହ କରି ତଥ୍ୟ ଭିତିକ ରିପୋର୍ଟ ପେସ୍ କରିବା ପରିବର୍ତେ ବିତାଡିତ ଅଧିକାରୀ ଓ ତାଙ୍କ ବନ୍ଧୁମାନଙ୍କ ଅଭିଯୋଗ ଆଧାରରେ ପ୍ରସ୍ତୁତ ତାଙ୍କ ରିପୋର୍ଟରେ ମନଗଢ଼ା କାହାଣୀ ଏବଂ ବ୍ୟକ୍ତିଗତ ଆକ୍ରୋଶର ଚରିତାର୍ଥ କରିବାକୁ ଯାଇ ସଚ୍ଚୋଟ ଓ ନିଷ୍ଠାପର କର୍ମକର୍ତାଙ୍କ ଚରିତ୍ର ସଂହାର କରାଯାଇଥିବା ଦେଖିବାକୁ ମିଳିଥିଲା । ଇନ୍ସପେକ୍ସନ ଏକ ରୁଟିନ୍ କାମ । ପ୍ରତିବର୍ଷ ଇନ୍ସପେକ୍ସନ ପରେ ପରିଚାଳନା ପରିଷଦ ସହ ଆଲୋଚନା ପରିଷଦ ସହ ଆଲୋଚନା ପରେ ନାବାର୍ଡ ପକ୍ଷରୁ ରିପୋର୍ଟ ଜାରି କରାଯାଇଥାଏ । ରିପୋର୍ଟରେ ଦର୍ଶାଯାଇଥିବା ତ୍ରୁଟିବିଚ୍ୟୁତି ସମ୍ପର୍କରେ ପରିଚାଳନା ପରିଷଦ ଦ୍ୱାରା ଅନୁମୋଦିତ ସ୍ପଷ୍ଟୀକରଣ ମିଳିବା ପରେ ଚୂଡାନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାଏ ।

ଚର୍ଚ୍ଚା ଅନୁଯାୟୀ ୨୦୧୭-୧୮ ବର୍ଷ ଲାଗି ଇନ୍ସପେକ୍ସନ ପାଇଁ ଆସିଥିବା ପ୍ରମୁଖ ଅଧିକାରୀ ଏହି ର‌୍ୟାକେଟର ଅନ୍ୟତମ କାର୍ପଟଦାର ହୋଇଥିବାରୁ ତାଙ୍କ ଦ୍ୱାରା ପ୍ରସ୍ତୁତ ଏକପାଖିଆ ରିପୋର୍ଟ ଓଏସସିବି ଓ ଆରସିଏସଙ୍କୁ ଗୋପନୀୟ ଦସ୍ତାବିଜ୍ ଭାବେ ଦାଖଲ କରାଯିବା ସତ୍ୱେ ଆରସିଏସ୍ ଅଫିସରୁ ମାତ୍ର ୪ଦିନ ମଧ୍ୟରେ ଆରଟିଆଇ ଜରିଆରେ ର‌୍ୟାକେଟର ଅନ୍ୟତମ ଅଂଶୀଦାରଙ୍କୁ କପି ମିଳିଗଲା । ଓସ୍ସିବି ପରିଚାଳନା ପରିଷଦର ଡାଇରେକ୍ଟରମାନେ ରିପୋର୍ଟ ଦେଖିବାର ସୁଯୋଗ ପାଇନଥିବାବେଳେ ବଜାରରେ ଘୁରିବୁଲିଲା ରିପୋର୍ଟ । ସବୁକୁ ବାଦ୍ ଦେଇ ଜୁନ୍ ୨୮ରେ ଜାରି କରିଛନ୍ତି ସଂଶୋଧିତ ରିପୋର୍ଟ ।

