ଧାନମଣ୍ଡି ଓ ପୁରୀରେ ନାବାଳିକା ଦୁଷ୍କର୍ମ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିଲେ ବିରୋଧୀ

ଭୁବନେଶ୍ୱର: ଷୋଡ଼ଶ ବିଧାନସଭାର ବଜେଟ୍‌ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭରୁ ବିରୋଧୀ ଦଳ ବିଭିନ୍ନ ପ୍ରସଙ୍ଗ ନେଇ ସରକାରଙ୍କୁ ଘେରିଛନ୍ତି । ଧାନ ମଣ୍ଡି, ପୁରୀରେ ନାବାଳିକାକୁ ଦୁଷ୍କର୍ମ ଓ ଆବାସିକ ବିଦ୍ୟାଳୟରେ ଛାତ୍ରୀ ନିବାସରେ ଛାତ୍ରୀ ଗର୍ଭବତୀ ହେବା ଘଟଣାକୁ ନେଇ ଗୃହ ସରଗରମ ହୋଇଛି । 

କଳାହାଣ୍ଡିରେ ଧାନ ମଣ୍ଡିରୁ ଧାନ ନ ଉଠିବାକୁ ନେଇ ବିରୋଧୀ ଦଳ ସଦସ୍ୟ ପ୍ରଦୀପ୍ତ ନାୟକ ଗୃହରେ କହିଛନ୍ତି । ସେ କହିଛନ୍ତି ଯେ ବିଭିନ୍ନ ଜିଲ୍ଲାର ଧାନ ମଣ୍ଡିରେ ଧାନ ପଡ଼ି ଗଜା ହେଉଛି । ଚାଷୀମାନେ ଧାନ ବିକ୍ରି କରି ନ ପାରି ମଣ୍ଡିରେ ହନ୍ତସନ୍ତ ହେଉଛନ୍ତି । ଧାନପଡ଼ି ଗଜା ହୋଇଗଲାଣି କିନ୍ତୁ ଧାନ କିଣା ଯାଉ ନାହିଁ । ସେହିପରି କୁଇଣ୍ଟାଲ ପିଛା ୪ରୁ ୧୧ କିଗ୍ରା ପର୍ଯ୍ୟନ୍ତ କଟନିଛଟ୍‌ନି କରାଯାଉଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି । ତେଣୁ ସରକାର ତୁରନ୍ତ ବ୍ୟବସ୍ଥା କରି ଚାଷୀଙ୍କ ଠାରୁ ଧାନ ନେବାକୁ ସେ ଗୃହରେ ଦାବି କରିଛନ୍ତି । ବିଭାଗୀୟ ମନ୍ତ୍ରୀ ପଦକ୍ଷେପ ନେବାକୁ ରୁଲିଂ ଦେଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । 

ଅନ୍ୟପକ୍ଷରେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ରାଜ୍ୟରେ କ୍ରମବର୍ଦ୍ଧିଷ୍ଣୁ ନାବାଳିକା ଦୁଷ୍କର୍ମ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି । ଓଡ଼ିଶାକୁ ଅପରାଧିଙ୍କ ଦୟାରେ ସରକାର ଛାଡ଼ି ଦେଇଛନ୍ତି ବୋଲି କହିଲେ ଶ୍ରୀ ମିଶ୍ର । ପୁରୀରେ ରଥ ଯାତ୍ରା ସମୟରେ ୧୦ ହଜାର ପୋଲିସ କର୍ମଚାରୀ ଥିବାବେଳେ ଏକ ନାବାଳିକା ସହ ଦୁଷ୍କର୍ମ ଘଟିଲା । ପ୍ରତ୍ୟେକ ଦିନ ୭ଟି ବଳାତ୍କାର ହେଉଥିବାବେଳେ ମାତ୍ର ୬ ଜଣ ଅଭିଯୁକ୍ତଙ୍କୁ ବର୍ଷକୁ ଦଣ୍ଡିତ କରାଯାଉଛି । ସରକାରୀ ଓକିଲଙ୍କ ପଦବୀ ଖାଲି ପଡ଼ୁଥିବାରୁ ବିଚାର ପ୍ରକ୍ରିୟା ତ୍ୱରାନ୍ୱିତ ହେଉ ନାହିଁ । ତେଣୁ ତୁରନ୍ତ ଓକିଲ ପଦବୀ ପୂରଣ ପାଇଁ ସେ ଦାବି କରିଛନ୍ତି । ବାଚସ୍ପତି ବିଭାଗୀୟ ମନ୍ତ୍ରୀକୁ ପଦକ୍ଷେପ ନେବାକୁ ରୁଲିଂ ଦେଇଛନ୍ତି । 

ସେପଟେ ଭୁବନେଶ୍ୱରରେ ଆଦିବାସୀ ଛାତ୍ରୀ ନିବାସରେ ଛାତ୍ରୀ ଗର୍ଭବତୀ ଘଟଣାରେ ଉତ୍ତର ରଖିଛନ୍ତି ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା । ଭୁବନେଶ୍ୱରରେ ଆସିଥିବା ୪ଟି ଗର୍ଭବତୀ ଅଭିଯୋଗରୁ ଗୋଟିଏ ପଜିଟିଭ୍‌ ଆସିଛି । କ୍ୟାପିଟାଲ ହସ୍ପିଟାଲରେ ପରୀକ୍ଷା ପରେ ଜଣେ ଛାତ୍ରୀ ପିଜିଟିଭ୍‌ ବାହାରିଥିଲା । ସଂପୃକ୍ତ ଛାତ୍ରୀ ଘରକୁ ଯାଇଥିବାବେଳେ ପଡ଼ୋଶୀ ଯୁବକ ସହ ସମ୍ପର୍କ ଥିଲା ବୋଲି ମନ୍ତ୍ରୀ ଉତ୍ତର ରଖିଚନ୍ତି । ସଂପୃକ୍ତ ଅଭିଯୁକ୍ତକୁ ଗିରଫ କରାଯାଇଛି । ସେହିପରି ଢେଙ୍କାନାଳ ଓ ମୟୁରଭଞ୍ଜରେ ଜଣେ  ଲେଖାଏଁ ଛାତ୍ରୀ ଛୁଟିରେ ଯାଇ ଗର୍ଭବତୀ ହୋଇଥିବା ସେ କହିଛନ୍ତି ।