ମାର୍ଚ୍ଚ ପୂର୍ବରୁ ନିଲାମ ହେବ ୧୬ ଖଣି

ଭୁବନେଶ୍ୱର : ଜୋରିମାନା ଅର୍ଥ ପଇଠ ନକରିବା କିଛି ଖଣି ମାଲିକଙ୍କ ପାଇଁ ମହଙ୍ଗା ପଡ଼ିଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଜୋରିମାନା ଅର୍ଥ ନ ଦେବାରୁ ୬ଟି ଖଣିର ଲିଜ୍କୁ ରାଜ୍ୟ ସରକାର ବାତିଲ କରିଛନ୍ତି ବୋଲି ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି । ସେଗୁଡ଼ିକ ହେଲା ଲୁହାପଥର ଓ ମାଙ୍ଗାନିଜ ଖଣି । ଏହାବ୍ୟତୀତ ଆସନ୍ତା ମାର୍ଚ୍ଚ ସୁଦ୍ଧା ୧୬ଟି ଖଣିର ନିଲାମ ପ୍ରକ୍ରିୟା ଶେଷ ହେବ ବୋଲି ଶ୍ରୀ ମଲ୍ଲିକ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ ୨୦୧୭ ମସିହା ଡିସେମ୍ବର ୩୧ ସୁଦ୍ଧା ଜୋରିମାନା ଅର୍ଥ ପେଠ କରିବାର ଅବଧି ଶେଷ ହୋଇଥିଲେ ମଧ୍ୟ ୩୧ ଖଣି ଲିଜଧାରୀ ଟଙ୍କା ପଇଠ କରିନାହାନ୍ତି । ବେଆଇନ୍ ଭାବେ ଖଣି ଖନନ କରି କମ୍ପାନୀମାନେ ସୁପ୍ରିମକୋର୍ଟଙ୍କ ନୋଟିସ୍କୁ ବେଖାତିର କରିଛନ୍ତି । ଏଥିମଧ୍ୟରୁ ୨୫ଟି ଖଣି ମାଲିକ ଆଞ୍ଚଳିକ ଖଣି କର୍ତ୍ତୃପକ୍ଷଙ୍କଠାରୁ ସ୍ଥଗିତାଦେଶ ଆଣିଛନ୍ତି । ତେଣୁ ପ୍ରଥମିକ ପର୍ଯ୍ୟାୟରେ ୬ଟି ଖଣିକୁ ପୁନଃ ନିଲାମ କରାଯିବ । ଏହାସହ ଏହି ଖଣି ଲିଜଧାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ବାତିଲ ଖଣି ମଧ୍ୟରେ ରହିଛି ଭଞ୍ଜ ମିନେରାଲ ଲିଃ.ର ଲୁହାପଥର ଓ ମାଙ୍ଗାନିଜ୍ ଖଣି, ଏଚ୍ଜି ପାଣ୍ଡ୍ୟା ଲୁହାପଥର ମାଙ୍ଗାନିଜ୍ ଖଣି, ଏମ୍ଆର୍ଦାସ୍ ଦେଓଝର ଲୁହାପଥର ଖଣି, ମିନେରାଲ ଟ୍ରେଡିଙ୍ଗ ସିଣ୍ଡିକେଟ ଲୁହାପଥର ଖଣି, ଅର୍ଜୁନଲୋଧା ବାଲାଗୋଡ଼ ଲୁହାପଥର ଓ ମାଙ୍ଗାନିଜ ଖଣି,ବିଡ଼ି ପଟ୍ଟନାୟକ କଳାପର୍ବତ ଲୁହାପଥର ଖଣି । ସଂଶୋଧିତ ଏମ୍ଏମ୍ଡିଆର୍ ଆଇନ ଅନୁସାରେ ଖଣି ନିଲାମ ହେବ । କିଛି ଦିନଧରି ରାଜ୍ୟରେ ଖଣି ନିଲାମୀ ପ୍ରକ୍ରିୟାରେ ବିଳମ୍ବ ହୋଇଥିବା ବେଳେ ଆସନ୍ତା ମାର୍ଚ୍ଚ ସୁଦ୍ଧା ଅନ୍ୟ ୧୬ଟି ଖଣି ନିଲାମ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା ମନ୍ତ୍ରୀ କହିଛନ୍ତି ।
ଅର୍ଥ ପଇଠ ପାଇଁ ଧାର୍ଯ୍ୟ କରାଯାଇଥିବା ସମୟସୀମା ବଢ଼ାଇବାକୁ ଖଣି ଲିଜଧାରୀଙ୍କୁ ସୁପ୍ରିମକୋର୍ଟ ପୂର୍ବରୁ ମନା କରିଥିଲେ । ତେଣୁ କୋର୍ଟଙ୍କ ଆଦେଶ ମୁତାବକ ଏବେ ସମ୍ପତ୍ତି ବାଜ୍ୟାପ୍ତି କରି କ୍ଷତି ଭରଣା ପାଇଁ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି । ପରିବେଶ ଆଇନ ଉଲଙ୍ଘନ ଓ ଜଙ୍ଗଲ ଆଇନ ଉଲଙ୍ଘନ କରି ବେଆଇନ ଖଣି ଉତ୍ପାଦନ କରିଥିବା ୧୩୧ଟି କମ୍ପାନୀ ଉପରେ ସରକାର ୧୯ ହଜାର ୧୭୪ କୋଟିର ଡିମାଣ୍ଡ ନୋଟିସ ଦେଇଥିଲେ । ହେଲେ ୩୧ଟି ଖଣି ଲିଜଧାରି ଜରିମାନା ଟଙ୍କା ପଇଠ କରିନଥିବାରୁ ସେମାନଙ୍କ ବିରୋଧରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।