ଏ ସମ୍ପର୍କରେ ଜାଣିବା ପରେ ଛାନିଆ ହୋଇପଡିଥିଲେ ଓଏସସିବି ବିରୋଧୀ ଉପରୋକ୍ତ ଚକ୍ରାନ୍ତକାରୀ । ଉପରକୁ ନିଜକୁ ଆରଟିଆଇ କର୍ମକର୍ତା ବୋଲାଉଥିବା କିନ୍ତୁ ଅସଲରେ ଦୁର୍ନୀତିଖୋରଙ୍କ ଲାଗି ଦଲାଲି କରୁଥିବା କିଛି ବ୍ୟକ୍ତି ଜୁନ୍ ୨୯ ତାରିଖ ଦିନ ସଂଶୋଧିତ ରିପୋର୍ଟ ସମ୍ପର୍କରେ ବିନ୍ଦୁ ବିସର୍ଗ ନ ଜଣାଇ ପୁରୁଣା ବିଭ୍ରାନ୍ତିକର ରିପୋର୍ଟ ଆଧାରରେ ସାମ୍ବାଦିକ ସମ୍ମିଳନୀ ଠାରୁ ଆରମ୍ଭ କରି ଗଣମାଧ୍ୟମକୁ ଏହାର କିଛି ଅଂଶ ପଠାଇ ୨/୩ ଦିନ ଧରି ବେଶ୍ ହଟଚମଟ ସୃଷ୍ଟି ପାଇଁ ଉଦ୍ୟମ କଲେ । ପ୍ରମୁଖ ଗଣମାଧ୍ୟମମାନେ ସତ୍ୟ କ’ଣ ଜାଣିଥିବାରୁ ଏଥିରୁ ନିଜକୁ ଦୂରେଇ ରଖିଥିବାବେଳେ କେତେକ ନିର୍ଦ୍ଦିଷ୍ଟ ଗଣମାଧ୍ୟମ ଏମାନଙ୍କ ଉପରେ ଭରସା ରଖି ଖୁବ୍ ପ୍ରଚାର ପ୍ରସାର କଲେ । କିନ୍ତୁ ଅସଲ ରିପୋର୍ଟ ଆସିଲା ପରେ ମୁହଁ ଲୁଚେଇବାକୁ ଏବେ ବାଟ ପାଉନାହାଁନ୍ତି ଏଇ ଚକ୍ରାନ୍ତକାରୀ ଗୋଷ୍ଠୀ ।

ସବୁଠାରୁ ଅଧିକ କୌତୁହଳ ସୃଷ୍ଟି କରିଛି ଓସସିବିର ଜନୈକ ପଦାଧିକାରୀଙ୍କ ଆଚରଣ । ନାବାର୍ଡର ପ୍ରଥମ ବିଭ୍ରାନ୍ତିକର ରିପୋର୍ଟ ଆସିବା ପରେ ଓ ଏହା ବଜାରରେ ବୁଲିବା ପରେ ଖୁସିରେ କୁରୁଳୁଥିବା ଅଧିକାରୀ ଜଣଙ୍କ ସଂଶୋଧିତ ରିପୋର୍ଟ ପାଇବା ପରେ କିନ୍ତୁ ଖୁବ୍ ବିଚଳିତ ହୋଇପଡିଛନ୍ତି । ଏହା ଟେପରି କେହି ନ ଜାଣନ୍ତୁ ସେଥିଲାଗି ‘ପେଡିରେ ଲୁଚାଇଲା’ ଭଳି ଲୁଚେଇବାର ପ୍ରୟାସ କରୁଛନ୍ତି ।

ଏହା ପଛର କାରଣ ହେଲା-ଏମଡି ତୁଷାରକାନ୍ତି ପଣ୍ଡା ସାଧୁତା ଓ ନିଷ୍ଠାର ସହ ତାତିଦିନ ଲାଗି ବ୍ୟାଙ୍କକୁ ଜାତୀୟସ୍ତରରେ ପ୍ରତିଷ୍ଠିତ କରିବା ପାଇଁ ଅନେକ ଐତିହାସିକ ପଦକ୍ଷେପ ନେଇଥିଲେ । ଫଳରେ ବ୍ୟାଙ୍କ ସୁନାମ ଅର୍ଜନ କରିଥିଲା । ବର୍ଷେ ତଳୁ ସେ ଅବସର ନେଇଥିଲେ ହେଁ ତାଙ୍କ ପରିଶ୍ରମର ଶ୍ରେୟ ଏବେ ମିଳୁଛି ଅନ୍ୟମାନଙ୍କୁ । ତେବେ ବଡ ଦୁର୍ଭାଗ୍ୟର କଥା ତାଙ୍କ ଅବଦାନକୁ ସ୍ୱୀକାର କରିବା ତ ଛାଡ, ତାଙ୍କୁ କିଭଳି ଲୋକଚକ୍ଷୁରେ ନିନ୍ଦିତ କରାଯାଇପାରି ବ ସେଥିନେଇ ଦିନ ବିତୁଛି ଏଇ ଉଚ୍ଚଧିକାରୀଙ୍କର । ପୂର୍ବରୁ କୌଣସି ମିଟିଂ ହେଲେ ସେଇଦିନ ହିଁ ପ୍ରୋସିଡିଂ ଇସ୍ୟୁ ହେଉଥିଲା । ଏବେ କିନ୍ତୁ ମିଟିଂର ୧୦/୧୨ଦିନ ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ତ ଦୂରର କଥା ପ୍ରୋସିଡିଂ ବି ଜାରି ହୋଇପାରୁନାହିଁ!

କୋର ବ୍ୟାକିଂ ସଲ୍ୟୁସନ୍(ସିବସିଏସ୍) ବ୍ୟବସ୍ଥା ପ୍ରଚଳନ କରି ଓସସିବି ସମଗ୍ର ଦେଶରେ ଏକ ଅଗ୍ରଣୀ ସଂସ୍ଥା ଭାବେ ମାନ୍ୟତା ପାଇଥିଲା । କେନ୍ଦ୍ର ସରକାର ବହୁ ପଛରେ ଏହି କାର୍ଯ୍ୟ ଆରମ୍ଭ କରିଥିବାବେଳେ ଅଗ୍ରଣୀ ରାଜ୍ୟ ଭାବେ ଓଡ଼ିଶାରେ ମୁଖ୍ୟସଚିବଙ୍କ ତତ୍ୱାବଧାନରେ ଓସସିବିରେ ସିବିଏସ୍ ଓ ପାକ୍ସ କମ୍ପ୍ୟୁଟରୀକରଣ ଆରମ୍ଭ ହୋଇଥିଲା । ଅଭିଯୋଗ ହେଲା-ସିବିଏସ୍ ପ୍ରକ୍ରିୟାରେ ଦୁର୍ନୀତି ହୋଇଛି ଓ କିଛି ବ୍ୟକ୍ତି ହାତ ସଫେଇ କରିଛନ୍ତି ଇତ୍ୟାଦି ଇତ୍ୟାଦି । ସରକାର ତଦନ୍ତ କଲେ । ତଦନ୍ତରୁ ଜଣାପଡିଲା ସମ୍ପୂର୍ଣ୍ଣ ସ୍ୱଚ୍ଛ ପ୍ରକ୍ରିୟାରେ ଏଥିନେଇ ଟେଣ୍ଡର ହୋଇଥିଲା । ଟେଣ୍ଡର ପକାଇଥିବା ୫ଟି ସଂସ୍ଥା ଯଥା: ଭି-ସଫ୍ଟ-୨୭କୋଟି ୫୨ ଲକ୍ଷ ୫୮ ହଜାର ୨୮୫ ଟଙ୍କା, ପୋଲାରିସ୍-୩୦ କୋଟି ୧୫ଲକ୍ଷ ୯୮ହଜାର ୮୮୧ଟଙ୍କା,ଇନଫ୍ରାସଫ୍ଟ-୫୪କୋଟି ୯୫ଲକ୍ଷ ୭୧ ହଜାର ୭୭୮ଟଙ୍କା,ଟିସିଏସ୍-୫୬କୋଟି ୬୨ ଲକ୍ଷ ୯୦ ହଜାର ୩୬୮ ଟଙ୍କେ ଏବଂ ନିଟ୍ ୯୭କୋଟି ୬୫ଲକ୍ଷ ୩୧ ହଜାର ୩୨୪ ଟଙ୍କା ।

