କୋରୋନା ସତର୍କତା, ଏପ୍ରିଲ ୧ ଯାଏଁ ଶ୍ରଦ୍ଧାଳୁଙ୍କୁ ଶ୍ରୀମନ୍ଦିର ନ ଆସିବାକୁ ପରାମର୍ଶ

ପୁରୀ: ଶ୍ରୀମନ୍ଦିର ଦର୍ଶନ ନେଇ ପ୍ରତିଦିନ ସାରା ଦେଶରୁ ହଜାର ହଜାର ଭକ୍ତ ପୁରୀ ଆସୁଛନ୍ତି । ତେବେ ଭକ୍ତ ଓ ସେବାୟତ ମାରାତ୍ମକ କୋରୋନା ଭାଇରସରୁ କିଭଳି ରକ୍ଷା ପାଇବେ ଓ ଏହାର ସଫଳ ମୁକାବିଲା ନେଇ ଏକ ବୈଠକ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି ।

ଛତିଶା ନିଯୋଗର ସଦସ୍ୟ ସମେତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ, ଏସପି , ଜିଲ୍ଲାମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସମେତ ବରିଷ୍ଠ ସେବାୟତମାନେ ଏଥିରେ ଯୋଗ ଦେଇଥିଲେ । ବୈଠକରେ ନିଷ୍ପତି ଅନୁଯାୟୀ, ଅସନ୍ତା ୧୫ ଦିନ ଅର୍ଥାତ ଏପ୍ରିଲ ୧ ତାରିଖ ଯାଏଁ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଆସୁଥିବା ଶ୍ରଦ୍ଧାଳୁଙ୍କୁ କିଛିଦିନ ନଆସିବା ପାଇଁ ଅନୁରୋଧ କରାଯାଇଛି ।

ଯଦି ନିହାତି ଆସିବାର ରହିଛି କିଛି ସାବଧାନତା ଅବଲମ୍ବନ କରିବା ପାଇଁ କୁହାଯାଇଥିବା ବେଳେ କିଛି ପଦକ୍ଷେପ ମଧ୍ୟ ନିଆଯାଇଛି । ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଆସୁଥିବା ଭକ୍ତ ମନ୍ଦିର ପ୍ରବେଶ ପୂର୍ବରୁ ଏକ ଡିକ୍ଲାରେସନ ବା ନିର୍ଦ୍ଦିଷ୍ଟ ଫର୍ମ ଦେବେ ।

ସୋମବାର ଠାରୁ ଏହି ନିୟମ ଲାଗୁ କରିଯିବ । ଭକ୍ତମାନେ ଉକ୍ତ ଫର୍ମ ମାଧ୍ୟମରେ ସୂଚନା ଦେବେ କି, ତାଙ୍କ ପରିବାର ସଦସ୍ୟ କେହିବି ଗତ ୧୫ ଦିନ ହେବ କୌଣସି ବାହାର ଦେଶକୁ ଯାଇ ନଥିବେ । ସେହିପରି ଗତ ୧୫ ଦିନ ଭିତରେ ମଧ୍ୟ ପରିବାରର କୌଣସି ବ୍ୟକ୍ତିଙ୍କୁ ଜର, କାଶ, ଥଣ୍ଡା ହୋଇ ନଥିବ। ସେହିପରି ମନ୍ଦିର ଭିତରେ ଧାଡିରେ ଦର୍ଶନ ସହିତ ପ୍ରତି ବ୍ୟକ୍ତି ମଧ୍ୟରେ ୨ ମିଟର ଦୂରତା ରହିବ ।

ମନ୍ଦିର ଭିତରେ ଭଜନ, କୀର୍ତ୍ତନ ଏକାଠି ହୋଇ କରିବାକୁ ମଧ୍ୟ କଟକଣା କରାଯାଇଛି । ସେହିପରି ଶ୍ରୀମନ୍ଦିର ଚାରି ଦ୍ୱାରରେ ହେଲ୍ପ ଡେସ୍କ ବ୍ୟବସ୍ଥା ରହିବ । ଭକ୍ତମାନେ ଦର୍ଶନ ସମୟରେ ଅରୁଣ ସ୍ତମ୍ବ ସମସ୍ତ ଶ୍ରୀମନ୍ଦିର ଭିତରେ ଥିବା ଗରୁଡ଼ ସ୍ତମ୍ବ ସ୍ପର୍ଶ ଉପରେ କଟକଣା କରାଯାଇଛି । କେଵଳ ଭକ୍ତମାନେ ଦର୍ଶନ ବ୍ୟତୀତ ଅନ୍ୟ କିଛି ସ୍ପର୍ଶ କରିବେ ନାହିଁ ।

ସେହିପରି ଭିତର କାଠ ଦେଇ ଭକ୍ତ ଦର୍ଶନ ମଧ୍ୟ କରିବେ । ଶ୍ରୀମନ୍ଦିର ଭିତରେ ଛେପ ନପକାଇବା ପାଇଁ ସମସ୍ତ ସେବାୟତ, ଶ୍ରୀମନ୍ଦିର କର୍ମଚାରୀଙ୍କୁ କୁହାଯାଇଛି । ଶ୍ରୀମନ୍ଦିର ଭିତରେ ଓ ବାହାରେ ମଧ୍ୟ ସେବାୟତ ଓ କର୍ମଚାରୀ ମଧ୍ୟ ମାସ୍କ ପିନ୍ଧିବେ । ଶ୍ରୀମନ୍ଦିର ଭିତରେ ଓ ଚାରି ଦ୍ୱାରରେ ସାନିଟାଇଜେସନ ଅର୍ଥାତ ହାତ ଧୋଇବା ନେଇ ବ୍ୟବସ୍ଥା ହେବ । କୀର୍ତନ

ସେହିପରି ଆନନ୍ଦ ବଜ଼ାରରେ ଏକାଠି ବସି ମହାପ୍ରସାଦ ନଖାଇବା ନେଇ ଭକ୍ତଙ୍କୁ ସଚେତନ କରାଯିବ । ମହାପ୍ରସାଦ ଘରକୁ ନେଇ ଖାଇବା ପାଇଁ ଅନୁରୋଧ କରାଯିବ । ଏହି କାର୍ଯ୍ୟରେ ସମସ୍ତେ ସହଯୋଗ କରିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସମସ୍ତ ଭକ୍ତଙ୍କୁ ନିବେଦନ କରିଛନ୍ତି ।