ଅରଟେଲ୍ ବିରୋଧରେ ୨୩ ଲକ୍ଷ ଠକେଇ ଅଭିଯୋଗ : ଜଗି ଓ ବୈଜୟନ୍ତଙ୍କ ବିରୋଧରେ ଥାନାରେ ଏତଲା

ଟଙ୍କା ନଦେଲେ ଆତ୍ମହୂତି ଧମକ

ଭୁବନେଶ୍ୱର: ଦଳିତଙ୍କ ଜମି ହଡ଼ପ କରି ଚର୍ଚ୍ଚାରେ ଥିବା ଜଗି ଓ ବୈଜୟନ୍ତଙ୍କ ବିରୋଧରେ ଏଥର ଆସିଛି ଠକେଇ ଅଭିଯୋଗ ।  ଦୀର୍ଘ ବର୍ଷ କାମ କରିବା ପରେ ବେକୟା ଟଙ୍କା ପ୍ରଦାନରେ ଅରଟେଲ କମ୍ୟୁନିକେସନ୍ ର ଟାଳଟୁଳ ନୀତି  । ପ୍ରାୟ ୨୩ ଲକ୍ଷ ଟଙ୍କା ବକେୟା ପ୍ରଦାନ କ୍ଷେତ୍ରରେ ନିଜ ଅଧିନରେ ଥିବା ଟ୍ରାନ୍ସପୋର୍ଟ କମ୍ପାନୀକୁ ଠକିଛି ଅରଟେଲ୍ । ଏନେଇ ଚନ୍ଦ୍ରଶେଖରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଟ୍ରାନ୍ସପୋର୍ଟର ।

କଟକ ଜଗତପୁର ଅଞ୍ଚଳର ଜଗବନ୍ଧୁ ଟ୍ରାନ୍ସପୋର୍ଟ କମ୍ପାନୀ । ଦୀର୍ଘ ବର୍ଷ ଧରି ଅରଟେଲ କମ୍ପାନୀରେ ଚୁକ୍ତିବଦ୍ଧ ହୋଇ ଟ୍ରାନ୍ସପୋର୍ଟ ଦାୟିତ୍ବ ନେଇଥିଲେ । ଓଡ଼ିଶାର ସମସ୍ତ ଜିଲ୍ଲା ସମେତ ପଡ଼ୋଶୀ ଆନ୍ଧ୍ର, ଛତିଶଗଡ଼, ପଶ୍ଚିମବଙ୍ଗ ଆଦି ରାଜ୍ୟକୁ କରୁଥିଲେ ସାମଗ୍ରୀ ପରିବହନ । ନୋଟ୍ ବନ୍ଦୀ ପରଠାରୁ ପ୍ରାପ୍ୟ ପ୍ରଦାନରେ ଆରମ୍ଭ ହୋଇଥିଲା ସମସ୍ୟା । ବକେୟା ବଢି ପହଞ୍ଚିଛି ୨୨ ଲକ୍ଷ ୫୬ ହଜାର ଟଙ୍କାରେ । ବକେୟା ଅର୍ଥ ପାଇଁ ଦୌଡ଼ି ଦୌଡ଼ି ନିରାଶ ହେବା ପରେ ଜଗବନ୍ଧୁ ଟ୍ରାନ୍ସପୋର୍ଟ କମ୍ପାନୀର ମାଲିକ ଅଶ୍ୱିନୀ କୁମାର ତ୍ରିପାଠୀ ଏବେ ଥାନାରେ ଫେରାଦ୍ ହୋଇଛନ୍ତି ।
ଆର୍ଥିକ ସମସ୍ୟା ଯୋଗୁଁ ଋଣରେ ବୁଡ଼ି ରହିଛନ୍ତି ଅଶ୍ବିନୀ । ମାନସିକ ଚିନ୍ତା ସହିତ ଶାରୀରିକ ଅସୁସ୍ଥତା ବଢିବାରେ ଲାଗିଛି । ଏନେଇ ଚନ୍ଦ୍ରଶେଖରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅରଟେଲ କମ୍ୟୁନିକେସନ୍ ସହିତ ଜଗି, ଜୟ ଓ ହରପାଲ ସିଂଙ୍କ ସମେତ ପୂର୍ବତନ ଅଧିକାରୀ ବିଭୁ ରଥଙ୍କ ବିରୋଧରେ ଆଣିଛନ୍ତି ଠକେଇ ଅଭିଯୋଗ । ୭ ଦିନ ମଧ୍ୟରେ ବକେୟା ଅର୍ଥ ନମିଳିଲେ ସପରିବାର ଆତ୍ମହୂତି ଦେବାକୁ ଧମକ ଦେଇଛନ୍ତି । ଏକାଧିକ ମାମଲାରେ ଛନ୍ଦି ହୋଇପଡିଥିବା ଅରଟେଲ କମ୍ୟୁନିକେସନ୍ ଓ କର୍ତ୍ତୃପକ୍ଷଙ୍କ ଅଡୁଆ ବଢିବାରେ ଲାଗିଛି ।