ସର୍ବନିମ୍ନ ଦର ସହିତ ଆବେଦନ କରିଥିବା ଭି-ସଫ୍ଟ ସଂସ୍ଥାକୁ ୨୭କୋଟି ୫୨ ଲକ୍ଷ ୯୮ ହଜାର ୨୮୫ ଟଙ୍କାରେ କାମ କରିବା ଲାଗି ଆଦେଶ ଦିଆଯାଇଥିଲା । ଏସସିବି ପରିସରରେ ଡାଟା ସେଂଟର ପ୍ରତିଷ୍ଠା ସହ ବର୍ତମାନ ସବୁକେନ୍ଦ୍ର ସମବାୟ ବ୍ୟାଙ୍କ, ଅନେକ ପାକ୍ସ ଓ ଅର୍ବାନ ବ୍ୟାଙ୍କ ଏହି ଡାଟା ସେଂଟର ସହ ସଂଯୁକ୍ତ ହୋଇଛନ୍ତି । ଟେଣ୍ଡରରେ ଫେଲ ମାରିଥିବା ଏକ ସଂସ୍ଥା ବିଭିନ୍ନ ସ୍ତରରେ ଧରାଧରି କରି ମୋଟା ଉତ୍କୋଚର ଲୋଭ ଦେଖାଇ ଏଇ କାମ ହରସଲ ପାଇଁ ଉଦ୍ୟମ କରିଥିବା ଦେଇ ସେତେବେଳେ ଜୋରଦାର ଚର୍ଚ୍ଚା ହୋଇଥିଲା । କିନ୍ତୁ ସରକାରଙ୍କ ଆର୍ଥିକ ସହାୟତାରେ ଓ ପ୍ରତ୍ୟକ୍ଷ ତତ୍ୱାବଧାନରେ ହାତକଚ ନିଆଯାଇଥିବା ଏକ ପ୍ରକଳ୍ପ କାର୍ଯ୍ୟରେ ସର୍ବନିମ୍ନ ଦରରେ ଟେଣ୍ଡର ପକାଇଥିବା ସଂସ୍ଥାକୁ କାଟି ଉଚ୍ଚ ଦରରେ ଟେଣ୍ଡର ପକାଇଥିବା ସଂସ୍ଥା ସପକ୍ଷରେ ରାଜି ହୋଇ ନଥିଲେ ଓ ଓସସିବି କର୍ତୃପକ୍ଷ । ତେଣୁ ୪/୫ ବର୍ଷ ହେଲା ଏଥିନେଇ ଚାଲିଛି ହୋହଲ୍ଲା!୨୦୧୨-୧୨, ୨୦୧୩-୧୪, ୨୦୧୪-୧୫ ଏଇ ତିନିବର୍ଷ ଧରି ବ୍ୟାଙ୍କ ନିର୍ବାଚିତ ପରିଚାଳନା ପରିଷଦ ନ ଥିଲା । କେତେବେଳେ ସମବାୟ ସଚିବ ଓସସିବିର ମ୍ୟାନେଜମେଂଟ ଇନଚାର୍ଜ ଭାବେ ଦାୟିତ୍ୱ ନେଇଥିଲେ । ଯଜେ୍ଞଶ୍ୱର ବାବୁ ଓସସିବିର ସଭାପତି ଥିବାବେଳେ ଯଦିଓ ସିବିଏସ୍ ପ୍ରକ୍ରିୟା ଆରମ୍ଭ ହୋଇଥିଲା, କିନ୍ତୁ ଚୂଡାନ୍ତ ରୂପ ନେଇଥିଲା ସଂସ୍ଥା ସରକାରଙ୍କ ନିୟନ୍ତ୍ରଣରେ ଥିଲାବେଳେ । କମ୍ ଦରରେ ପ୍ରାପ୍ତ ଟେଣ୍ଡରକୁ ଗ୍ରହଣ କରି ସିବିଏସ୍ କାମ ହାତକୁ ନିଆଯାଇଥିବାଳ ବେଳେ ଏହା ସଫଳତାର ସହ ସମ୍ପନ୍ନ ହେବାରୁ ହିଁ ଚାଷୀଙ୍କ ଆକାଉଂଟକୁ ସିଧାସଳଖ ଟଙ୍କା ପଠାଯିବା ସମ୍ଭବ ହେଲା ।

ସର୍ବୋପରି ବାତ୍ୟା ଫନି ପ୍ରଭାବରେ କ୍ଷତିଗ୍ରସ୍ତ ପୁରୀରେ ଯେତେବେଳେ ବ୍ୟାଙ୍କ ସେବା ଠପ୍ ହୋଇଗଲା, କମର୍ସିଆଲ ବ୍ୟାଙ୍କମାନେ ପଛଘୁଂଚା ଦେଲେ ସେତେବେଳେ ସିବିଏସ୍ ପ୍ରଚଳନ କାରଣରୁ ସମବାୟ ବ୍ୟାଙ୍କର ମୋବାଇଲ ଭ୍ୟାନରୁ ଲୋକେ ଟଙ୍କା ଉଠାଇବାର ସୁଯୋଗ ପାଇଲେ । ଚାରିଆଡୁ ସମସ୍ତେ ଓସସିବି ଓ ସିବିଏସ୍ ବ୍ୟବସ୍ଥାକୁ ପ୍ରଶଂସା କଲେ । ହେଲେ ମୁଖ୍ୟସଚିବ ହୁଅନ୍ତୁ କି ସେତେବେଳେ ମ୍ୟାନେଜମେଂଟ ଇନଚାର୍ଜ ବିଷ୍ଣୁପଦ ସେଠୀ ହୁଅନ୍ତୁ ଅବା ରାତିଦିନ ଏକ କରି ଏଥିଲାଗି ନିରବଚ୍ଛିନ୍ନ ଉଦ୍ୟମ କରିଥିବା ତତ୍କାଳୀନ ଏମଡି ତୁଷାରକାନ୍ତି ପଣ୍ଡା ହୁଅନ୍ତୁ ଏମାନଙ୍କ ଅବଦାନକୁ ସ୍ୱୀକାର କରିବା ବଦଳରେ ସେମାନଙ୍କୁ ମନଗଢ଼ା ଅଭିଯୋଗ ଆଧାରରେ ଯେଭଳି ନିନ୍ଦିତ କରାଯିବା ପାଇଁ ପ୍ରୟାସ କରାଗଲା ତାର ଦୃଢ଼ ନିନ୍ଦା କରିଛନ୍ତି ଏସସିବିର ଅନେକ ଅଂଶୀଦାର ।

ଅନ୍ୟପଟେ ନାବାର୍ଡର ପ୍ରଥମ ଇନ୍ସସପେକ୍ସ ରିପୋର୍ଟରେ ବିବାଦୀୟ ଅଧିକାରୀ ଉଦ୍ଦେଶ୍ୟମୂଳକ ଭାବେ ପାଂଚବର୍ଷ ତଳର ଏକ ଅଭିଯୋଗକୁ ସ୍ଥାନିତ କରି ତତ୍କାଳୀନ ଏମଆଇସି ବିଷ୍ଣୁପଦ ସେଠୀଙ୍କୁ ଟାର୍ଗେଟ କରିଥିଲେ । ସେଇ ଆଧାରରେ ମିଡିଆରେ ଖାଲି ହଟଚମଟ ସୃଷ୍ଟି କରାଗଲାନି ବରଂ ସେଇ ରିପୋର୍ଟକୁ ଆଧାର କରି ଲୋକାୟୁକ୍ତ ଙ୍କ ନିକଟରେ ଅଭିଯୋଗ ବି ଦାଖଲ ହେଲା । ଏଇ ଅଭିଯୋଗ ଉପରେ ୨୦୧୫ରେ ବ୍ୟାଙ୍କ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଥିବା ସତ୍ୱେ କାହା ଇଙ୍ଗିତରେ ଏପରି କରାଯାଇଥିଲା ସେଥିନେଇ ପ୍ରଶ୍ନ ଉଠୁଥିବାେବେଳେ ନାବାର୍ଡ ପକ୍ଷରୁ ଉକ୍ତ ପ୍ରସଙ୍ଗରେ ପୁନଃତର୍ଗମା ପରେ ଏହି ପ୍ରସଙ୍ଗକୁ ସଂଶୋଧିତ ରିପୋର୍ଟରେ ସମ୍ପୂର୍ଣ୍ଣ ବାଦ୍ ଦିଆଯାଇଛି । କିନ୍ତୁ ପ୍ରଥମ ବିଭ୍ରାନ୍ତକର ରିପୋର୍ଟ ଆଧାରରେ ସମ୍ପୃକ୍ତ ଅଧିକାରୀଙ୍କ ଚରିତ୍ରସଂହାର କାରଣରୁ ତାଙ୍କର ଯେଉଁ କ୍ଷତି ହେଲା ତାହା ଏବେ ଭରଣା କରାଯାଇପାରିବ କି? ଠିକ୍ ସେହିପରି ପୂର୍ବତନ ଏମଡି ତୁଷାରକାନ୍ତି ପଣ୍ଡା, ଯିଏ କି ପରିବାରକୁ ପଛ କରି ସକାଳୁ ବିଳମ୍ବିତ ରାତ୍ରି ଯାଏଁ ଅକ୍ଳାନ୍ତ ପରିଶ୍ରମ କରି ଓସସିବିକୁ ଆଗକୁ ନେବା ସହିତ ବିଭାଗୀୟ କାର୍ଯ୍ୟରେ ସକ୍ରିୟ ସହାୟତା କରି ଆସୁଥିଲେ, ତାଙ୍କ ବିଷୟରେ କୌଣସି ଅଭିଯୋଗ ଏଯାବତ୍ ପ୍ରମାଣିତ ହୋଇ ନ ଥିଲେ ସୁଦ୍ଧା କେବଳ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀଙ୍କ ଅଭିଯୋଗ ଆଧାରରେ ତାଙ୍କୁ ସାଧାରଣରେ ନିନ୍ଦିତ କରାଯିବାକୁ ଯେପରି ଉଦ୍ୟମ କରାଗଲା ତାକୁ ବ୍ୟାଙ୍କର ଏହି ଅଂଶୀଦାରମାହେନ ନିନ୍ଦା କରିବା ସଂଗେ ସଂଗେ ଜଣେ କର୍ତବ୍ୟନିଷ୍ଠ ଅଧିକାରୀଙ୍କ ମର୍ଯ୍ୟାଦାହାନୀଜନିତ କ୍ଷତ କିଏ ଭରଣା କରିବ ସେଥିନେଇ ପ୍ରଶ୍ନ କରିଛନ୍ତି ।

ଯେତେବେଳେ କୌଣସି ଐତିହାସିକ ପଦକ୍ଷେପ ହାତକୁ ନିଆଯାଏ ସେତେବେଳେ ପ୍ରାରମ୍ଭିକ ଅବସ୍ଥାରେ ବ୍ୟବସ୍ଥାରେ କିଛି ତ୍ରୁଟିବଚ୍ୟୁତି ରୁହେ, ଯାହା ପରବର୍ତୀ କାଳରେ ଧୀରେ ଧୀରେ ସଂଶୋଧିତ ହୋଇଯାଏ । ହେଲେ ବ୍ୟବସ୍ଥାରେ ତ୍ରୁଟିବିଚ୍ୟୁତି ଲାଗି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ଟାର୍ଗେଟ କରି ତାଙ୍କ ପଛରେ ପଡିବା କାର୍ଯ୍ୟ ଯେ ମନ୍ଦ ଉଦ୍ଦେଶ୍ୟ ନିହିତ ତାହା ଜଳ ଜଳ ହୋଇ ଦିଶୁଛି ବୋଲି ଏହି ଅଂଶୀଦାରମାନେ ମତ ଦେଇଛନ୍ତି ।